ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସଦର ମହକୁମାର ସାନ କୁସୁମୀ ଗ୍ରାମର ଲୋକେ ପାଣି ପାଇଁ ନାହିଁନଥିବା ଅସୁବିଧା ଭୋଗୁଛନ୍ତି। ପିଇବା ପାଣି ସଂଗ୍ରହ କରିବାକୁ ୩ କିମି ଦୂରକୁ ଯାଉଛନ୍ତି କୁସୁମୀ ଗ୍ରାମର ଦୁଇ ସାହି ବାସିନ୍ଦା। ନବରଙ୍ଗପୁର ବ୍ଲକ ପୂଜାରିଗୁଡ଼ା ପଞ୍ଚାୟତ ଅଧିନରେ ରହିଛି ସାନ କୁସୁମି ଗ୍ରାମର ଜାନି ସାହି।

ଖରାଦିନ ଆରମ୍ଭରୁ ଜାନି ସାହିରେ ଦେଖାଦେଇଛି ଘୋର ପାନୀୟ ଜଳର ସମସ୍ୟା। ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ଏଠାରେ ଜଳକଷ୍ଟ ଆହୁରି ବଢ଼ିଯାଇଛି। ଗ୍ରାମରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ପୂର୍ବରୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ଗ୍ରାମବାସୀ। ଦୀର୍ଘ ଦିନ ବିତିଥିଲେ ମଧ୍ୟ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୁନର୍ବାର ଗ୍ରାମବାସୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାକ୍ଷାତ କରି ଗ୍ରାମରେ ଉପୁଜିଥିବା ପାନୀୟ ଜଳ ସଙ୍କଟ ଦୂର କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ ପଟ୍ଟନାୟକ ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ଵ ଦେଇ ତୁରନ୍ତ ସାନ କୁସୁମୀ ଗ୍ରାମରେ ରହିଥିବା ପାନୀୟ ଜଳ ସମସ୍ୟା ଦୂର କରିବା ଦିଗରେ ପଦକ୍ଷେପ ନେବାକୁ ପୂଜାରିଗୁଡ଼ା ପଞ୍ଚାୟତ ଅଧିକାରୀ ତ୍ରିନାଥ ବିଶୋଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  

ପଞ୍ଚାୟତ ଅଧିକାରୀ ସାନ କୁସୁମୀ ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଖୁବଶୀଘ୍ର ଗ୍ରାମରେ ରହିଥିବା ପାନୀୟ ଜଳ ସମସ୍ୟା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗ୍ରାମରେ ଏକ ନୂଳକୂପର ବ୍ୟବସ୍ଥା କରାଯିବ। ନଳକୂପ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ପାଣି ଟ୍ୟାଙ୍କ ଯୋଗେ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Tags: #Nabarangpur #SanaKusumiVillage #DrinkingWater

Comment