ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ

ଡିଟିଏଚ୍ (ଡାଇରେକ୍ଟ ଟୁ ହୋମ୍ ) ଏବଂ ସ୍ମାର୍ଟ ଟିଭି (ଇଣ୍ଟରନେଟ୍ ସଂଯୋଗ ଥିବା ଟେଲିଭିଜନ୍ ସେଟ୍) ଆଜି ଦେଶର ଛୋଟ ବଡ଼ ସହର ଏବଂ ଗାଁ ଗାଁରେ ଥିବା ଲୋକାଲ୍ କେବୁଲ୍ ଅପରେଟରଙ୍କ ପାଇଁ ବିପଦର କାରଣ ହୋଇଛି। ଘରେ ଘରେ ଲୋକେ ସ୍ଥାନୀୟ କେବୁଲ୍ ସଂଯୋଗ କାଟି ଡିଟିଏଚ୍ ସେବାକୁ ଆପଣାଇ ନେଉଛନ୍ତି।

ସେହିପରି ବଡ଼ ଓ ଛୋଟ ସହରରେ ଯେଉଁଠି ଇଣ୍ଟରନେଟ୍ ସେବା ସହଜ ହୋଇପାରିଛି ଆଜି ଗ୍ରାହକମାନେ ସିଧାସଳଖ ଭାବେ ସ୍ମାର୍ଟ ଟିଭି ମାଧ୍ୟମରେ ସାରା ଦୁନିଆର ଟେଲିଭିଜନ୍ ଏବଂ ଭିଡ଼ିଓ କଣ୍ଟେଣ୍ଟ ଦେଖିପାରୁଛନ୍ତି। ତେଣୁ ଏହା ଲୋକାଲ କେବୁଲ୍ ଅପରେଟର୍ ବ୍ୟବସାୟ ବୁଡାଇବାକୁ ବସିଛି। କିନ୍ତୁ ଲୋକାଲ୍ କେବୁଲ୍ ଟିଭି ବ୍ୟବସାୟର ବିରାଟ ଆକାରକୁ ବୁଝି ମୁକେଶ ଅମ୍ବାନି ଏକ ନୂଆ ବ୍ୟବସାୟ ଧାରା ସୃଷ୍ଟି କରିବାକୁ ଯାଉଛନ୍ତି।

ସୋମବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ଅଧିବେଶନ ବେଳେ ଦେଶର ଲୋକାଲ କେବୁଲ୍ ଅପରେଟରମାନଙ୍କୁ ଆହ୍ବାନ ଦେଇ ମୁକେଶ ତାଙ୍କର ଏହି ସେବା ଘୋଷଣା କରିଛନ୍ତି। ଜିଓ ପକ୍ଷରୁ ଆରମ୍ଭ ହୋଇଥିବା ଗିଗା ଫାଇବର୍ ଏବଂ ଜିଓ ସେଟଅପ୍ ବକ୍ସ ଲଗାଇ ଲୋକାଲ୍ କେବୁଲ୍ ଅପରେଟରମାନେ ଦେଶ ବିଦେଶର ଆଗଧାଡ଼ିର ଚ୍ୟାନେଲଗୁଡ଼ିକୁ ପାଇପାରିବେ ଓ ତାକୁ ଲୋକାଲ୍ କେବୁଲ୍ କନେକ୍ସନ ମାଧ୍ୟମରେ ଗ୍ରାହକଙ୍କ ପାଖରେ ପହଞ୍ଚାଇପାରିବେ।

ଦେଶର ୧ଲକ୍ଷରୁ ଅଧିକ ଲୋକାଲ୍ କେବୁଲ୍ ଅପରେଟର ଜିଓ ସେଟଅପ୍ ବକ୍ସ ମାଧ୍ୟମରେ ଏଚଡି ଚ୍ୟାନେଲ୍ ମଧ୍ୟ ପାଇପାରିବେ। ଏହାଫଳରେ ଲୋକାଲ୍ କେବୁଲ୍ ଅପରେଟରଙ୍କ ବ୍ୟବସାୟ ପ୍ରତି ଡିଟିଏଚ୍ ସେବା ଯୋଗୁଁ ସୃଷ୍ଟି ହୋଇଥିବା ବିପଦର ମୁକାବିଲା କରାଯାଇପାରିବ ବୋଲି ମୁକେଶ ଅମ୍ବାନି ପରୋକ୍ଷରେ ସୂଚନା ଦେଇଛନ୍ତି। ଏହା ଫଳରେ ଛୋଟ ବଡ଼ ଲୋକାଲ କେବୁଲ୍ ଅପରେଟରଙ୍କ ବ୍ୟବସାୟକୁ ବଞ୍ଚାଇ ରଖିବା ସହିତ କେବୁଲ୍ ଟିଭି କନେକ୍ସନ ଥିବା ଗ୍ରାହକମାନଙ୍କୁ ଅତ୍ୟାଧୁନିକ ଟେଲିଭିଜନ୍ ସେବା ଯୋଗାଇ ଦେବାରେ ସମ୍ଭବ ହୋଇପାରିବ।

ଗତ କିଛି ବର୍ଷ ମଧ୍ୟରେ ଭାରତରେ ଡିଟିଏଚ୍ ଗ୍ରାହକଙ୍କ ସେବା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ତେବେ ଇଣ୍ଟରନେଟର ପ୍ରସାର ଫଳରେ ଏହି ଗତିରେ ଧୀରେ ଧୀରେ ବ୍ରେକ୍ ଲାଗିବାକୁ ବସିଛି। ମୋବାଇଲ୍ ଟିଭିର ବ୍ୟାପକ ପ୍ରସାର, ସ୍ମାର୍ଟ ଟିଭିର ବ୍ୟବହାର ଏବଂ ବିଭିନ୍ନ ଓଟିଟି ପ୍ଲାଟଫର୍ମର ଲୋକପ୍ରିୟତା ବଢ଼ିବା ଫଳରେ ଡିଟିଏଚ୍ ବ୍ୟବସାୟ ପ୍ରତି ଧୀରେ ଧୀରେ ଆହ୍ଵାନ ସୃଷ୍ଟି ହେଉଛି। ତା’ ସାଙ୍ଗକୁ ଦେଶର ସର୍ବବୃହତ୍ ଡିଜିଟାଲ୍ କମ୍ପାନି ଜିଓ ପକ୍ଷରୁ ଲୋକାଲ୍ କେବୁଲ୍ ଅପରେଟରମାନଙ୍କୁ ଯୋଡିବା ପାଇଁ ଯେଉଁ ନୂଆ ବ୍ୟବସାୟର ଧାରା ଆରମ୍ଭ ହେବାକୁ ଯାଉଛି ତାହା ମଧ୍ୟ ଆଗାମୀ ଦିନରେ ଡିଟିଏଚ୍ ବ୍ୟବସାୟ ପ୍ରତି ଏକ ବଡ଼ ଧକ୍କା ହୋଇପାରେ।

Comment