ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରୀଷ୍ମ ଦିନ ଶେଷ ହେବାକୁ ବସିଲାଣି। କିନ୍ତୁ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଲଗିରହିଛି ପାନୀୟ ଜଳର ଉତ୍କଟ ସମସ୍ୟା। ପିଇବା ପାଣି ପାଇଁ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼ୁଛି। ବିଶେଷ ଭାବେ କୁମୁଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପରଜାପାତ୍ରପୁଟ ଗାଁରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି।

ଏହି ଗ୍ରାମର ଗ୍ରାମବାସୀଙ୍କୁ ଭରସା କରିବାକୁ ପଡ଼ୁଛି ଗ୍ରାମ ବିଦ୍ୟାଳୟ ପରିସରରେ ଥିବା ନଳକୂଅ ଉପରେ। ଗାଁରେ ଅଛି ଦୁଇଟି ନଳକୂଅ। କିନ୍ତୁ ଦୁଇଟି ଯାକ ଅଚଳ ହୋଇପଡ଼ିଛି। ପିଇବା ପାଣି ପାଇଁ ଗ୍ରାମର ମହିଳାମାନେ ଦିନ ସାରା ସ୍କୁଲ ପରିସରରେ ଥିବା ନଳକୂଅ ଆଗରେ ଧାଡ଼ିବାନ୍ଧି ଛିଡ଼ା ହେଉଛନ୍ତି। ସରକାର ଘରେ ଘରେ ପାନୀୟ ଜଳର ସୁବିଧା କରୁଥିବାବେଳେ ଏଠାରେ କିନ୍ତୁ ଲୋକଙ୍କୁ ପିଇବା ପାଣି ପାଇଁ ବିଭିନ୍ନ ଅସୁବିଧା ଭୋଗିବାକୁ ପଡ଼ୁଛି।

ପରଜାପାତ୍ରପୁଟ ଗାଁରେ ବସବାସ କରନ୍ତି ପ୍ରାୟ ୨୦୦ ପରିବାର। ୨ଶହ ପରିବାର ପାଇଁ ଗାଁରେ ରହିଛି ମାତ୍ର ଦୁଇଟି ନଳକୂଆ। ଯାହା ଏବେ ଅଚଳ ହୋଇପଡ଼ିଛି। ପାନୀୟ ଜଳର ଅନ୍ୟ କୌଣସି ବ୍ୟବସ୍ଥା ନଥିବାରୁ ସ୍କୁଲ ପରିସରର ନଳକୂଅ ଗ୍ରାମବାସୀଙ୍କର ଏକ ମାତ୍ର ଭରସା ପାଲଟିଛି। କାମଦାମ କରି ପରିବାର ଚଳାଉଥିବା ମହିଳା ଏବେ ପାନୀୟ ଜଳ ଯୋଗାଡ଼ କରୁ କରୁ କାମକୁ ଯାଇପାରୁନାହାନ୍ତି। କାରଣ ଘଣ୍ଟା ଘଣ୍ଟା ଧରି ସ୍କୁଲ ପରିସରରେ ଅପେକ୍ଷା କରିବାକୁ ପଡ଼େ ପାଳି ପଡ଼ିଲେ ପାଣି ନେବାକୁ। ଆଉ ଏକ ସମସ୍ୟା ଆସିବାକୁ ଯାଉଛି।

ବର୍ତ୍ତମାନ ସ୍କୁଲର ପାଚେରୀ କାମ ଚାଲିଛି। କାମ ସରିଲେ ସ୍କୁଲ ଗେଟରେ ତାଲା ପଡ଼ିବ। ଏହା ପରେ ଗ୍ରାମବାସୀ ପିଇବା ପାଇଁ କେଉଁଠାରୁ ପାଣି ଯୋଗାଡ଼ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଗ୍ରାମର ମହିଳାମାନେ ସ୍ଥାନୀୟ ସରପଞ୍ଚ, ପଞ୍ଚାୟତ ଅଧିକାରୀ ଓ ସ୍ଥାନୀୟ ବିଡିଓଙ୍କ ନିକଟରେ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ଖରା ଦିନ ଆରମ୍ଭରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ନଳକୂପ ମରାମତି କରିବା ସହ ନଳକୂଅ ଚାରିପଟ ମାର୍ବଲ ପକାଇ ଚକାଚକ କରିଛନ୍ତି। କିନ୍ତୁ ନଳକୂଅରୁ ପାଣି ବାହାରୁ ନାହିଁ। ତୁରନ୍ତ ଗ୍ରାମରେ ଆଉ ଦୁଇଟି ନଳକୂଅ ସ୍ଥାପନ କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।

Tags: #DrinkingWater #DrinkingWaterProblem #Villager #Parajapatraput

Comment