ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପର୍ଯ୍ୟଟନର ବିକାଶକୁ ଆଗେଇ ନେବା ପାଇଁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ହେବାକୁ ଯାଉଛି ଚତୁର୍ଥ ‘ଓଡ଼ିଶା ଟୁରିଜମ କନକ୍ଲେଭ’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଏହି ଓଡ଼ିଶା ଟୁରିଜିମ କନକ୍ଲେଭ୍‌କୁ ଆୟୋଜନ କରାଯାଉଛି। ମଙ୍ଗଳବାର ଦିନ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମ ହୋଟେଲ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଚଳିତ ବର୍ଷ ‘ଓଡ଼ିଶା ଟୁରିଜମ କନକ୍ଲେଭ’ର ବିଷୟବସ୍ତୁ ରହିଛି ‘ପର୍ଯ୍ୟଟନ ରାଜ୍ୟ ଅର୍ଥ ବ୍ୟବସ୍ଥାର ପ୍ରେରକ ଶକ୍ତି।’

ଏହି କନକ୍ଲେଭ୍‌ରେ ବିଭିନ୍ନ କ୍ଷେତ୍ର ଯଥା ପର୍ଯ୍ୟଟନ ଶିଳ୍ପ, ହୋଟେଲ ମାଲିକ, ଟୁର୍ ଅପରେଟର୍, ମଡିଆ, ଡିଜିଟାଲ ମାର୍କେଟିଂ, ବ୍ଲଗର୍ସ, ଏୟାରଲାଇନ୍ସ, ଫିଲ୍ମ ନିର୍ମାତା, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି, ଗଣମାଧ୍ୟମ, ବିଭିନ୍ନ ଶିଳ୍ପସଂସ୍ଥାର ଅଧିକାରୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀମାନେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ଦିଗରେ ଆଲୋଚନା କରିବେ।

‘ଓଡ଼ିଶା ଟୁରିଜମ କନକ୍ଲେଭ’ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜିନିବେଶ, ପର୍ଯ୍ୟଟନ ଓ ଆତିଥ୍ୟ କ୍ଷେତ୍ରରେ ସାମ୍ଭାବ୍ୟ ଦିଗକୁ ଦୃଷ୍ଟିରେ ରଖି ଷ୍ଟେକ୍‌ହୋଲ୍ଡରଙ୍କ ମତ ଭିତ୍ତିକ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତ କରିବାରେ ସୁଯୋଗ ସୃଷ୍ଟି କରିବ।

ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବେ। ସେହିପରି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଏହି ଅଧିବେଶନରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ଏଚଆରଏଓ ଚେୟାରମ୍ୟାନ ଜେ କେ ମହାନ୍ତି କହିଛନ୍ତି।

ସେହିପରି ଏଚଆରଏଓର ସମ୍ପାଦକ ଶ୍ରୀନିବାସ ସୁବୁଦ୍ଧି କହିଛନ୍ତି, “ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହେବାକୁ ଥିବା ନୂଆ ଟୁରିଜିମ୍‌ ପଲିସି ୨୦୨୦ରେ ଓଡ଼ିଶା ପର୍ଯ୍ୟଟନ ଶିଳ୍ପର କିପରି ବିକାଶ ହୋଇପାରିବ ସେନେଇ ଆମର ଆଭିମୁଖ୍ୟ ରହିବ।”

Comment