ଓଡ଼ିଶାଲାଇଭ୍ ବ୍ୟୁରୋ
ମହେନ୍ଦ୍ର ସିଂ ଧୋନି ଆଜି ବି ଦିନିକିଆ ଓ ଟି-୨୦ରେ ଭାରତର ଶ୍ରେଷ୍ଠ ଫିନିସର୍ ଓ ୱିକେଟକିପର। ଏହି କଥା କହିଛନ୍ତି ଟିମ୍ ଇଣ୍ଡଆର ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ। ବୁଧବାର ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଏମ୍ଏସ୍କେ ପ୍ରସାଦ ଏଭଳି ମନ୍ତବ୍ୟ ଦେଇଛନ୍ତି।
ସେ କହିଛନ୍ତି ଯେ, “ଯଦି ଭାରତ ୨୦୧୯ କ୍ରିକେଟ ବିଶ୍ୱକପର ସେମିଫାଇନାଲରେ ବିଜୟୀ ହୋଇଥାନ୍ତା ତେବେ ଏହାର ସମସ୍ତ ଶ୍ରେୟ ଏମଏସ୍ ଧୋନି ଓ ରବୀନ୍ଦ୍ର ଜାଡେଜାଙ୍କୁ ଯାଇଥାନ୍ତା। ବିଶ୍ୱକପ ସେମିଫାଇନାଲରେ ଭାରତର ଟପ ଅର୍ଡର ବ୍ୟାଟ୍ସମ୍ୟାନ ବିଫଳ ହେବାପରେ ଧୋନି ଯେଭଳି ଭାବେ ଖେଳିଲେ ତାହା ତାଙ୍କର କ୍ୟାରିଅରର ଏକ ଶ୍ରେଷ୍ଠ ଇଂନିସ।”
ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ବର୍ତ୍ତମାନ କଶ୍ମୀରରେ ଭାରତୀୟ ସେନାରେ ଡ୍ୟୁଟି କରୁଛନ୍ତି। ଆଗାମୀ ୱେଷ୍ଟଇଣ୍ଡିଜ୍ ସିରିଜ୍ ପାଇଁ ଧୋନି ନିଜ ତରଫରୁ ଖେଳିବାକୁ ମନା କରିଦେଇଥିଲେ। ଏଥିପାଇଁ ସମସ୍ତ ଫର୍ମାଟରେ ପ୍ରଥମ ପସନ୍ଦର ୱିକେଟକିପର ଭାବେ ରିଷଭ ପନ୍ତ ଦଳରେ ସାମିଲ ହୋଇଛନ୍ତି।
ସେହିପରି ଆଗାମୀ ଦକ୍ଷିଣଆଫ୍ରିକା ଓ ବାଂଲାଦେଶ ବିପକ୍ଷ ସିରିଜରେ ଧୋନିଙ୍କୁ ସ୍ଥାନ ମିଳିବ କି ନାଇଁ ପ୍ରଶ୍ନ ଉଠିଛି। ଏହାର ଉତ୍ତର ଦେବାକୁ ଯାଇ ଏମ୍ଏସ୍କେ ପ୍ରସାଦ କହିଥିଲେ ଯେ, “ପୂର୍ବରୁ ମଧ୍ୟ ମୁଁ କହିସାରିଛି ଭବିଷ୍ୟତକୁ ଦେଖି ଏବେ ଆମେ ରିଷଭ ପନ୍ତକୁ ଅଧିକରୁ ଅଧିକ ମ୍ୟାଚ୍ ଖେଳିବାକୁ ଦେଉଛୁ। ଯାହାଦ୍ୱାରା ରିଷଭଙ୍କ ଆତ୍ମବିଶ୍ୱାସ ବଢିବା ସହ ସେ ଉତ୍ତମ ପ୍ରର୍ଦଶନ କରିପାରିବେ।”