ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ମଲିକୁଲାର୍ ଜେନୋମିକ୍ ଡାଇଗ୍ନୋଷ୍ଟିକ୍ ଆଣ୍ଡ ରିସର୍ଚ୍ଚ ଲାବ୍ରୋଟୋରୀ ଲୋକାର୍ପିତ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହାକୁ ଲୋକାର୍ପିତ କରିଛନ୍ତି। ପ୍ରାୟ ୩୨ କୋଟି ଟଙ୍କା ବ୍ୟୟରେ ଏହି ଲ୍ୟାବ ନିର୍ମାଣ କରାଯାଇଛି।

ବାୟୋକେମେଷ୍ଟ୍ରି ବିଭାଗ ଅଧିନରେ ପ୍ରତିଷ୍ଠା ହୋଇଥିବା ଏହି ଅତ୍ୟାଧୁନିକ ପରୀକ୍ଷା ମେସିନ୍ ଓ ଲ୍ୟାବ୍ ଦ୍ୱାରା କ୍ୟାନସର ସମେତ ଅନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ହେଉଥିବା ଗରିବ ରୋଗୀମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ଏଥିପାଇଁ କୌଣସି ରୋଗୀଙ୍କୁ ଟଙ୍କାଟିଏ ମଧ୍ୟ ଦେୟ ଦେବାକୁ ପଡିବ ନାହିଁ।

ଏହି ଅତ୍ୟାଧୁନିକ ମଲିକୁଲାର୍ ଡାଇଗ୍ନୋଷ୍ଟିକ୍ ଲାବ୍ ହେବା ଫଳରେ ଜିନ୍ ଷ୍ଟଡି ବା ଡିଏନ୍ଏ ଟେଷ୍ଟ, କ୍ୟାନସର, ମ୍ୟାଲେରିଆ, ଟିବି ଆଦି ଜଟିଳ ରୋଗ ଏସ୍‌ସିବି ଡାକ୍ତରଖାନାରେ ସହଜରେ ନିରୂପଣ କରାଯାଇ ପାରିବ। ଏହି ବ୍ୟବସ୍ଥା ପୂର୍ବରୁ ଆମ ରାଜ୍ୟରେ ନଥିବାରୁ ଜିନ୍ ଷ୍ଟଡି ସମେତ ଅନ୍ୟାନ୍ୟ ଜଟିଳ ରୋଗ ନିରୂପଣ ପାଇଁ ରୋଗୀଙ୍କ ଶରୀରରୁ ନମୂନା ସଂଗ୍ରହ କରାଯାଇ ବାହାରକୁ ପଠାଯାଉଥିଲା।

ଏସ୍‌ସିବି ଡାକ୍ତରଖାନାରେ ଉକ୍ତ ମଲିକୁଲାର ଡାଇଗ୍ନୋଷ୍ଟିକ୍ ଲାବ୍ ପ୍ରତିଷ୍ଠା ହେବା ପରେ ନମୂନା ଆଉ ବାହାରକୁ ପଠାଇବାକୁ ପଡ଼ିବ ନାହିଁ। ସେହିପରି ରୋଗୀଙ୍କୁ ପରୀକ୍ଷା ନିରୀକ୍ଷା ବାବଦରେ ଆଉ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି।

ଏହି ଲୋକାର୍ପଣ ଉତ୍ସବରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ଏସ୍‌ସିବି ମେଡିକାଲ୍ କଲେଜ୍ ଅଧ୍ୟକ୍ଷ ପ୍ରଫେସର ଜୟଶ୍ରୀ ମହାନ୍ତି, ଡାକ୍ତରଖାନା ଅଧିକ୍ଷକ ପ୍ରଫେସର ସି ବି କେ ମହାନ୍ତି ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।

Comment