ଓଡ଼ିଶାଲାଇଭ୍ ବ୍ୟୁରୋ

ପଡୋଶୀ ବାଂଲାଦେଶରେ ଗତ କିଛି ଦିନ ଧରି ଚାଲିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ଥମିବାର ନାଁ ନେଉନାହିଁ। ଗତ ଶୁକ୍ରବାରଠାରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଚାଲି ଆସିଛି। ସ୍ଥାନୀୟ ଲୋକଙ୍କ ଦ୍ୱାରା ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁମାନଙ୍କୁ ଆକ୍ରମଣ କରାଯାଉଛି।ବାଂଲାଦେଶର ରଙ୍ଗପୁର ଜିଲ୍ଲାର ରାମନାଥପୁର, ମାଝିପାଲ୍ଲୀ ଅଞ୍ଚଳରେ ଦଙ୍ଗାକାରୀମାନେ ହିନ୍ଦୁ ଲୋକଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଏଥିରେ ପାଖାପାଖି ୧୦୦ରୁ ଅଧିକ ଘରେ ନିଆଁ ଲଗାଯାଇଥିବା ବେଳେ ବହୁ ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଇସଲାମ୍ ଧର୍ମର ପବିତ୍ର ଗ୍ରନ୍ଥ କୋରାନକୁ ଅପମାନ କରାଯାଇଥିବା ଅଭିଯୋଗରେ ଶୁକ୍ରବାର ଦଙ୍ଗାକାରୀମାନେ ଦୁର୍ଗାପୂଜା ଚାଲିଥିବା ବେଳେ ପ୍ରଥମେ ହିନ୍ଦୁ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ। ପ୍ରାୟ ୨୦୦ରୁ ଅଧିକ ଲୋକ ସଂଘବଦ୍ଧ ହୋଇ ଦୁର୍ଗାପୂଜା ମଣ୍ଡପ ଉପରେ ଆକ୍ରମଣ କରି ତୁମୁଳ କାଣ୍ଡ ଘଟାଇଥିଲେ। ଦୁର୍ଗାପୂଜା ମଣ୍ଡପରେ ଆକ୍ରମଣ ଘଟଣାରେ ଜଣେ ଇସ୍କନ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ।ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ହିନ୍ଦୁ ମନ୍ଦିର ଓ ଦୁର୍ଗାପୂଜା ମଣ୍ଡପ ଭଙ୍ଗାରୁଜା ଘଟଣାରେ ଲିପ୍ତ ଦୁର୍ବୃତ୍ତଙ୍କୁ ଠାବ କରି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦଙ୍ଗାକାରୀଙ୍କ କାର୍ଯ୍ୟକଳାପ ହ୍ରାସ ପାଇନାହିଁ ଯାହାକି ଚିନ୍ତାର ବିଷୟ। ବିଗତ କିଛି ବର୍ଷ ଧରି ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ନିର୍ଯାତନା ବଢ଼ିବାରେ ଲାଗିଛି। ଦୁର୍ଗାପୂଜାରେ ମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ବିରୋଧ ତାର ତାଜା ଦୃଷ୍ଟାନ୍ତ।ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ସାମ୍ପ୍ରଦାୟିକ ସଂଘର୍ଷକୁ ରୋକିବା ସେଠାକାର ସରକାରଙ୍କ ଦାୟିତ୍ୱ। ଭାରତ ସହିତ ବାଂଲାଦେଶର ଦ୍ୱିପାକ୍ଷିକ ସମ୍ପର୍କ ଭଲ ଥିବା ବେଳେ କିଛି ଉତ୍ତେଜନା ସୃଷ୍ଟିକାରୀ ଓ ପଥଭ୍ରଷ୍ଟ ବାଂଲାଦେଶୀ ମୁସଲିମ ହିନ୍ଦୁଙ୍କୁ ନିର୍ଯାତନା ଦେଇଥିବା ଯେଉଁ ଅଭିଯୋଗ ଆସିଛି ତାହାକୁ ହସିନା ସରକାର ଦୃଢ଼ ହସ୍ତରେ ଦମନ କରିବା ଦରକାର ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

Comment