ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ କମାଇବା ପାଇଁ ପୁଣିଥରେ ଲାଗୁ ହେବ ଅଡ୍‌-ଇଭେନ୍‌ ଫର୍ମୁଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଏନେଇ ପ୍ରେସ କନ୍‌ଫରେନ୍ସ କରି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୂଚନା ମୂତାବିକ, ଆସନ୍ତା ୪ ନଭେମ୍ବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ୍‌-ଇଭେନ୍‌ ନିୟମ ଅନୁଯାୟୀ ଗାଡ଼ି ଚଳାଚଳ ହେବ।

୨୦୧୬ ମସିହାରେ ମୁଖ୍ୟ ମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଅଡ-ଇଭେନ ସ୍କିମ ଆରମ୍ଭ କରିଥିଲେ। ଏହି ସ୍କିମ ମୂତାବିକ, ଧାର୍ଯ୍ୟ ଦିନରେ କେବଳ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବାକୁ ଥିବା ବେଳେ ଅନ୍ୟ ଧାର୍ଯ୍ୟ ଦିନରେ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବ। ଏହି ନିୟମକୁ ଦିଲ୍ଲୀ ସରକାର ଆସନ୍ତା ନଭେମ୍ବର ୪ରୁ ପୁଣିଥରେ ଲାଗୁ କରିଛନ୍ତି।

ଅଡ୍‌-ଇଭେନ ନିୟମ ଅନୁଯାୟୀ, ଆସନ୍ତା ନଭେମ୍ବର ୪, ୬, ୮, ୧୦, ୧୨ ଏବଂ ୧୪ ତାରିଖ ଦିନ ଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବ। ସେହିପରି ନଭେମ୍ବର ୫, ୭, ୯, ୧୧, ୧୩ ଏବଂ ୧୫ ତାରିଖରେ ଅଯୁଗ୍ମ ନମ୍ବର ବିଶିଷ୍ଟ ଗାଡ଼ି ଚଳାଚଳ ହେବ।

ଏହା ବ୍ୟତୀତ ଦୀପାବଳୀରେ ବାଣ ନଫୁଟାଇବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁରୋଧ କରିଛନ୍ତି। ପ୍ରଦୂଷଣ ରକ୍ଷା ପାଇବା ପାଇଁ  ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଦିଲ୍ଲୀ ସରକାର ୫୦ରୁ ୬୦ ଲକ୍ଷ ମାସ୍କ କିଣିବା ପାଇଁ ଯୋଜନା ପ୍ରସ୍ତୁତ କରିଛି।

Comment