ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରି ବର୍ଷ ଜେଲ୍‌ରେ ରହିବା ପରେ ଶେଷରେ ଜାମିନ୍‌ ପାଇଲେ ଆତ୍ମଘୋଷିତ ବାବା ସାରଥୀ ଓରଫ୍‌ ସନ୍ତୋଷ ରାଉଳ। ଓଡ଼ିଶା ହାଇକୋର୍ଟ ସୋମବାର ତାଙ୍କୁ ତିନୋଟି ମାମଲାରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଥିବା ଅନ୍ତେବାସୀଙ୍କ ବିଭିନ୍ନ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ତେବେ କଥାକଥିତ ବାବାଙ୍କୁ ହାଇକୋର୍ଟ ଜାମିନ୍‌ ଦେବା ଆଗରୁ ରଖିଛନ୍ତି ୫ଟି ଟାଣୁଆ ସର୍ତ୍ତ।

ତେବେ ଆସନ୍ତୁ ଜାଣିବା, କ’ଣ ରହିଛି ସେହି ସବୁ ସର୍ତ୍ତ।

  • ପ୍ରଥମ ସର୍ତ୍ତ : ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ନିର୍ଦ୍ଦେଶ
  • ଦ୍ୱିତୀୟ ସର୍ତ୍ତ : ବାରିମୂଳ ଆଶ୍ରମକୁ ଯାଇ ପାରିବେ ନାହିଁ
  • ତୃତୀୟ ସର୍ତ୍ତ : ରାଜ୍ୟ ବାହାରକୁ ଯାଇପାରିବେ ନାହିଁ
  • ଚତୁର୍ଥ ସର୍ତ୍ତ : କୌଣସି ସ୍ଥାନରେ ଧର୍ମୀୟ ସଭା କରିପାରିବେ ନାହିଁ
  • ପଞ୍ଚମ ସର୍ତ୍ତ : ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସହଯୋଗ କରିବେ

ତେବେ ଉପରୋକ୍ତ ସର୍ତ୍ତକୁ ଅବମାନନା କଲେ ତଳ କୋର୍ଟ ଚାହିଁଲେ ତା’ଙ୍କ ଉପରେ ଅଧିକ ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚ ପୋଲିସ ଭକ୍ତଙ୍କ ଭାବାବେଗ ସହ ଖେଳିବା ଏବଂ ଆଶ୍ରମରେ ମହିଳାଙ୍କୁ ଯୌନ ଶୋଷଣ ଦେବା ଅଭିଯୋଗରେ ୨୦୧୫ ମସିହା ଅଗଷ୍ଟ ୮ରେ ବାବା ସାରଥୀଙ୍କୁ ଗିରଫ କରିଥିଲା। ୪ ବର୍ଷ ଜେଲ୍‌ ଦଣ୍ଡ ଭୋଗିବା ପରେ ସୋମବାର ହାଇକୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି।

ସାରଥୀଙ୍କ ନାଁରେ ମୋଟ ୩ଟି ମାମଲା ଥିଲା। ପୂର୍ବରୁ ଓଡ଼ିଶା ହାଇକୋର୍ଟରୁ ଦୁଇଟି ଜାମିନ ମିଳି ସାରିଥିବା ବେଳେ ଆଜି ତାଙ୍କୁ ଆଉ ଗୋଟିଏ ମାମଲାରେ ଜାମିନ ମିଳିଛି। ୨ ଲକ୍ଷ ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ସାରଥୀଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି।

Comment