ଭାସ୍କର ପରିଚ୍ଛା

ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ବେଳେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦବଙ୍ଗଗିରିକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ଅବଶ୍ୟ ପୋଲିସ ଓ ସାମ୍ବାଦିକମାନଙ୍କ ମଧ୍ୟରେ ଗଣ୍ଡଗୋଳ ଓ ବାକ୍ ବିତଣ୍ଡା କିଛି ନୂଆ କଥା ନୁହେଁ। ଉଭୟେ ଉଭୟଙ୍କ କାର୍ଯ୍ୟ ସମ୍ପାଦନ କରିବା ବେଳେ ଭୁଲ ବୁଝାମଣାକୁ ନେଇ ଏଭଳି ସୃଷ୍ଟି ହେବା ଅତ୍ୟନ୍ତ ସମ୍ଭବ। ତେବେ  ବିଭିନ୍ନ ସମୟରେ ସୃଷ୍ଟ ଏହି ସବୁ  ବିବାଦାତ୍ମକ ସ୍ଥିତିର ସମାଧାନ ଯେ ନାହିଁ ତାହା ବି ନୁହେଁ।

ପାଟକୁରା ଘଟଣାଟି କିନ୍ତୁ କିଛି ମାତ୍ରାରେ ଗର୍ହିତ। ଏଥିରେ କୌଣସି ପୋଲିସ ଇନ୍ସିପେକ୍ଟର ସମ୍ପୃକ୍ତ ନୁହଁନ୍ତି, ସମ୍ପୃକ୍ତ ଅଛନ୍ତି ନିଜେ ଏସ୍‌ପି। ଏସ୍‌ପି ନିଜେ ଜଣେ  ସାମ୍ବାଦିକଙ୍କ ଉପରକୁ ହାତ ଉଠାଇଛନ୍ତି। ଯେହେତୁ ସର୍ବସାଧାରଣ ସ୍ଥାନରେ ଏହି ଘଟଣାଟି ଘଟିଛି ଏହି  ଭିଡିଓଟି  ଭାଇରାଲ ହୋଇଛି। ତେବେ ଆସନ୍ତାକାଲି ପାଟକୁରାରେ ଭୋଟଦାନ ହେବାକୁ ଯାଉଛି, ସେହି କାରଣରୁ ଏହି ମାମଲାକୁ ଚପାଇ ଦେବାର ଉଦ୍ୟମ ବି ହୋଇପାରେ। ତେବେ ମାମଲାଟିକୁ ଏତେ ହାଲକା ଭାବରେ  ନିଆଯିବା ଉଚିତ ନୁହେଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତବେଳେ ଯେହେତୁ ଏହି ଅପ୍ରୀତିକର ଘଟଣା ଘଟିଛି, ତଳରୁ ଉପର ଯାଏଁ ସମସ୍ତେ ଚାହିଁବେ ଏହାକୁ ଆଗକୁ ନ ବଢ଼ାଇବା ପାଇଁ। ତେବେ କହିବା କଥା ହେଉଛି  ନ୍ୟୁଜ ୧୮ ଚ୍ୟାନେଲର ସାମ୍ୱାଦିକ ଅଜେଶ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ। ମଜା କରିବାକୁ ପାଟକୁରା ଯାଇ ନଥିଲେ। କେଉଁ କାରଣରୁ ଟିଭି ଚ୍ୟାନେଲର ସେହି ସାମ୍ବାଦିକଙ୍କୁ ଏସ୍‌ପି ନୀତି ଶେଖର ହାତ ଉଠାଇବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କଲେ ତାହା ତଦନ୍ତ ସାପେକ୍ଷ। ଦୁର୍ବ୍ୟବହାର ପଛରେ କିଛି ନିର୍ଦ୍ଦିଷ୍ଟ କାରଣ ଅଛି ନା କାର୍ଯ୍ୟ ଚାପରେ ଏସ୍‌ପି ସେହିଭଳି ବ୍ୟବହାର ଦେଖାଇଥିଲେ?

ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଖବର ସଂଗ୍ରହ କରିବା ପାଇଁ  ଅଜେଶ ମଲ୍ଲିକ ଭୁବନେଶ୍ୱରରୁ ଯାଇଥିଲେ ଏବଂ ବାରିମୂଳ ଅସ୍ଥାୟୀ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବା ବେଳେ ତାଙ୍କ ସହିତ ସବୁ ଗଣମାଧ୍ୟମ ପ୍ରତିନିଧି ଛିଡ଼ା ହୋଇଥିଲେ।  ଏହି ସମୟରେ  ଏସ୍‌ପି ଅଜେଶଙ୍କୁ ଦୁର୍ବ୍ୟହାର ପ୍ରଦର୍ଶନ କରିବା ସହ ତାଙ୍କ ଉପରକୁ ହାତ ଉଠାଇଥିଲେ। ସତ କଥା ଯେ ସାମ୍ୱାଦିକମାନେ ଖବର ସଂଗ୍ରହ କରିବା ବେଳେ ସମୟେ ସମୟେ ବ୍ୟସ୍ତତା ପ୍ରକାଶ କରିଥାନ୍ତି ଓ ସେହି ପ୍ରକ୍ରିୟାରେ ପୋଲିସର କଟକଣାକୁ ଭାଙ୍ଗିଥାନ୍ତି ମଧ୍ୟ। ତେବେ ଏହା ଏତେ ବଡ଼ ଅପରାଧ ନୁହେଁ ଯେ ଆରକ୍ଷୀ ଅଧୀକ୍ଷକ ସାମ୍ୱାଦିକଙ୍କୁ ଚାପୁଡ଼ା ମାରିବା ପାଇଁ ଉଦ୍ୟତ ହେବେ। ଏସ୍‌ପି ଯାହା କହିବାକୁ ଚାହୁଁଥିଲେ ତାହା ଅଜେଶଙ୍କୁ  କଥାରେ କହି ପରିଥାନ୍ତେ।

ନିଃସନ୍ଦେହ, ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କଠାରୁ ଏଭଳି ଆଚରଣ କଦାପି ଆଶା କରାଯାଏ ନାହିଁ। ସାମ୍ବାଦିକ ଓ ପୋଲିସ ଅଫିସରଙ୍କ ସମ୍ପର୍କ ଅଭିନ୍ନ ଓ ପାରସ୍ପରିକ। ସରକାରୀ ବ୍ୟବସ୍ଥା ଭିତରେ  ପ୍ରତ୍ୟେକ ବିଭାଗ ଓ ସଂସ୍ଥାର ଭୂମିକା ଅଲଗା ଅଲଗା। ନିଜ କର୍ତ୍ତବ୍ୟ ସମ୍ପାଦନ ବେଳେ କେହି କାହାର ଇଲାକା ଭିତରେ ଧସେଇ ପଶିବା ଉଚିତ ନୁହେଁ। ପାଟକୁରା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନିଜକୁ ସଂଶୋଧନ କରିବା ଆବଶ୍ୟକ ଏବଂ ଭବିଷ୍ୟତରେ ଯେଭଳି ଏ ରକମ ଘଟଣା ନହେବ ସେଥିପ୍ରତି ସତର୍କ ହେବା ଦରକାର।

ଜଣେ ଜିଲ୍ଲା ଏସ୍‌ପିଙ୍କ ପକ୍ଷରେ ଉତ୍ତମ ଆଚରଣ ଓ ଧୈର୍ଯ୍ୟ ନିତାନ୍ତ ଆବଶ୍ୟକ। କାରଣ ତାଙ୍କ ତଳିଆ ଅଧିକାରୀ ମାନେ ଏଥିରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସାମ୍ୱାଦିକମାନଙ୍କ ସହ ପୋଲିସର ବ୍ୟବହାର ମାର୍ଜିତ ହେବା ଦରକାର। କେବଳ ଆରକ୍ଷୀ ଅଧୀକ୍ଷକ ନୁହଁନ୍ତି, ଥାନା ବାବୁମାନେ ମଧ୍ୟ ସାମ୍ବାଦିକମାନଙ୍କୁ ନିଜ କାର୍ଯ୍ୟ କରିବା ପାଇଁ ଆବଶ୍ୟକ ସ୍ଥାନ ଛାଡ଼ିବା ଜରୁରୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment