ନୀଳାମ୍ବର ରଥ ଓ ସିତାଂଶୁ ଶେଖର ସୂତାର

୨୦୨୦ ମଧ୍ୟ ଭାଗରେ ଆରମ୍ଭ ହେବାକୁ ଥିବା ଜିଓ ମିକ୍ସଡ୍ରିଆଲିଟି ସେବା ଭାରତୀୟ ଡିଜିଟାଲ ବଜାରକୁ ବେଶ୍ଉଷ୍ମ କରିବ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ଅଧିବେଶନ ବେଳେ କମ୍ପାନିର ସିଏମ୍‌ଡି ମୁକେଶ ଅମ୍ବାନି ପୁଅ ଆକାଶ, ଝିଅ ଈଷା ଏବଂ କମ୍ପାନିର ପ୍ରେସିଡେଣ୍ଟ କିରନ୍‌ ଥୋମାସ୍‌ଙ୍କୁ ମଞ୍ଚ ଉପରକୁ ଡାକିଥିଲେ। ସେତେବେଳେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା କି ସେମାନେ, କି ଚମକ ଦେଖାଇବେ? ତେବେ ମାତ୍ର ୧୫ ମିନିଟ ମଧ୍ୟରେ ସେମାନେ ପ୍ରେଜେଣ୍ଟସନରେ ସମସ୍ତଙ୍କୁ ଚମକାଇ ଦେଇଥିଲେ। ଏଥିରେ କେବଳ ରିଲାଏନ୍ସର ଅଂଶୀଦାର ନୁହନ୍ତି ବରଂ ଦେଶ ବିଦେଶରେ ରହି ଟେଲିଭିଜନ ଓ ଡିଜିଟାଲ ମିଡିଆ ମାଧ୍ୟମରେ ସିଧାସଳଖ କାର୍ଯ୍ୟକ୍ରମ ଦେଖୁଥିବା ଲୋକେ ମଧ୍ୟ କମ୍ପାନିର ଦୂରଦୃଷ୍ଟିର ଏକ ନମୁନା ଦେଖିବାକୁ ପାଇଥିଲେ। ଏହି ନମୁନା ହେଲା – ମିକ୍ସଡ୍‌ ରିଆଲିଟି ବା ଏମ୍‌ଆର୍‌।

ଏମ୍‌ଆର୍‌ର ଅର୍ଥ ହେଉଛି ମିକ୍ସଡ୍‌ ରିଆଲିଟି। ଆପଣମାନେ ଅଗ୍‌ମେଣ୍ଟେଡ୍‌ ରିୟାଲିଟି(ଏଆର୍‌) ଏବଂ ଭର୍ଚୁଆଲ ରିଆଲିଟି(ଭିଆର୍‌) ବାବଦରେ ଜାଣିଥିବେ। ଏବେ ଜିଓ ଏହି ଦୁଇଟି ଅତ୍ୟାଧୁନିକ ଫିଚର୍‌କୁ ଯୋଡ଼ି ପ୍ରସ୍ତୁତ କରିଛି ମିକ୍ସଡ୍‌ ରିଆଲିଟି(ଏମ୍‌ଆର)। ସେପ୍ଟେମ୍ବର ୫ ତାରିଖରୁ ଜିଓ ଗିଗା ଫାଇବରର ଲଞ୍ଚିଂ ଭାରତୀୟ ଡିଜିଟାଲ ଦୁନିଆ ପାଇଁ ଏକ ବଡ଼ ଖବର। ତେବେ ତା’ ସହିତ ମିକ୍ସଡ୍‌ ରିଆଲିଟିକୁ ଯୋଡ଼ି ରିଲାଏନ୍ସ ଟିମ୍‌ ଆଗାମୀ ଦିନରେ ଲୋକଙ୍କୁ ସପିଂ, ଗେମିଂ ଏବଂ ମନୋରଞ୍ଜନ କ୍ଷେତ୍ରରେ ଯେଉଁ ସ୍ୱତନ୍ତ୍ର ଅନୁଭୂତି ଦେବାକୁ ଯାଉଛନ୍ତି, ମୁକେଶଙ୍କ ଏହି ତିନି ମୂର୍ତ୍ତି ତାହା ପ୍ରଦର୍ଶନ କରିଥିଲେ।

ଅନ୍ଲାଇନ୍ସପିଂ କ୍ଷେତ୍ରରେ ଏମ୍ଆର୍ ପ୍ରୟୋଗ

ରିଲାଏନ୍ସ ପରିବାର ଆଗରେ ଏହି ମିକ୍ସଡ ରିଆଲିଟି ବା ଏମ୍‌ଆର୍‌ର ଚମତ୍କାରିତା ଦେଖାଇବା ବେଳେ ଆକାଶ, ଈଶା ଓ କିରନ୍‌ ଜିଓ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ଏମ୍‌ଆର୍‌ ହେଡ୍‌ସେଟ୍ ପିନ୍ଧିଥିଲେ। ଆକାଶ ପ୍ରଥମେ ସପିଂ କରିବାକୁ ଚାହିଁଥିଲେ। ଏକ ଅନ୍‌ଲାଇନ୍‌ ଷ୍ଟୋରରୁ ସାର୍ଟ କିଣିବାକୁ ଚାହିଁଥିଲେ ସେ।

ଘରେ ବସି ନିଜ ପାଇଁ ପୋଷକ କିଣିବାବେଳେ କିପରି ମିଳିବ ସୋରୁମ୍‌ର ଅନୁଭବ? ବିଶେଷକରି ଅନ୍‌ଲାଇନ୍‌ ସପିଂ ବେଳେ କିପରି ମିଳିବ ଟ୍ରାଏଲ୍‌ ରୁମ୍‌ର ଅନୁଭୂତି? ଏହି ପ୍ରଶ୍ନର ଉତ୍ତର ମିଳିଥିଲା ଯେତେବେଳେ ସ୍କ୍ରିନ୍‌ରେ ଆସୁଥିବା ଏକ ୩ଡି ଇମେଜ୍‌ ଭିତରେ ଆକାଶଙ୍କ ଚେହେରା ଆସିଯାଇଥିଲା।

ନୀଳ କି କଫି କେଉଁ ରଙ୍ଗର ସାର୍ଟଟି ତାଙ୍କୁ ଭଲ ଦେଖାଯିବ, ଏହି ନିଷ୍ପତ୍ତି ମଧ୍ୟ ୩ଡି ଛବି ଦେଖି ନେବା ସହଜ ହୋଇଥିଲା। ଈଷା ଭାଇ ପାଇଁ କଫି କଲର ସାର୍ଟ ବାଛିବା ପରେ ଆକାଶ ତାଙ୍କୁ କାର୍ଟରେ ଆଡ୍‌ କରିଥିଲେ।

ଚମକିବ ଗେମିଂ ଦୁନିଆ

ବିଶ୍ୱ ଗେମିଂ ମାର୍କେଟ୍‌ରେ ଭାରତର ଏକ ବଡ଼ ଅଂଶ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଭାରତର ଏହି ଭବିଷ୍ୟତର ବିଶାଳ ଗେମିଂ ବଜାରକୁ ଏକ ପ୍ରକାର ନିୟନ୍ତ୍ରଣ କରିବାକୁ ବାହାରିଛି। ଜିଓ ମିକ୍ସଡ୍‌ ରିଆଲିଟି ପ୍ଲାଟଫର୍ମରେ ଗ୍ରାହକମାନଙ୍କୁ ଅନ୍‌ଲାଇନ୍‌ ଗେମିଂ କ୍ଷେତ୍ରରେ କିଭଳି ନୂଆ ଏବଂ ଚମତ୍କାର ଅନୁଭବ ମିଳିବ ସେଥିପାଇଁ ରିଲାଏନ୍ସ ଆଇଟି ଟିମ୍‌ କାମ କରୁଛି।

