ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ଆପ୍‌ ମୁଖ୍ୟ ଅରବିନ୍ଦ କେଜରିଓ୍ଵାଲ। ଭୋଟ ବାକ୍ସରେ ଯେତେ ଭୋଟ ପଡ଼ିଥିଲା ତାହାର ପଚାଶ ପ୍ରତିଶତରୁ ଅଧିକ ଭୋଟ ପାଇ ଆମ୍‌ ଆଦ୍‌ମୀ ପାର୍ଟି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

୧- ଅରବିନ୍ଦ କେଜରିୱାଲ ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

୨- ଦିଲ୍ଲୀର ଜନତା ନା ସିଏଏ ନା ସାହିନବାଗକୁ ଖାତିର କରିଛନ୍ତି। ସେମାନଙ୍କ ମୂଳ ଲକ୍ଷ୍ୟ ସ୍ଥାନୀୟ ସମସ୍ୟାର ସମାଧାନ।

୩- କେଜରିୱାଲ ତିନୋଟି କଥାକୁ ନେଇ ଭୋଟରଙ୍କ ପାଖକୁ ଯାଇଥିଲେ। ଏହି ତିନୋଟି ପ୍ରସଙ୍ଗ ହେଉଛି ଶିକ୍ଷା, ସ୍ଵାସ୍ଥ୍ୟ ଓ ରୋଜଗାର।

୪- ବିଗତ ୫ ବର୍ଷ ମଧ୍ୟରେ ଆମ ଆଦମୀ ପାର୍ଟି ସରକାର ଯେଉଁ ସବୁ ଭଲ କାମ କରିଥିଲେ ତାହାକୁ ଲୋକେ ପ୍ରଶଂସା କରିବା ସହିତ ମନଖୋଲା ଭୋଟ ପିଟିଛନ୍ତି।

୫- ଆମ ଆଦମୀ ପାର୍ଟି କ୍ଷମତାକୁ ଆସିଲେ କେଜରିୱାଲ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଭୋଟର ଜାଣିଥିଲେ। କିନ୍ତୁ କଂଗ୍ରେସ କି ବିଜେପି କେହି ସେମାନଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲେ।

୬- ୨୦୧୫ ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିବା ବେଳେ ଏଥର ଦୁଇି ଗୁଣା ଅଧିକ ଆସନ ମିଳିଛି।

୭- ଏହି ନିର୍ବାଚନ କଂଗ୍ରେସ ପାଇଁ ସବୁଠାରୁ ଅଧିକ ଖରାପ ଖବର ଆଣିଛି। ମାତ୍ର ୪ ପ୍ରତିଶତ ଭୋଟ ପାଇ ଦଳ ଦିଲ୍ଲୀରୁ ପୂରା ସଫା ହୋଇଯାଇଛି।

୮- ଅରବିନ୍ଦ କେଜରିୱାଲ ତୃତୀୟ ଥର ପାଇଁ ଜିତିବା ପଛରେ ବଡ଼ କାରଣ ହେଉଛି ଶିଲା ଦୀକ୍ଷିତଙ୍କ ମନ୍ତ୍ର। ଶିଲା ଦୀକ୍ଷିତ ଯଦି ଲଗାତାର ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହାର କାରଣ ସେ ସବୁବେଳେ ସ୍ଥାନୀୟ ସମସ୍ୟା ଓ ଅସୁବିଧାକୁ ନେଇ ଭୋଟରଙ୍କ ପାଖକୁ ଯାଉଥିଲେ।

୯- ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିହାରର ଦୁଇଟି ଦଳ ବି ପ୍ରାର୍ଥୀ ଦେଇଥିଲେ। ନୀତିଶ କୁମାରଙ୍କ ଜନତା ଦଳ ଓ ଲାଲୁ ଯାଦବଙ୍କ ଆରଜେଡି। କିନ୍ତୁ ଏହି ଦୁଇ ଦଳର ଗୋଟିଏ ବି ପ୍ରାର୍ଥୀ ଜିତି ନାହାଁନ୍ତି।

