ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲା ପିତାମହଲ ଗ୍ରାମପଞ୍ଚାୟତର ବିଷ୍ଣୁଗୁଡ଼ା ବାଲୁଜୋଡ଼ି ନଦୀ ଉପର ମୁଣ୍ଡରେ ରହିଥିବା ଏକ ଚେକ୍‌ ଡ୍ୟାମ ଏବେ ଅକାମୀ ହୋଇପଡ଼ିଛି। ଗତ ୨୦୦୯ ମସିହାରେ ଏହି ଚେକ୍ ଡ୍ୟାମ୍ ନିର୍ମାଣ ହୋଇଥିଲା। ଜମିକୁ ସିଧାସଳଖ ପମ୍ପ ଯୋଗେ ଜଳ ଯୋଗାଇବା ପାଇଁ ଏହି ଡ୍ୟାମ୍ ନିର୍ମିତ ହୋଇଥିଲା। କିନ୍ତୁ ଡ୍ୟାମ୍‌ର ମରାମତି ହୋଇପାରୁ ନଥିବାରୁ ଉକ୍ତ ନଳା ପୋତି ହୋଇଯିବା ସହ ଚେକ୍‌ ଡ୍ୟାମରେ ପାଣି ଯାଇପାରୁ ନାହିଁ। ଫଳରେ ଜମିକୁ ଜଳସେଚିତ ହୋଇପାରୁ ନାହିଁ।

ନିର୍ମାଣର ୫ବର୍ଷ ଯାଏଁ ଡ୍ୟାମଟି ସଠିକ ରୂପେ କାର୍ଯ୍ୟକାରୀ ହୋଇଥିବାବେଳେ ୨୦୧୨ମସିହା ବନ୍ୟାଜଳରେ ତାହା କ୍ଷତିଗ୍ରସ୍ତ ହୋଇଥିଲା। ତାହା ପରଠାରୁ ଆଜିଯାଏଁ ଏହା ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଫଳରେ ଉକ୍ତ ଚେକ୍‍ଡ୍ୟାମ ଯେଉଁ ଉଦ୍ଦେଶ୍ୟ ନେଇ ନିର୍ମାଣ କରାଯାଇଥିଲା ତାହା ସାଧିତ ହୋଇପାରୁନାହିଁ।

ସ୍ଥାନୀୟ ଅଞ୍ଚଳର ଚାଷୀ ବାରମ୍ବାର ଏ ନେଇ ସମ୍ପୃକ୍ତ ଅଧିକାରୀ ଏବଂ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କିଛି ସୁଫଳ ମିଳୁନାହିଁ ବୋଲି ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି।

ଅପରପକ୍ଷେ ଉକ୍ତ ଚେକ୍‌ ଡ୍ୟାମ ଯୋଗୁଁ ବିଗତ ଦିନରେ ପିତାମହଲ, ବିଷ୍ଣୁଗୁଡ଼ା, ହରିପୁର ଅଞ୍ଚଳର ଏକର ଏକର ଚାଷଜମିକୁ ବର୍ଷାଜଳ ନିରନ୍ତର ଯୋଗାଇ ହେଉଥିଲା। ଯାହାଫଳରେ ଚାଷୀ ଏଠାରେ ବର୍ଷସାରା ପନିପରିବା ସାଙ୍ଗକୁ ଶସ୍ୟଜାତୀୟ ଫସଲ ଧାନ, ମାଣ୍ଡିଆ, ମକା ଇତ୍ୟାଦି ଚାଷ କରି ଉପକୃତ ହେଉଥିଲେ।

‘‘ଦୀର୍ଘ ଦିନରୁ ଡ୍ୟାମଟି ପରିତ୍ୟକ୍ତ ହୋଇ ପଡ଼ିରହିଥିବାରୁ ଖରିଫ ଋତୁରେ ବର୍ଷା ଜଳ ସଂରକ୍ଷଣ କରି ରଖାଯାଇପାରୁନାହିଁ। ଫଳରେ ଧାନ, ମାଣ୍ଡିଆ ଚାଷ ବ୍ୟତୀତ ଅନ୍ୟ କୌଣସି ଫସଲ ହେଇ ପାରୁ ନାହିଁ କହିଛନ୍ତି’’ , ଚାଷୀ ମଦନ ହୀମିରିକା ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ‘‘ବର୍ଷତମାମ୍‍ ଚାଷ କାର୍ଯ୍ୟ ପାଇଁ କ୍ଷେତରେ ପାଣି ଆବଶ୍ୟକ ରହିଛି। ପନିପରିବା ଚାଷ ପାଇଁ ଏହି ଅଞ୍ଚଳର ମାଟି ଅତ୍ୟନ୍ତ ଉର୍ବର ଥିବା ବେଳେ ଉକ୍ତ ଚାଷ ପାଇଁ ପାଣି ଜରୁରୀ। ସ୍ଥାନୀୟ ଅଞ୍ଚଳବାସୀ ଚାଷ ପ୍ରତି ଆଗ୍ରହ ରଖୁଥିବାବେଳେ ଚାଷଜମିକୁ ପାଣି ନପହଞ୍ଚିବାରୁ ଅନେକ କୃଷକ ଚାଷଠାରୁ ମୁହଁ ମୋଡି ଦାଦନ ପାଇଁ ପଡୋଶୀ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।’’

ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଅସିତ କୁମାର ଦାସଙ୍କୁ ପ୍ରଶ୍ନ କରିବାରୁସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ତାଙ୍କ ପାଖରେ ଏସମ୍ପର୍କିତ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ। ଆଗାମୀ ଦିନରେ ସମ୍ପୃକ୍ତ ଚେକ୍‌ ଡ୍ୟାମକୁ ଅନୁସନ୍ଧାନ କରାଯିବ।

Comment