ସୋମବାର ଦିନ ବାର୍ଷିକ ଅଧିବେଶନ ବେଳେ ଆକାଶ, ଈଶା ଏବଂ କିରନ୍‌ ଏମ୍‌ଆର୍‌ ହେଡ୍‌ସେଟ୍‌ ମାଧ୍ୟମରେ ଗେମିଂର ଏହି ନୂଆ ଫିଚର ନିଜେ ଦେଖିଥିଲେ ଓ ଦର୍ଶକମାନଙ୍କୁ ଏଲ୍‌ଇଡି ସ୍କ୍ରିନ୍ ମାଧ୍ୟରେ ଦେଖାଇଥିଲେ। ଏହି ପ୍ଲାଟଫର୍ମରେ ଦେଶ ବିଦେଶରେ ରହି ଏକାଧିକ ବ୍ୟକ୍ତି କିଭଳି ଅନ୍‌ଲାଇନ୍‌ ଗେମ୍‌ରେ ଭାଗ ନେଇପାରିବେ ତା’ର ଏକ ଝଲକ ଦେଖିବାକୁ ମିଳିଥିଲା।

ଭାରତୀୟ ଗେମିଂ ବଜାରକୁ ନୂଆ ଟେକ୍ନୋଲୋଜି ଆଣିବା ସହ ଏହାକୁ ଆକର୍ଷଣୀୟ କରିବା ପାଇଁ ଜିଓ ପୃଥିବୀର ବିଭିନ୍ନ ପ୍ରସିଦ୍ଧ ଗେମିଂ ସଫ୍ଟୱେର୍ ସହିତ ବୁଝାମଣା କରିଛି। ତା’ ମଧ୍ୟରେ ରହିଛି ମାଇକ୍ରୋସଫ୍ଟ ଗେମ୍‌ ଷ୍ଟୁଡିଓଜ୍‌, ଗେମ୍‌ଲଫ୍ଟ ଏବଂ ଟେନ୍‌ସେଣ୍ଟ ଗେମ୍‌ସ।

ଶିକ୍ଷା ମନୋରଞ୍ଜନ

ଆଗାମୀ ଦିନରେ ଜିଓ ଆଣୁଥିବା ମିକ୍ସଡ୍‌ ରିଆଲିଟି, ଡିଜିଟାଲ ମିଡିଆରେ ଶିକ୍ଷା ଓ ମନୋରଞ୍ଜନ କ୍ଷେତ୍ରରେ ଦର୍ଶକମାନଙ୍କୁ ସମ୍ପୂର୍ଣ୍ଣ ନୂଆ ଅନୁଭୂତି ଦେବାକୁ ଲକ୍ଷ୍ୟ ରଖିଛି। ଅନ୍‌ଲାଇନ୍‌ ଲର୍ଣ୍ଣିଂର ଏକ ଉଦାହରଣ ଦେବାକୁ ଯାଇ ମୁକେଶଙ୍କ ଝିଅ ଈଶା ଚନ୍ଦ୍ରାୟନ ସମ୍ପର୍କରେ ଏକ ମଲ୍‌ଟିମିଡିଆ ଭିଡିଓ ଦେଖାଇଥିଲେ। ମିକ୍ସଡ୍‌ ରିଆଲିଟି କିଭଳି ଗୋଟେ ବିଷୟକୁ ଦେଖିବାକୁ ଅଧିକ ଆକର୍ଷଣୀୟ ଏବଂ ବୁଝିବାକୁ ସରଳ କରିଦେଇପାରେ ସେବାବଦରେ ଈଶା ଜୋର ଦେଇଥିଲେ।

ସେହିପରି ଏଣ୍ଟରଟେନ୍‌ମଣ୍ଟ ବା ମନୋରଞ୍ଜନ ଦୁନିଆରେ ୩ଡି ଭିଡିଓ ପରେ ଏବେ ଭର୍ଚୁଆଲ ରିଆଲିଟି ଏକ ଆକର୍ଷଣୀୟ ବିଷୟ ପାଲଟିଛି। ତେବେ ଏହାକୁ ଏକ ପାଦ ଆଗକୁ ନେଇ ଜିଓ ଦେବାକୁ ଯାଉଛି ଏଆର୍‌ ଓ ଭିଆର୍‌ର ସମନ୍ୱୟରେ ପ୍ରସ୍ତୁତ ଏମ୍‌ଆର ବା ମିକ୍ସଡ୍‌ ରିଆଲିଟିର ଚମତ୍କାର ଅନୁଭବ।  ଜିଓ ପ୍ରସ୍ତୁତ ଏମ୍‌ଆର ହେଡ୍‌ସେଟ୍‌ ପିନ୍ଧି ଜଣେ ଦର୍ଶକ ନିଜ ଘର ଟିଭି ସାମ୍ନାରେ ବସି କିଭଳି ସିନେମା ଥିଏଟର ଅନୂଭବ ପାଇ ପାରେ ତାହା ଦେଖାଇଥିଲେ ଜିଓର ଏହି ୟଙ୍ଗ୍‌ ଟିମ୍‌।

