ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା : ବରିଷ୍ଠ ନାଗରିକମାନଙ୍କ ପ୍ରତି ଏବେ ବିପଦ ବଢ଼ିଛି। କେତେବେଳେ ବ୍ୟାଙ୍କରୁ ପେନସନ ଆଣିବା ବେଳେ ବରିଷ୍ଠ ନାଗରିକ ଲୁଟର ଶିକାର ହେଉଛନ୍ତି ତ କେତେବେଳେ ନିଜ ଘରେ ବିଶ୍ୱାସ ଜନ୍ମାଇଥିବା ଆପଣାର ଲୋକ ଠକି ତଳିତଳାନ୍ତ କରିଦେଉଛି। ଏପରି ଘଡିସନ୍ଧି ମୁହୂର୍ତ୍ତରେ କେନ୍ଦ୍ରାପଡ଼ା ପୋଲିସ ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ଦେବା ପାଇଁ ହାତ ବଢ଼ାଇଛି।

କେନ୍ଦ୍ରାପଡା ଟାଉନହଲଠାରେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ସମ୍ପର୍କରେ ଏକ ବୈଠକ ଡାକିଥିଲେ କେନ୍ଦ୍ରାପଡା ଏସ୍ ପି ନୀତିଶେଖର। ବରିଷ୍ଠ ନାଗରିକମାନଙ୍କର କଣ ସବୁ କରିବା ଦରକାର ଓ କଣ ସବୁ ନକରିବା ଦରକାର ସେ ସମ୍ପର୍କରେ ସୂଚନା ଦେଇଥିଲେ।

ଅଚିହ୍ନା ଲୋକମାନଙ୍କଠାରୁ ଦୂରରେ ରହିବା ସହିତ ନିଜ ସମ୍ପତ୍ତି ସମ୍ପର୍କରେ ସୂଚନା ନଦେବାକୁ ପରାମର୍ଶ ଦେଇଥିଲେ। ଏପରିକି ଘରେ କାମ କରୁଥିବା ଲୋକ କିମ୍ବା ପ୍ରତିଦିନ ଯିବାଆସିବା କରୁଥିବା ଲୋକଙ୍କୁ ଏସବୁ ତଥ୍ୟ ଦେବା ଅନୁଚିତ ବୋଲି ଏସ୍‌ପି କହିଥିଲେ।

ଘରେ ଲୁହା ଗ୍ରିଲ ଲଗାଇବାକୁ ପରାମର୍ଶ ଦେଇଛି ପୋଲିସ। ଘରର ଚାବିକାଠି ଗୋପନୀୟ ସ୍ଥାନରେ ଳଖିବା ଜରୁରୀ। କିଛି ଦିନ ଅନ୍ତରରେ ଘରର ତାଲା ଚାବି  ବଦଳାଇବା ଉଚିତ। କାରଣ ଆପଣଙ୍କ ଅଜାଣତରେ ଏହି ତାଲାର ଡୁପ୍ଲିକେଟ ଚାବି କେହି ବିଶ୍ୱସ୍ତ ଲୋକ ମଧ୍ୟ କରି ଦେଇପାରେ। ପଡୋଶୀଙ୍କ ଫୋନ ନମ୍ବର ଓ ନିକଟସ୍ଥ ଥାନାର ଫୋନ ନମ୍ଵର ସହିତ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ଫୋନ ନମ୍ବର ପାଖରେ ରଖିବା ଉଚିତ ବୋଲି ଏସ୍ ପି ପରାମର୍ଶ ଦେଇଛନ୍ତି।

ଏହି ଆଲୋଚନାରେ କେନ୍ଦ୍ରାପଡା ଏସ୍ ପିଙ୍କ ସମେତ ଅତିରିକ୍ତ ଏସ୍ ପି ଗାଗାରିନ ମହାନ୍ତି, ଅମିତା ପଟ୍ଟନାୟକ, ଡିଏସପି କାର୍ତ୍ତିକ ମଲିକ, ସୁଭେନ୍ଦୁ ସିହ୍ନା, କେନ୍ଦ୍ରାପଡା ଏସ୍‌ଡିପିଓ  ରାଜୀବ ଲୋଚନ ପଣ୍ଡା ଓ କେନ୍ଦ୍ରାପଡା ଟାଉନ ଥାନା ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Comment