ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ତଥା ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ଦିଗରେ କାର୍ଯ୍ୟ କରିଆସୁଛି ଓଡ଼ିଶା ଟୁରିଜିମ କନକ୍ଲେଭ। ଗତ ୩ ବର୍ଷ ଧରି ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଟୁରିଜିମ୍ କନକ୍ଲେଭ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହାର ଚତୁର୍ଥ ସଂସ୍କରଣ।

ତେବେ ଓଡ଼ିଶାରେ ଏହି ଟୁରିଜିମ କନକ୍ଲେଭର ଆବଶ୍ୟକତା କ’ଣ, ଏହା କିପରି ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବାକୁ ପ୍ରୟାସ କରୁଛି ଏନେଇ ଆମେ ଆଲୋଚନା କରିଥିଲୁ ଏଚ୍‌ଆରଏଓ ଚେୟାରମ୍ୟାନ ତଥା ସ୍ୱସ୍ତି ଗ୍ରୁପ ସିଏମ୍‌ଡି ଜେ କେ ମହାନ୍ତିଙ୍କ ସହ।

ଓଡ଼ିଶାଲାଇଭ୍‌ ସହ ଆଲୋଚନା କରି ଜେ କେ ମହାନ୍ତି କହିଛନ୍ତି, ” ଓଡ଼ିଶାରେ ଭିତରକନିକା, ଶିମିଳିପାଳ, ସାତକୋଶିଆ, କୋରାପୁଟ, ଫୁଲବାଣୀ, ଦାରିଙ୍ଗିବାଡ଼ି ଭଳି ଅନେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି। କିନ୍ତୁ ପର୍ଯ୍ୟଟକଙ୍କ ରହଣି ପାଇଁ କୌଣସି ସୁବିଧା ସୁଯୋଗ ନାହିଁ। ତେବେ ବର୍ତ୍ତମାନ ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ହୋଟେଲ ଶିଳ୍ପର ବ୍ୟାପକ ବିକାଶ ହେବାର ଆବଶ୍ୟକତା ରହିଛି।”

ଓଡ଼ିଶା ଟୁରିଜିମ୍‌ର ୱେବସାଇଟକୁ ମିଳିଲା ନୂଆ ରୂପ

ଏଚ୍‌ଆରଏଓ ଚେୟାରମ୍ୟାନ ତଥା ସ୍ୱସ୍ତି ଗ୍ରୁପର ସିଏମ୍‌ଡି ଜେ କେ ମହାନ୍ତି କହିଥିଲେ ଯେ, ବିଗତ ବର୍ଷରେ ଓଡ଼ିଶା ଟୁରିଜିମ୍ କନକ୍ଲେଭରେ ଆଲୋଚନା ହୋଇଥିବା ବିଷୟ ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ୍‌ ଉପଯୋଗୀ ହୋଇଛି।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପର୍ଯ୍ୟଟନକୁ ଅନ୍ୟ ରାଜ୍ୟ ସହ ତୁଳନ କରିବା ଦ୍ୱାରା ଜଣାପଡ଼ିଥିଲା ଯେ, ଓଡ଼ିଶା ଟୁରିଜିମ୍‌ର ୱେବସାଇଟ୍ ଏକ ପ୍ରକାରର ପୁରୁଣା ହୋଇଯାଇଛି। ସେହିପରି ଓଡ଼ିଶା ପର୍ଯ୍ୟଟନର ଡିଜିଟାଲ ମାକେଟିଂ ହେଉନଥିବା ଜଣାପଡ଼ିଥିଲା। ଓଡ଼ିଶା ଟୁରିଜିମ୍ କନକ୍ଲେଭରେ ପ୍ରସ୍ତାବିତ ହୋଇଥିବା ବିଭିନ୍ନ ପ୍ରେଜେଣ୍ଟସନ ମାଧ୍ୟମରେ ପ୍ରଥମେ ଓଡ଼ିଶା ଟୁରିଜିମ୍‌ର ୱେବସାଇଟ୍‌କୁ ଏକ ନୂଆ ରୂପ ଦିଆଯାଇଥିବା ଜେ କେ ମହାନ୍ତି କହିଛନ୍ତି।