ଜିଓ ଗିଗା ଫାଇବର ହେବ ଗେମ୍ଚେଞ୍ଜର

ଜିଓ ପକ୍ଷରୁ ଆସୁଥିବା ଗିଗା ଫାଇବର ଏବେ ଭାରତୀୟ ଟେଲିଭିଜନ ଦର୍ଶକ ପାଇଁ ଏକ ଗେମ୍‌ ଚେଞ୍ଜର ହେବାକୁ ଯାଉଛି। ତେବେ କେବଳ ଟେଲିଭିଜନ ଚ୍ୟାନେଲ ବା ଅନ୍‌ଲାଇନ୍‌ ଭିଡିଓ ଭିତରେ ଆଜି ଟିଭି ସେଟ୍‌କୁ ସୀମିତ ନରଖି ଜିଓ ମିକ୍ସଡ୍ ରିଆଲିଟିର ଯେଉଁ ଫିଚର ଯୋଡ଼ିବାକୁ ଯାଉଛି ତାହା ଲୋକଙ୍କ ଡ୍ରଇଂ ରୁମ୍‌ର ଅନୁଭବକୁ ସମ୍ପୂର୍ଣ୍ଣ ବଦଳାଇବାକୁ ଯାଉଛି।

ରିଲାଏନ୍ସ ପକ୍ଷରୁ ଗିଗା ଫାଇବରର କମର୍ସିଆଲ ଲଞ୍ଚିଂର ଘୋଷଣା ସହିତ ଜିଓ ସେଟ୍‌ ଅପ୍‌ ବକ୍ସ ବାବଦରେ ମଧ୍ୟ ସୂଚନା ଦିଆଯାଇଛି। ଏହି ସେଟ୍‌ଅପ୍‌ ବକ୍ସ ଖୁବ୍‌ଶୀଘ୍ର ବଜାରରେ ବିକ୍ରି ହେବାକୁ ଯାଉଛି। ଆଗମୀ ଦିନରେ ଜିଓ ଦେଶ ବିଦେଶର ସବୁ ପ୍ରମୁଖ ଟିଭି ଚ୍ୟାନେଲ ସହିତ ଆମଜନ ପ୍ରାଇମ୍‌ ଓ ନେଟ୍‌ଫ୍ଲିକ୍ସ ଭଳି ଓଟିଟି ପ୍ଲାଟଫର୍ମର ଭିଡିଓ କଣ୍ଟେଣ୍ଟକୁ ନିଜର ଗ୍ରାହକମାନଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟ ରଖିଛି। ଫଳରେ ସାଧାରଣ ଡିଜିଟାଲ ଗ୍ରାହକ ବା ୟୁଜରମାନେ ଅଲଗା ଅଲଗା ଡିଭାଇସ୍‌ ଓ ଏକାଧିକ ଆପ୍ଲିକେଶନ ବ୍ୟବହାର ନ କରି ଜିଓ ପ୍ଲାଟଫର୍ମରେ ସବୁ ପାଇପାରିବେ – ଜିଓ ପକ୍ଷରୁ ଏଭଳି ଏକ ଆକର୍ଷଣ ସୃଷ୍ଟି କରାଯାଇଛି।

ମିକ୍ସଡ୍‌ ରିଆଲିଟି ଫିଚରକୁ ଜିଓ ତା’ର ସେଟ୍‌ଅପ୍‌ ବକ୍ସ ମାଧ୍ୟମରେ ଯୋଡ଼ି ଦେବ। ଏଥିପାଇଁ ଜଣେ ଗ୍ରାହକଙ୍କୁ ‘ଜିଓ ହୋଲୋବୋର୍ଡ'(ଏମ୍‌ଆର ହେଡ୍‌ସେଟ୍‌)କୁ କିଣିବାକୁ ପଡ଼ିବ।

