ଓଡ଼ିଶାଲାଇଭ୍ ବ୍ୟୁରୋ

ସୋନୀ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ କୁଇଜ୍ ସୋ’ କୌନ ବନେଗା କରୋଡପତିରେ ସ୍ଥାନ ପାଇଛନ୍ତି କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ତେବେ ସେ ପ୍ରତିଯୋଗୀ ଭାବରେ ନୁହେଁ ବରଂ ଏହି ପ୍ରତିଯୋଗିତାରେ ଗୋଟିଏ ପ୍ରଶ୍ନ ହୋଇ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି।

ଗତ ରବିବାର ପ୍ରସାରିତ ହୋଇଥିବା ଏପିସୋଡରେ ଜଣେ ପ୍ରତିଯୋଗୀଙ୍କୁ ବିଗ୍‌ ବି ଅମିତାଭ ବଚ୍ଚନ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି ହେଲା, ‘୨୦୧୯ରେ ଭାରତର ସର୍ବକନିଷ୍ଠ ଲୋକସଭା ସାଂସଦ କିଏ ?’ ଏହି ପ୍ରଶ୍ନର ମୂଲ୍ୟ ଥିଲା ୬ଲକ୍ଷ ୪୦ ହଜାର ଟଙ୍କା।

ଏହାର ସଠିକ୍ ଉତ୍ତର ହେଉଛି, ଓଡ଼ିଶା କେନ୍ଦୁଝରର ସାଂସଦ ଚନ୍ଦ୍ରାଣୀ ମୁର୍ମୁ। ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଗୁଜୁରାଟର ଡକ୍ଟର କୃପା ମେହୁଲବାନ ୬.୪ଲକ୍ଷ ଟଙ୍କା ଜିତିଥିଲେ। ଏହାପରେ ଡକ୍ଟର କୃପା ମେହୁଲବାନ ସୋ’ରେ ୧୩ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ମୋଟ ୨୫ଲକ୍ଷ ଟଙ୍କା ଜିତିପାରିଛନ୍ତି। ଏହାପରେ ସେ ଖେଳରୁ ଓହରିଯାଇଥିଲେ।

କେନ୍ଦୁଝରର ଏହି ସାଂସଦ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ୨୬ବର୍ଷ ବୟସରେ ସେ ଲୋକସଭା ସାଂସଦ ହୋଇଥିଲେ। ଏହାସହ ସେ ଭାରତର ସର୍ବକନିଷ୍ଠ ସାଂସଦ ହେବାର ଗୌରବ ଅର୍ଜନ କରିଥିଲେ।

Comment