ବର୍ତ୍ତମାନ ଓଡ଼ିଶା ଟୁରିଜିମ୍‌ର ୱେବସାଇଟ୍ ଏକ ଚମତ୍କାର ୱେବସାଇଟ୍ ଭାବେ କାର୍ଯ୍ୟକାରୀ ହେଉଛି।

ଓଡ଼ିଶା ଟୁରିଜିମ୍‌ର ପ୍ରଚାର ପ୍ରସାର

ଡଜିଟାଲ ମିଡିଆରେ ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଶା ଟୁରିଜିମ୍‌ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।

ଜାତୀୟ ତଥା ଅନ୍ତର୍ଜାତୀୟ ମିଡିଆ ଚ୍ୟାନେଲ୍‌ରେ ଓଡ଼ିଶା ଟୁରିଜିମ୍‌ର ବିଜ୍ଞାପନ ଦିଆଯାଉଛି। ଓଡ଼ିଶାରେ ଆୟୋଜିତ ହୋଇଥିବା ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଭଳି ଅନ୍ତର୍ଜାତୀୟ ଖେଳ ଦ୍ୱାରା ଓଡ଼ିଶା ଟୁରିଜିମ୍‌ର ପ୍ରଚାର ପ୍ରସାରରେ ବୃଦ୍ଧି ଦେଖିବାକୁ ମିଳିଛି। ଖେଳକୁ ନେଇ ବର୍ତ୍ତମାନ ଓଡ଼ିଶାରେ ‘ସ୍ପର୍ଟସ ଟୁରିଜିମ୍‌’ ନାମରେ ଏକ ନୂଆ ମାର୍କେଟିଂ ଆରମ୍ଭ ହେବାକୁ ଯାଉଥିବା

ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ରାଜ୍ୟ ଟୁରିଜିମ୍‌ ଅଧିକାରୀଙ୍କ ସହବନ୍ଧତାରେ ଏହାକୁ ଆଗକୁ ନେବାକୁ ଚେଷ୍ଟା ଜାରି ରଖାଯାଇଥିବା ଏଚଆରଏଓର ଚେୟାରମ୍ୟାନ ଜେକେ ମହାନ୍ତି କହିଛନ୍ତି।

ଓଡ଼ିଶାରେ ହୋଟେଲ ଶିଳ୍ପର ବ୍ୟାପକ ବିକାଶର ଆବଶ୍ୟକତା ରହିଛି

ଜେକେ ମହାନ୍ତି କହିଛନ୍ତି ଷଯ, ବର୍ତ୍ତମାନ ଏଚଆରଏଓ ହୃଦୟଙ୍ଗମ କରୁଛି ଯେ, ଟୁରିଜିମ୍‌ ସେକ୍ଟରରେ ଓଡ଼ିଶା ଆଗ ଧାଡ଼ିକୁ ଆସୁ। ଓଡ଼ିଶାର ଭିତରକନିକା, ଶିମିଳିପାଳ, ସାତକୋଶିଆ, କୋରାପୁଟ, ଫୁଲବାଣୀ, ଦାରିଙ୍ଗିବାଡ଼ି ଭଳି ଅତି ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଛି। କିନ୍ତୁ ଏଠାରେ ରହିବା ପାଇଁ କୌଣସି ସୁବିଧା ନାହିଁ। ଏଥିପାଇଁ ରାଜ୍ୟର ଏହି ପର୍ଯ୍ୟଟନସ୍ଥଳଗୁଡ଼ିକରେ ହେଟେଲ ଶିଳ୍ପ ବ୍ୟାପକ ଅଗ୍ରଗତି କରିବାକୁ ପଡ଼ିବ।

ପର୍ଯ୍ୟଟନ ହେଉଛି ଏକମାତ୍ର ଶିଳ୍ପ ଯାହା ସାହାଯ୍ୟରେ ଏକ ଓଡ଼ିଶାରେ ବିଶାଳ ନିଯୁକ୍ତି ସୃଷ୍ଟି ହୋଇପାରିବ। ରାଜ୍ୟ ସରକାରଙ୍କୁ ଏହି କ୍ଷେତ୍ରରେ ଭଲ ରାଜସ୍ୱ ମଧ୍ୟ ମିଳିପାରିବ। ଅନ୍ତର୍ଜାତୀୟ ଅର୍ଥନୀତିରେ ହ୍ରାସ ଦେଖାଯାଉଥିବା ବେଳେ କେବଳ ପର୍ଯ୍ୟଟନ ଶିଳ୍ପ ଦ୍ୱାରା ହିଁ ଏହାକୁ ବୃଦ୍ଧି କରାଯାଇପାରିବ। ଅର୍ଥନୀତିର ଅଗ୍ରଗତିରେ ଟୁରିଜିମ୍‌ର ଏକ ବିଶାଳ ଯୋଗଦାନ ରହିଥିବା ଏଚଆରଏଓର ଚେୟାରମ୍ୟାନ ଜେକେ ମହାନ୍ତି କହିଛନ୍ତି।

ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌ କିପରି କାର୍ଯ୍ୟକାରୀ ହେଉଛି?

ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌ରେ ପର୍ଯ୍ୟଟନ ସହ ଜଡ଼ିତ ବ୍ୟକ୍ତିବିଶେଷ ଯଥା ହୋଟେଲ ମାଲିକ, ଟୁର୍ ଅପରେଟର୍, ମଡିଆ, ଡିଜିଟାଲ ମାର୍କେଟର୍ସ, ବ୍ଲଗର୍ସ, ପଲିସି ମେକର୍ସ, ସରକାରୀ ଅଧିକାରୀ, ବିଭିନ୍ନ ଉଦ୍ୟୋଗୀ ଯୋଗ ଦେଇଥାନ୍ତି। ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ସେମାନଙ୍କ ଉପଦେଶର ଆବଶ୍ୟତା ରହିଛି। ତେବେ ସେମାନଙ୍କ ପ୍ରସ୍ତାବଗୁଡ଼ିକୁ ଏକ ପ୍ୟାକେଜ୍‌ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥାଏ। ଯାହା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଅଭିବୃଦ୍ଧି କରିବାରେ ସହାୟତା ହୋଇଥାଏ।

ଆସନ୍ତା ୨୦୨୦ ମସିହାରେ ଓଡ଼ିଶାରେ ନୂଆ ଟୁରିଜିମ୍‌ ପଲିସି ଗଠନ କରାଯିବ। ତେବେ ଏହି ନୂଆ ପିଲିସି ନିର୍ମାଣ କରିବାରେ ଚଳିତ ଟୁରିଜିମ୍‌ କନକ୍ଲେଭ୍‌ର ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏଚ୍‌ଆରଏଓ ଚେୟାରମ୍ୟାନ ତଥା ସ୍ୱସ୍ତି ଗ୍ରୁପ ସିଏମ୍‌ଡି ଜେ କେ ମହାନ୍ତି କହିଛନ୍ତି।

ଜେ କେ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, “ସରକାର ଆର୍ଥିକ ବଜେଟ୍‌ରେ ପର୍ଯ୍ୟଟନର ବିକାଶ ପାଇଁ ଅତି କମ୍‌ରେ ୧ ହଜାର କୋଟି ଅନୁମୋଦନ କରିବା ଉଚିତ। କିନ୍ତୁ ଏହା ହୋଇପାରୁନାହିଁ। ଓଡ଼ିଶା ସରକାର ବର୍ତ୍ତମାନ ପର୍ଯ୍ୟଟନ କ୍ଷେତ୍ରରେ ବିଶେଷ ଦୃଷ୍ଟି ଦେବା ଦରକାର।”

ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଯାଉଛି ଚତୁର୍ଥ ଓଡ଼ିଶା ଟୁରିଜମ କନକ୍ଲେଭ। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା (ଏଚଆରଏଓ) ପକ୍ଷରୁ ଏହି ଓଡ଼ିଶା ଟୁରିଜିମ କନକ୍ଲେଭ୍‌କୁ ଆୟୋଜନ କରାଯାଉଛି।

ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଏହି ଅଧିବେଶନରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏଥିସହିତ ନୂଆ ଟୁରିଜିମ୍‌ ପଲିସି ୨୦୨୦ ଗଠନ କରିବାରେ ଏହି କନ୍‌କ୍ଲେଭ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି। ଓଡ଼ିଶାର ଅଗ୍ରଣୀ ଡିଜିଟାଲ ପ୍ଲାଟଫର୍ମ ‘ଓଡ଼ିଶାଲାଇଭ୍‌’ ଏହି କାର୍ଯ୍ୟକ୍ରମର ଡିଜିଟାଲ ପାର୍ଟନର ରହିଛି।

Comment