ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଲ୍ଲାର ସମସ୍ୟା ସହ ସବୁବେଳେ ଜଡ଼ିତ ହୋଇ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଛାତ୍ରଛାତ୍ରୀଙ୍କ ଗହଣରେ ସମୟ କାଟିଛନ୍ତି। ଆଜି ଜିଲ୍ଲାପାଳ ସକାଳୁ ସକାଳୁ ଗରଦପୁର ବ୍ଲକର ପାଟକୁରା ହାଇସ୍କୁଲରେ ପହଞ୍ଚି ଯାଇଥିଲେ। ପ୍ରଥମ ପିରିୟଡ ଆରମ୍ଭ ହେଉ ହେଉ ବିଦ୍ୟାଳୟରେ ହଠାତ ଜିଲ୍ଲାପାଳଙ୍କୁ ଦେଖି ଶିକ୍ଷକ ମାନେ ହଡବଡେଇ ଯାଇଥିଲେ।

ବିଦ୍ୟାଳୟର ପାଠପଢା କିପରି ଚାଲିଛି ତାହା ଜାଣିବାକୁ ଦଶମ ଶ୍ରେଣୀ ଗୃହରେ ପ୍ରବେଶ କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା। ସେହି ସମୟରେ ଗଣିତ ଶିକ୍ଷକ ପୁଲକ କୁମାର ପରିଡ଼ା ଗଣିତର ଏରିଥମେଟିକ ପ୍ରୋଗ୍ରେସନ ବିଷୟରେ ପାଠ ପଢ଼ାଉଥିଲେ। ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ଏରିଥମେଟିକ ପ୍ରୋଗ୍ରେସନ ବିଷୟର ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ନିଜେ ମଧ୍ୟ ପିଲାମାନଙ୍କୁ ଗଣିତ ପଢାଇବା ଆରମ୍ଭ କରିଥିଲେ।

ଜିଲ୍ଲାପାଳଙ୍କ ବିଭିନ୍ନ ପ୍ରଶ୍ନରେ ଛାତ୍ରଛାତ୍ରୀମାନେ ମଧ୍ୟ ସଠିକ ଉତ୍ତର ଦେଇଥିଲେ। ଅଧିକ ସଠିକ ଉତ୍ତର ଦେଇଥିବା ଦଶମ ଶ୍ରେଣୀର ଛାତ୍ରୀ ଲୋନି ସାହୁଙ୍କ ଉତ୍ତରରେ ଖୁସି ହୋଇ ନିଜ ପକେଟରୁ ଏକ ଦାମୀ କଲମ ଉପହାର ଦେଇଥିଲେ।

ଖାଲି ଦଶମ ଶ୍ରେଣୀ ନୁହେଁ, ୪ର୍ଥ ଶ୍ରେଣୀରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ଶିକ୍ଷାର ଦକ୍ଷତା ପରୀକ୍ଷା କରିଥିଲେ ଜିଲ୍ଲାପାଳ। ବ୍ଲାକବୋର୍ଡରେ ଛାତ୍ରଛାତ୍ରୀମାନେ କିପରି ଲେଖି ପାରୁଛନ୍ତି ତାହା ଜାଣିବାକୁ ଚାହିଁଥିଲେ। ବ୍ଲାକବୋର୍ଡରେ ନିଜର ସ୍କୁଲର ନାମ ଲେଖିବାକୁ ପିଲାମାନଙ୍କୁ କହିଥିଲେ ଜିଲ୍ଲାପାଳ। ପିଲାମାନେ ସଠିକ ଭାବରେ ବ୍ଲାକବୋର୍ଡରେ ଲେଖାଲେଖି କରିପାରୁଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷକଙ୍କ ଦ୍ଵାରା ଆହୁରି ଅଧିକ କଲମ ବଜାରରୁ କିଣାଇ ପିଲାମାନଙ୍କୁ ଉପହାର ଦେଇଥିଲେ।

ସ୍କୁଲରେ ପରିମଳ ବ୍ୟବସ୍ଥାର ଅଭାବ ଥିବା ଅନୁଭବ କରିଥିଲେ ଜିଲ୍ଲାପାଳ। ବିଦ୍ୟାଳୟକୁ ସଫାସୁତୁରା ରଖିବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ପରିସରରେ ସ୍ଵଚ୍ଛ ପାନୀୟ ଜଳ ଅଭାବ ସମ୍ପର୍କରେ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ।

ଜିଲ୍ଲାପାଳ କହିଥିଲେ, ‘‘ବିଦ୍ୟାଳୟରେ ପହଞ୍ଚିବା ବେଳେ ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ। ବିଦ୍ୟାଳୟରେ ଶିକ୍ଷା ବାତାବରଣ ଯାହା ରହିଛି ତାହା ଆହୁରି ସଜାଡିବାର ଆବଶ୍ୟକତା ରହିଛି।’’

ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ସଜାଡିବାକୁ ଜିଲ୍ଲାପାଳ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାଛଡ଼ା ଶିଘ୍ର ବିଦ୍ୟାଳୟ ପରିସରରେ ଏକ ଗଭୀର ନଳକୂଅ ଖନନ ପାଇଁ ଗରଦପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Comment