ସାରା ଭାରତରେ ଆଜି ରିଲାଏନ୍ସ ଯେତିକି ଲମ୍ବାର ଫାଇବର ଅପ୍ଟିକ୍‌ କେବଲ ବିଛାଇଛି ତାକୁ ହିସାବ କଲେ ତାହା ପୃଥିବୀର ପରିସୀମାର ୧୧ ଗୁଣା ହେବ। ବାର୍ଷିକ ଅଧିବେଶନରେ ଏହି କଥା କହି ଜିଓ ଫାଇବର ବିଶାଳ ନେଟୱର୍କ ବିଷୟରେ ସୂଚନା ଦେଇଥିଲେ ମୁକେଶଙ୍କ ପୁଅ ଆକାଶ ଅମ୍ବାନି।

ଜିଓ ସେଟ୍‌ଅପ୍‌ ବକ୍ସ ଏକ ବହୁମୂଖୀ କମ୍ୟୁନିକେସନ ଡିଭାଇସ୍‌ ହେବାକୁ ଯାଉଛି। ଏହା ମାଧ୍ୟମରେ ଜଣେ ଗ୍ରାହକ ଲ୍ୟାଣ୍ଡଲାଇନ୍‌, ଭିଡିଓ କଲିଂ ଅନ୍‌ ଟେଲିଭିଜନ, ମଲ୍ଟି ପାର୍ଟି ଭିଡିଓ କନ୍‌ଫରେନ୍‌ସିଂ, ଟେଲିଭିଜନ, ଗେମିଂ, ଅନ୍‌ଲାଇନ୍‌ ସପିଂ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସେବା ପାଇପାରିବେ। ଉଭୟ ଘରୋଇ ଗ୍ରାହକ ଏବଂ ଛୋଟ ବଡ଼ ବ୍ୟବସାୟିକ ସଂସ୍ଥା ଏଥିରୁ ଫାଇଦା ନେଇପାରିବେ।

ଜିଓ ପକ୍ଷରୁ ଗିଗା ଫାଇବର କନେକ୍ସନ ପାଇଁ ମାସିକ ୭୦୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅଲଗା ଅଲଗା ପ୍ୟାକେଜ୍‌ ରହିଛି। ଏହି ଫାଇବର ସଂଯୋଗ ନେଇ ଗ୍ରାହକମାନେ ନିଜ ପ୍ୟାକେଜ୍‌ ନେଇ ୧୦୦ ଏମ୍‌ବିପିଏସ୍‌ରୁ ୧୦୦୦ ଏମ୍‌ବିପିଏସ୍‌ ବା ୧ ଜିବିପିଏସ୍‌ ପର୍ଯ୍ୟନ୍ତ ସ୍ପିଡ୍‌ ପାଇପାରିବେ।

ଜିଓର ଏହି ବହୁ ଚର୍ଚ୍ଚିତ ଗିଗା ଫାଇବର ଆଗାମୀ ସେପ୍ଟେମ୍ବର ୫ ତାରିଖରୁ ସାରା ଦେଶରେ ଲଞ୍ଚ ହେବାକୁ ଯାଉଛି। ଗତ ବର୍ଷକ ମଧ୍ୟରେ ପ୍ରାୟ ୫ ଲକ୍ଷ ଗ୍ରାହକଙ୍କୁ ନେଇ ଏହାର ପରୀକ୍ଷାମୂଳକ ସେବା ସଫଳ ହୋଇଛି ବୋଲି ମୁକେଶ ଅମ୍ବାନି କହିଛନ୍ତି। ଆଗାମୀ ଦିନରେ ଏହି ସେବା ଦେଶର ଛୋଟବଡ଼ ୧୬୦୦ରୁ ଅଧିକ ସ୍ଥାନରେ ୨ କୋଟି ଘରୋଇ ଗ୍ରାହକ ଏବଂ ଦେଢ଼ କୋଟିରୁ ଅଧିକ ବ୍ୟବସାୟିକ ଓ ଶିଳ୍ପାନୁଷ୍ଠାନକୁ ସମ୍ପ୍ରସାରିତ କରିବା ପାଇଁ ଜିଓ ଲକ୍ଷ୍ୟ ରଖିଛି।