୧୦- ଆମ ଆଦମୀ ପାର୍ଟି ୨୦୧୩ରେ ପ୍ରଥମେ ସରକାର ଗଠନ କରିବା ପରେ ମାଗଣା ବିଦ୍ୟୁତ ଓ ମାଗଣା ପାଣି ଦେଇଥିଲା ଯାହାକି ୨୦୧୫ ନିର୍ବାଚନରେ କାମ ଦେଇଥିଲା। ତାହା ପୁଣି ୨୦୨୦ରେ ଆଶୀର୍ବାଦ ହୋଇଛି। ଗତ ୬ ମାସ ମଧ୍ୟରେ କେଜରିୱାଲ ମହିଳା ଓ ଛାତ୍ର ଛାତ୍ରୀଙ୍କ ପାଇଁ  ମେଟ୍ରୋ, ବସରେ ମାଗଣା ଯିବା ବ୍ୟବସ୍ଥା ମଧ୍ୟ କରିଥିଲେ।

୧୧- ଓଡ଼ିଶାରେ ବିଜେଡି ଭଳି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ବେଶୀ ସଂଖ୍ୟାରେ ମହିଳା ହିଁ ଭୋଟ ଦେଇଛନ୍ତି ଯାହା ଦଳକୁ ଜିତିବାରେ ସାହାଯ୍ୟ କରିଛି।

୧୨- ଦିଲ୍ଲୀର ମୋଟ ଭୋଟରଙ୍କ ଭିତରେ ମୁସଲିମ ଭୋଟର ହେଉଛନ୍ତି ୧୪ ପ୍ରତିଶତ। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ପ୍ରାୟତଃ ସେହି ଦଳକୁ ଭୋଟ ଦେଇଥାନ୍ତି ଯିଏ ବିଜେପିକୁ ହରାଇବ। ଏଥର ମୋଦୀ ସରକାରଙ୍କ ନୀତି ଯୋଗୁଁ ମୁସଲିମ ଭୋଟର ଫିଡିକି ଯାଇଥିଲେ ଯାହାର ଫାଇଦା କେଜରିୱାଲଙ୍କୁ ମିଳିଲା।

୧୩- ବିଜେପିର ନକାରାତ୍ମକ ପ୍ରଚାର ପାଇଁ ଦଳ ମାଡ଼ ଖାଇଲା। ଗୋଲି ମାରୋ …ଭଳି ମନ୍ତବ୍ୟ ବିଜେପିକୁ କ୍ଷତି ପହଞ୍ଚାଇଲା। ବିଜେପି ନେତାମାନେ କେବେ ଅତୀତ ଭୁଲରୁ ଶିକ୍ଷା ନିଅନ୍ତି ନାହିଁ ତାହା ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୁଣି ଥରେ ପ୍ରମାଣିତ ହୋଇଛି।

୧୪- ଆମ ଆଦମୀ ପାର୍ଟି ପକ୍ଷରୁ ହନୁମାନ ଚାଳିଶା ପଢ଼ାଯିବା ଏକ ଚାଲାକ ତରିକା ଥିଲା। ଭୋଟରଙ୍କୁ ବିଭାଜିତ କରିବା ପାଇଁ ବିଜେପିର ଉଦ୍ୟମକୁ ଏହି ହନୁମାନ ଚାଳିଶା ପାଠ ଖତମ କରିଦେଇଥିଲା।

୧୫- ଦିଲ୍ଲୀ ନିର୍ବାଚନରେ ବିଜେପି ହାରିବାର ସବୁଠାରୁ ବଡ଼ କାରଣ ହେଉଛି ଦଳର ଅତି ଉତ୍ସାହ। ଏହି ଓଭର କନଫିଡେନ୍ସ ହିଁ ଦଳ ପାଇଁ କାଳ ହୋଇଥିଲା। ତିନି ତଲାକ, ରାମ ମନ୍ଦିର, ନାଗରିକତା ସଂଶୋଧନ ଆଇନ ଓ କାଶ୍ମୀର ଇତ୍ୟାଦି ଯୋଗୁଁ ହିନ୍ଦୁମାନଙ୍କ ଭୋଟ ଦଳକୁ ମିଳିଯିବ ବୋଲି ନେତାମାନେ ଯେଉଁ ଆକଳନ କରିଥିଲେ ତାହା ଫସର ଫାଟି ଯାଇଥିଲା।

Comment