ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ପରିବହନ ବିଭାଗ ବୈଧ ଡକ୍ୟୁମେଣ୍ଟ ନଥାଇ ଚାଲୁଥିବା ଯାନକୁ ଧରିବାକୁ ଯୋଜନା ପ୍ରସ୍ତୁତ କରୁଛି। ଏହି ଗାଡ଼ିଗୁଡିକୁ ଇ-ଡିଟେକ୍ସନ ଦ୍ଵାରା ଧରାଯିବ। ଏଥିପାଇଁ ଇ-ଡିଟେକ୍ସନ ପୋର୍ଟାଲ ପ୍ରସ୍ତୁତ ହେଉଥିବା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫାଷ୍ଟଟ୍ୟାଗ୍ ଓ ଟୋଲଗେଟରୁ ତଥ୍ୟ ସଂଗ୍ରହ କରି ଗାଡ଼ିଗୁଡିକର ଇ-ଚାଲାଣ କଟାଯିବ। ୨୦୨୩ ଜାନୁଆରି ପହିଲାରୁ ଜାତୀୟ ରାଜପଥରେ ଇ-ଡିଟେକ୍ସନ ଲାଗୁ କରିବାକୁ  ପରିବହନ ବିଭାଗ ଯୋଜନା ରଖିଛି ।

ପ୍ରଥମ ପର୍ଯ୍ୟାୟରେ ଏହି ଇ-ଡିଟେକ୍ସନ ପୋର୍ଟାଲକୁ ‘ଏନ୍‌ଏଚ୍‌ଏଆଇ’ର ଟୋଲଗେଟଗୁଡିକର ପୋର୍ଟାଲ୍ ସହିତ ଏକୀଭୂତ କରାଯିବ। ଏଠାରେ ଫାଷ୍ଟଟ୍ୟାଗରୁ ମିଳିଥିବା ତଥ୍ୟ ଏବଂ ଟୋଲଗେଟରୁ ସଂଗୃହୀତ ଗାଡ଼ିର ଚିତ୍ର ଇ-ଡିଟେକ୍ସନ ପୋର୍ଟାଲରେ ଅପଲୋଡ କରାଯିବ।

ପରବର୍ତ୍ତୀ ସମୟରେ ଖଣି ଏବଂ ଶିଳ୍ପକ୍ଷେତ୍ରରୁ ମଧ୍ୟ ତଥ୍ୟ ଯାନବହନଗୁଡ଼ିକର ସଂଗ୍ରହ କରାଯିବ। ବାହାନ ପୋର୍ଟାଲରେ ସବିଶେଷ ତଥ୍ୟ ସହିତ ଏହାର ବିଶ୍ଳେଷଣ କରାଯିବ ଏବଂ ବୈଧ ଡକ୍ୟୁମେଣ୍ଟ ବିନା ଚାଲୁଥିବା ଯାନଗୁଡ଼ିକ ପାଇଁ ସ୍ଵୟଂଚାଳିତ ଭାବରେ ଚାଲାଣ ସୃଷ୍ଟି ହେବ। ଏହାଫଳରେ ଗାଡ଼ିମାଲିକଙ୍କୁ ସଚେତନ କରାଯିବା ସହ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁହାର କମେଇବାରେ ସହାୟ ହେବ।

ପରିବହନ ବିଭାଗର ନିୟମ ଅନୁସାରେ କୌଣସି  ଯାନ ସର୍ବସାଧାରଣ ରାସ୍ତାରେ ଯିବା ପାଇଁ ପଞ୍ଜୀକରଣ ପ୍ରମାଣପତ୍ର, ଫିଟନେସ୍ ସାର୍ଟିଫିକେଟ୍ ଭଳି ବୈଧ ଦଲିଲର ରହିବା ବାଧ୍ୟତାମୂଳକ ଅଟେ। ଜାତୀୟ ରାଜପଥରେ ଅବସ୍ଥିତ ଟୋଲ୍ ଫାଟକରୁ ସଂଗୃହିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ବୈଧ ପ୍ରମାଣପତ୍ର ବିନା ବହୁ ସଂଖ୍ୟକ ଯାନବାହାନ ଚଳାଚଳ କରୁଛି।

Tags: #E-detection #transportdept #NHAI #FASTtag #E-detectionportal #Odisha

Comment