ଆଉ ପାଦେ ଆଗରେ ଆଇଓଟି

ଆଜି ସାରା ପୃଥିବୀରେ ଆଇଓଟିର ଚର୍ଚ୍ଚା। ଏହାର ପୁରା ନାଁ ହେଉଛି ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍ସ। ସାଧାରଣ ଭାବେ ଦେଖିଲେ ଏହାକୁ ବୁଝିବା ଏତେ ସରଳ ହୋଇନପାରେ। କିନ୍ତୁ ସରଳ ଭାବରେ କହିବାକୁ ଗଲେ ଆଗାମୀ ଦିନରେ ଆମେ ଘରେ ବାହାରେ ଏବଂ ଅଫିସ୍‌ରେ ଯେଉଁ ସବୁ ଇଲେକ୍ଟ୍ରୋନିକ୍‌ ବା ଡିଜିଟାଲ ଡିଭାଇସ୍‌ ବ୍ୟବହାର କରୁଥିବା ସେସବୁକୁ ଇଣ୍ଟରନେଟ୍‌ ଜରିଆରେ ଯଦି ଆମ ହାତମୁଠାରେ ରଖାଯାଇପାରେ ତାହାଲେ କେମିତି ହେବ।

ଇଣ୍ଟରନେଟ୍‌ ମାଧ୍ୟମରେ ପରିଚାଳିତ ବା ନିୟନ୍ତ୍ରିତ ତଥା ମଣିଷର ଦୈନନ୍ଦିନ ବ୍ୟବହାରରେ ଆସୁଥିବା ଏହି ସବୁ ଡିଭାଇସ୍‌ ବା ପ୍ରୟୋଗକୁ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍ସ ବା ଆଇଓଟି ବୋଲି କୁହାଯାଇପାରେ।

ଟେଲିକମ୍‌, ଡିଜିଟାଲ ଏବଂ ମିକ୍ସଡ୍‌ ରିଆଲିଟି କ୍ଷେତ୍ରରେ କେତେ ପାଦ ଆଗକୁ ମାଡ଼ି ଚାଲିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ପରବର୍ତ୍ତୀ ନଜର ହେଉଛି ଆଇଓଟି। ଆଗାମୀ ଦୁଇବର୍ଷ ମଧ୍ୟରେ ଭାରତରେ ୨୦୦ କୋଟିରୁ ଅଧିକ ଆଇଓଟି ଡିଭାଇସ୍‌ ବ୍ୟବହାର ହେଉଥିବ। ତା’ ଭିତରୁ ଅନ୍ତତଃ ୫୦ ଭାଗ ଜିଓ ସେବା ଅନ୍ତର୍ଗତ କରିବାକୁ ମୁକେଶ ଅମ୍ବାନି ଲକ୍ଷ୍ୟ ରଖିଛନ୍ତି।

ଜିଓର ଡିଜିଟାଲ ସଂପ୍ରସାରଣ ବିଷୟରେ କମ୍ପାନିର ସିଏମ୍‌ଡି ମୁକେଶ ଅମ୍ବାନିଙ୍କ ସ୍ଳୋଗାନ୍‌ ହେଉଛି  –  “ଡିଜିଟାଲ କନେକ୍ଟିଭିଟି ଫର୍‌ ଏଭ୍ରିୱାନ୍‌, ଆଟ୍‌ ଏଭ୍ରିପ୍ଲେସ୍‌ ୱିଥ୍‌ ଏଭ୍ରିଥିଙ୍ଗ୍‌”। ଏହି ଆହ୍ୱାନକୁ କେବଳ ବାସ୍ତବରେ ପରିଣତ କରିବା ନୁହେଁ ବରଂ ଏକ୍ଷେତ୍ରରେ ବ୍ୟବସାୟର ଏକ ନୂଆ ଧାରା ସୃଷ୍ଟି କରି ରିଲାଏନ୍ସକୁ ଏକ ଅପ୍ରତିଦ୍ୱନ୍ଦ୍ୱୀ କମ୍ପାନି ଭାବେ ଠିଆ କରାଇବାକୁ ମୁକେଶଙ୍କ ଟିମ୍ ଆଜି ଲାଗିପଡ଼ିଛନ୍ତି।

Comment