ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଲା ଇଂଲଣ୍ଡ। ନ୍ୟୁଜିଲାଣ୍ଡକୁ ପରାଜିତ କରି ଚଳିତ ବିଶ୍ୱକପ୍ ହାତେଇଛି ଆୟୋଜକ ଇଂଲଣ୍ଡ ଟିମ୍‌। ଫାଇନାଲ ମ୍ୟାଚ ଟାଇ ରହିବା ପରେ ଖେଳର ନିୟମ ଅନୁସାରେ ସୁପର ଓଭର ହୋଇଥିଲା।

ସୁପର ଓଭରରେ ନ୍ୟୁଜିଲାଣ୍ଡ ୧୫ ରନ କରିଥିଲା। ଇଂଲଣ୍ଡ ଟିମ୍ ୧୬ ରନକୁ ଟାର୍ଗେଟ କରି ସୁପରଓଭର ଖେଳିଥିଲା। ସୁପରଓଭରରେ ବି ଉଭୟ ଟିମ୍‌ର ରନ ବରାବର ରହିଥିଲା। ସୁପରଓଭର ବି ଟାଇ ରହିଥିଲା। ହେଲେ ବାଉଣ୍ଡ୍ରୀ ଗଣନାରେ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଇଂଲଣ୍ଡ ଟିମ୍ ବିଶ୍ୱକପ୍ ଚାମ୍ପିଅନ ହୋଇଛି।

ଇଂଲଣ୍ଡର ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡରେ ହୋଇଥିଲା ବିଶ୍ୱକପ୍ ଫାଇନାଲ। ଫାଇନାଲରେ ଆୟୋଜକ ଇଂଲଣ୍ଡକୁ ଭେଟିଥିଲା ନ୍ୟୁଜିଲାଣ୍ଡ। ଉଭୟ ଦଳ ଫାଇନାଲରେ ବିଶ୍ୱକପ୍ ହାତେଇବା ପାଇଁ ଜୋରଦାର ସଂଘର୍ଷ କରିଥିଲେ।

ନ୍ୟୁଜିଲାଣ୍ଡ ଟିମ୍‌ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା। ଇଂଲଣ୍ଡକୁ ୨୪୨ ରନର ଟାର୍ଗେଟ ଦେଇଥିଲା। ନ୍ୟୁଜିଲାଣ୍ଡ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୪୧ରନ କରିଥିଲା।

ଦଳ ପକ୍ଷରୁ ଦୁଇ ଓପନର ଏତେ ଭଲ ଆରମ୍ଭ କରିପାରିନଥିଲେ। ୬ ଓଭରରେ ଦଳୀୟ ସ୍କୋର ୨୯ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ମାର୍ଟିନ ଗପ୍ଟିଲ ବ୍ୟକ୍ତିଗତ ୧୯ରନ କରି ପାଭିଲିୟନ ଫେରିଯାଇଥିଲେ। ପରେ ହେନେରୀ ନିକୋଲ୍ସ ଓ କେନ ଓ୍ଵିଲିୟମସନଙ୍କ ଏକ ଉତ୍ତମ ଭାଗିଦାରୀ ହୋଇଥିଲା। ହେଲେ ୨୨ ଓଭରରେ ଦଳୀୟ ସ୍କୋର ୧୦୩ ହୋଇଥିବା ବେଳେ କେନ ଓ୍ଵିଲିୟମସନ ୩୦ରନ କରି ଆଉଟ ହୋଇଥିଲେ। ଦଳ ପକ୍ଷରୁ ହେନେରୀ ନିକୋଲ୍ସ ଅର୍ଦ୍ଧଶତକ ଓ ଟମ ଲାଥମ ୪୭ରନ କରିଥିଲେ।

ପରେ ଦଳ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ସନ୍ତୋଷଜନକ ପ୍ରଦର୍ଶନ କରିପାରିନଥିଲେ। ଫଳରେ ଦଳ ୫୦ ଓଭରରେ ୮ ଓ୍ଵିକେଟ ହରାଇ ୨୪୧ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ ଓ୍ଵକ୍ସ ଓ ଲିଆମ ପ୍ଲୁଙ୍କେଟ ସର୍ବାଧିକ ୩ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।

Comment