ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ-ଭୁବନେଶ୍ୱର ରାସ୍ତାରେ ଥିବା କାଠଯୋଡି ନନଦୀ ପୋଲରେ ଏକ ବଡ଼ ଧରଣର ଫାଟ ସୃଷ୍ଟି ହୋଇଛି। ପ୍ରେସ୍ଛକ ପଟୁ ପୋଲ ଆରମ୍ଭରେ ଏହି ଫାଟ ଯୋଗୁଁ ବ୍ରିଜ୍ ଅଳ୍ପ ଦବିଯାଇଛି। ଏହାକୁ ନେଇ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଯଦିଓ ବ୍ରିଜ୍ ଉପରେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି ତଥାପି ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ଭାବେ ଦବିଯାଇଥିବା ଅଞ୍ଚଳକୁ ରେଡ୍ କୋନରେ କର୍ଡନ୍ ଦିଆଯାଇଛି।
କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରର ପଳାଶୁଣୀ ଓଭରବ୍ରିଜ୍ ଦବି ଯାଇଥିଲା। କଟକରୁ ଭୁବନେଶ୍ୱରକୁ ଯୋଡୁଥିବା ଜାତୀୟ ରାଜପଥ ହାଇଟେକ୍ ମେଡିକାଲ କଲେଜ ଛକ ନିକଟରେ ଏହି ଘଟଣା ଘଟିଥିଲା। ଏହାର କିଛି ଦିନ ପରେ କାଠଯୋଡ଼ି ପୋଲ ଦବିଛି।
ଏନ୍ଏଚ୍ଏଆଇ ପକ୍ଷରୁ ଏହି ପୋଲ ନିର୍ମାଣ କରାଯାଇଥିଲା। ପୂର୍ବରୁ କାଠଯୋଡ଼ି ନଦୀରେ ଗୋଟିଏ ବ୍ରିଜ୍ ଥିବା ବେଳେ ଏହାର ସ୍ଥାୟିତ୍ୱକୁ ବିଚାରକୁ ନିଆଯାଇ ଆଉ ଦୁଇଟି ବ୍ରିଜ୍ ନିର୍ମାଣ ହୋଇଥିଲା। ତେବେ ସବୁ ବ୍ରିଜ୍ ପ୍ରେସ୍ଛକସ୍ଥିତ ଓଭରବ୍ରିଜ ସହ ଜଡିତ ହୋଇଛି। ତେବେ ମଝି ବ୍ରିଜରେ ଆଜି ଏଭଳି ଫାଟ ଦେଖିବାକୁ ମିଳିଛି।
ଏନ୍ଏଚ୍ଆଇର କର୍ମଚାରୀ କହିଛନ୍ତି, ‘‘ଏଥିରେ ବିଶେଷ ଭୟ କରିବାର ଆବଶ୍ୟକ ନାହିଁ। ମାତ୍ରାଧିକ ବର୍ଷା ଯୋଗୁଁ ଏଭଳି ସାଧାରଣ ସମସ୍ୟା ଦେଖାଯାଇଛି। ବ୍ରିଜ୍ ଓ ରାସ୍ତାର ସଂଯୋଗ ସ୍ଥଳ ପାଖରେ ମାତ୍ର ୧ମିଟର ଫାଟ ସୃଷ୍ଟି ହୋଇଛି। ଏହା ବିପଦଜନକ ନୁହେଁ।’’
ସୁରକ୍ଷା ଦୃଷ୍ଟିରୁ ଫାଟ ଦେଖାଦେଇଥିବା ସ୍ଥାନକୁ କେବଳ ଘେରାଇ ଦିଆଯାଇଛି। ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ସ୍ଥିତି ଯାଞ୍ଚ୍ କରିଛନ୍ତି। ଏନେଇ ସେଠାରେ ଥିବା ଏନ୍ଏଚ୍ଏଆଇ କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହାସହିତ ଏହାର ମରାମତି ଦାବି କରିଛନ୍ତି।
ମୋକିମ୍ କହିଛନ୍ତି, ‘‘ପୂର୍ବରୁ ପୋଲ ଦବି ଅନେକ ଦୁର୍ଘଟଣା ଘଟିଛି। ତେଣୁ ଏହାକୁ ସାମାନ୍ୟ ଭାବିବା ଠିକ୍ ନୁହେଁ। ବଡଧରଣର ଅଘଟଣକୁ ଏଡାଇବାକୁ ହେଲେ ଏଥିପ୍ରତି ସତର୍କ ରହି ଏଦିଗରେ ତୁରନ୍ତ ପଦକ୍ଷେପ ନେବା ଦରକାର।’’


















