ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା: କେଉଁଠି ଲୋକମାନେ ପାଣି ମୁନ୍ଦେ ପାଇବାକୁ ଡହଳ ବିକଳ ହେଉଛନ୍ତି ତ ଆଉ କେଉଁଠି ପାଣି ନଷ୍ଟ ହେଉଛି। ଏମିତି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକ ତାଡ଼ମା ପଞ୍ଚାୟତରେ।

ତାଡ଼ମା ପଞ୍ଚାୟତର ରଘୁଭଟ୍ଟାଗୁଡ଼ା ଗ୍ରାମରେ ଏକ ନଳକୂପରୁ ଦିନରାତି ପାଣି ବାହାରୁଛି। ଦୀର୍ଘ ଦିନ ହେଲା ନଳକୂଅରୁ ଅହରହ ପାଣି ବାହାରୁଥିଲେ ମଧ୍ୟ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର କରୁନି। ଫଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି।

ରଘୁଭଟ୍ଟାଗୁଡ଼ା ଗ୍ରାମରେ ୧୩୦ରୁ ଅଧିକ ଲୋକ ବାସ କରୁଛନ୍ତି। ଦେଢ଼ବର୍ଷ ପୂର୍ବେ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିଲା। ଗ୍ରାମବାସୀ ଦାବି କରିବା ପରେ  ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ଗାଁରେ ଗୋଟିଏ ନଳକୂପ ବସାଯାଇଥିଲା।

ନଳକୂପ ବସାଯିବା ପରେ ଲୋକେ ଖୁସି ହୋଇଯାଇଥିଲେ। ହେଲେ ଏବେ ଏଥିରୁ ଅହରହ ପାଣି ବାହାରି ନଷ୍ଟ ହେଉଥିବାରୁ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବାରମ୍ବାର ଅଭିଯୋଗ କଲେ ବି ପ୍ରଶାସନ ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି।

Comment