ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଆଜି ସକାଳୁ ଭୁବନେଶ୍ୱର ଇସ୍କନ୍‌ ମନ୍ଦିରରେ ଭକ୍ତଙ୍କ ସୁଅ ଛୁଟିଛି। ଆଜି ସକାଳୁ ଭଗବାନ ଶ୍ରୀକୃଷ୍ଣଙ୍କ ସମସ୍ତ ନୀତିକାନ୍ତି ସରିବା ପରେ ଭକ୍ତମାନେ ଭଗବାନଙ୍କୁ ଦର୍ଶନ କରିଛନ୍ତି।

ତେବେ ଏନେଇ ଇସ୍କନ୍‌ ମନ୍ଦିର ପରିଚାଳନା କମିଟି ସଦସ୍ୟ ନବ କିଶୋର ଦାସଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍‌ ଟିମ୍‌। ଚଳିତ ଜନ୍ମାଷ୍ଟମୀରେ ଭୁବନେଶ୍ୱର ଇସ୍କନ୍‌ ମନ୍ଦିରରେ କିଭଳି ଭାବେ ପ୍ରସ୍ତୁତି କରାଯାଇଛି ଏବଂ ଭଗବାନଙ୍କ କ’ଣ ନୀତିକାନ୍ତି ରହିଛି, ସେ ବିଷୟରେ ଓଡ଼ିଶାଲାଇଭ୍‌ ଟିମ୍‌ ପଚାରି ବୁଝିଥିଲା।

ଏହି ଅବସରରେ ନବ କିଶୋର ଦାସ କହିଛନ୍ତି, “ଆଜି ଭୋର୍‌ ୪ଟାରୁ ଠାକୁରଙ୍କ ମଙ୍ଗଳ ଆଳତୀ ସରିଥିଲା। ଏହାପରେ ମଇଲମ ଏବଂ ବାଲ୍ୟ ପ୍ରସାଦ ପରେ ସକାଳ ୭ଟାରୁ ଭକ୍ତମାନେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଛନ୍ତି। ଦିନ ୧୨ଟାରେ ଠାକୁରଙ୍କୁ ମଧ୍ୟାନ ଭୋଗ ଲାଗୁ ହୋଇଛି। ଏହି ସମୟରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ଇସ୍କନ ମନ୍ଦିରରେ ଦେଖାଦେଇଥିଲା।”

ସେ ଆହୁରି ମଧ୍ୟ କହିଛନ୍ତି, “ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ପହଡ଼ ପଡ଼ିବ ନାହିଁ। ଆଜି ରାତି ୧୨ଟା ଯାଏଁ ଭକ୍ତମାନଙ୍କୁ ଦର୍ଶନ ଦେବେ ଭଗବାନ ଶ୍ରୀକୃଷ୍ଣ। ଅପରାହ୍‌ଣ ୨ଟା ପରେ କିଛି ସମୟ ପାଇଁ ଶ୍ରୀକୃଷ୍ଣଙ୍କୁ ବିଶ୍ରାମ ଦିଆଯିବ।”

“ଏହା ପରେ ଶ୍ରୀକୃଷ୍ଣଙ୍କ ବୈକାଳ ଆଳତୀ ନୀତି ରହିଛି। ଏହା ପରେ ସନ୍ଧ୍ୟା ଆଳତୀ, ସୟନ ଆଳତୀ, ସୟନ ଭୋଗ ଲାଗି ହେବ। ମନ୍ଦିରରେ ଭକ୍ତମାନଙ୍କ ଦ୍ୱାରା ଭଜନ କୀର୍ତ୍ତନ, ଆଳତୀ ଚାଲିଛି। ଭକ୍ତମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଆଜିର ଏହି ପ୍ରସାଦକୁ ଦେବ ପ୍ରସାଦ କୁହାଯାଏ।”

ଆସନ୍ତାକାଲି ଶ୍ରୀକୃଷ୍ଣଙ୍କ ନନ୍ଦୋତ୍ସବ। ଏହାକୁ ନେଇ ନବ କିଶୋର ଦାସ କହିଛନ୍ତି, “ସାଧାରଣ କର୍ମୀ ଜଗତରେ କାହାର ସନ୍ତାନଟିଏ ଜନ୍ମ ନେଲେ ବନ୍ଧୁବାନ୍ଧବଙ୍କୁ ନେଇ ଉତ୍ସବ ପାଳନ କରାଯାଇଥାଏ। ସେହିଭଳି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମରେ ଆସନ୍ତାକାଲି ନନ୍ଦୋତ୍ସବ ପାଳନ ହେଉଛି। ସମସ୍ତ ଦେବା ଦେବୀ ଏହି ଉତ୍ସବରେ ଉପସ୍ଥିତ ରହିବେ।”

ଏହାର ପରଦିନ ଅର୍ଥାତ ୨୪ ତାରିଖରେ ଶ୍ରୀକୃଷ୍ଣଙ୍କ ବୈଷ୍ଣବ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ। ସେହିଦିନ ଭଜନ କୀର୍ତ୍ତନରେ ପୁରି ଉଠିବ ଇସ୍କନ ମନ୍ଦିର। ରାତି ୧୨ଟାରେ ଠାକୁରଙ୍କ ମହା ଅଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ଭକ୍ତମାନେ ଯୋଗ ଦେବେ।

Comment