ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ ସଫଳତା ପଛରେ କାହାର ନା କାହାର ଆଦର୍ଶ, ବଳିଦାନ ଏବଂ ପ୍ରେରଣା ରହିଥାଏ। ଏଭଳି କିଛି କାହାଣୀ ଯୋଡି ହୋଇ ରହିଛି ଭାରତୀୟ ଟେବୁଲ୍ ଟେନିସ୍ ଷ୍ଟାର ଆହ୍ୟିକା ମୁଖାର୍ଜୀଙ୍କ ଜୀବନରେ।

କଲିକତାର ଗୌତମ ମୁଖାର୍ଜୀ ଓ ସୌମ୍ୟା ମୁଖାର୍ଜୀଙ୍କ ଏକମାତ୍ର ଝିଅ ଆହ୍ୟିକା ଛୋଟବେଳୁ ଟେବୁଲ୍ ଟେନିସ୍ ଖେଳ ପ୍ରତି ଆଗ୍ରହୀ ଥିଲେ। ଏମିତିକି ଝିଅର ଖେଳ ପ୍ରତି ଆଗ୍ରହ ଦେଖି ବିଏସ୍ଏଫ୍‌ ଚାକିରି କରିଥିବା ବାପା ଗୌତମ ମୁଖାର୍ଜୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ।

ଜବାହରଲାଲ୍ ନେହରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍‌ଦେଖିବାକୁ ଆସିଥିବା ଆହ୍ୟିକାଙ୍କ ବାପା ଓ ମା’ ଏ ସମ୍ପର୍କରେ ବିସ୍ତୃତ ଭାବେ କହିଛନ୍ତି।

ଗୌତମ କହିଥିଲେ, ‘‘ଆହ୍ୟିକା ଛୋଟବେଳେ ବହୁତ ମୋଟା ଥିଲେ। ଝିଅର ଫିଟନେସ୍‌ ଚିନ୍ତାରେ ଆମେ ସବୁବେଳେ ଚିନ୍ତାରେ ଥିଲୁ। ଏଭଳି ପରିସ୍ଥିତିରେ ଆମର ଜଣେ ବନ୍ଧୁ ଝିଅକୁ କୌଣସି କ୍ରୀଡ଼ାରେ ସାମିଲ୍ କରିବାକୁ ପରାମର୍ଶ ଦେଇଥିଲେ। ଏଣୁ ଆମେ ଇନଡୋର ଗେମ୍‌ ଭାବେ ଟେବୁଲ ଟେନିସ୍‌କୁ ବାଛିଥିଲୁ। ପ୍ରୟ ୮ବର୍ଷ ବୟସରୁ ଆହ୍ୟିକା ଟେବୁଲ୍ ଟେନିସ୍ ଖେଳିବା ଆରମ୍ଭ କରିଥିଲା।’’

‘‘ମୁଁ ବାହାରେ ଚାକିରି କରିଥିବାରୁ ଆହ୍ୟିକାକୁ ତା’ ମା’ ସୌମ୍ୟା ସବୁବେଳେ ବିଭିନ୍ନ ପ୍ରତିଯୋଗିତାକୁ ନେଇ ଯାଉଥିଲେ। କିନ୍ତୁ ଯେତେବେଳେ ଖେଳରେ ଆହ୍ୟିକା ଆଗକୁ ବଢିଲା ସେତେବେଳେ ତାକୁ ବିଭିନ୍ନ ଜାତୀୟ ଏବଂ ଆନ୍ତଃଜୋନ୍ ପ୍ରତିଯୋଗିତା ଖେଳିବା ପାଇଁ ରାଜ୍ୟ ବାହାରକୁ ନେଇ ଯିବାକୁ ପଡିଲା। ଶେଷରେ ଆହ୍ୟିକାର କ୍ୟାରିଅର୍ ପାଇଁ ୨୦୧୦ରେ ମୁଁ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲି। ଏହାପରଠୁ ଯେତେବେଳେ ଆହ୍ୟିକା ଯୁଆଡ଼େ ଯାଏ ମୁଁ ତା’ ସହ ସବୁବେଳେ ରହି ଆସିଛି।’’

ମୋଟା ଥିବାରୁ ଟେବୁଲ ଟେନିସରେ ଭର୍ତ୍ତି ହୋଇଥିଲେ ସୁତିର୍ଥା

‘‘୪ବର୍ଷ ବୟସରୁ ସୁତିର୍ଥା ଟେବୁଲ୍ ଟେନିସ୍ ଖେଳି ଆସୁଛି। ଛୋଟ ବେଳେ ସେ ବହୁତ ମୋଟା ଥିଲା। ସେଥିପାଇଁ ଆମେ ତାକୁ ଟେବୁଲ୍ ଟେନିସ୍ ଖେଳରେ ଭର୍ତ୍ତି କରାଇଲୁ। ଇନଡୋର ଗେମ୍ ହୋଇଥିବାରୁ ଖରା,ବର୍ଷା ଡର ନଥିଲା। ଏଥିପାଇଁ କଲିକତାର ନୈହାଠିସ୍ଥିତ ଟେବୁଲ ଟେନିସ୍‌ ଏକାଡେମୀରେ ଆମେ ତାକୁ ଭର୍ତ୍ତି କରାଇଥିଲୁ। ସେବେଠାରୁ ଏବେ ଯାଏଁ ସୁତିର୍ଥା ସବୁବେଳେ ଟିଟିକୁ ନେଇ ଆଗକୁ ବଢ଼ିଛି’’, କହିଛନ୍ତି ସୁତୀର୍ଥାଙ୍କ ବାପା ଅଭିଜିତ ମୁଖାର୍ଜୀ।

ଟିଟି ତା’ ଜୀବନ କହିଲେ ଭୁଲ୍ ହେବନାହିଁ। ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚାମ୍ପିଅନ୍ ଭାରତୀୟ ଦଳର ସଦସ୍ୟ ଥିଲା ସୁତୀର୍ଥା। ତା ଭାରତର ସ୍ଥିତି ଦେଖି ଲାଗୁଛି ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅସିପ୍‌ରେ ବି ଦଳ ଚାମ୍ପିଅନ୍ ହେବ ବୋଲି ଅଭିଜିତ କହିଛନ୍ତି।

କଟକରେ ଚାଲିଥିବା ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍‌ରେ ସୁତୀର୍ଥା ଭାଗ ନେଇଛନ୍ତି। ଝିଅର ଖେଳ ଦେଖିବା ପାଇଁ ବାପା ଅଭିଜିତ ଏବଂ ମା’ ନୀତା କଟକ ଆସିଛନ୍ତି।

Comment