ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜରିମାନା ଆଦାୟ ନୁହେଁ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ଆମର ମୂଳ ଲକ୍ଷ୍ୟ
  • ଆଗାମୀ ଦିନରେ ଲେନ୍‍ ଡ୍ରାଇଭିଂକୁ ଦିଆଯିବ ଗୁରୁତ୍ୱ
  • ମଦ୍ୟପ ଚାଳକ, ଅଧିକ ବେଗରେ ଗାଡି ଚାଳନା ଓ ଓଭର୍‍ ଲୋଡିଂକୁ କ୍ଷମା ନାହିଁ
  • ସଡ଼କ ସୁରକ୍ଷା ପାଇଁ ବ୍ୟାପକ ହେବ ସଚେତନତା

“ମୋଟର ଯାନ (ସଂଶୋଧନ) ଆଇନ ୨୦୧୯ କୌଣସି ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇବା ପାଇଁ ନୁହେଁ, ବରଂ ଏହା ଜନ ସାଧାରଣଙ୍କ ଜୀବନକୁ ସୁରକ୍ଷିତ କରିବା ପାଇଁ ସହାୟକ ହେବ। ଜରିମାନା ଆଦାୟ କେବଳ ନିୟମ ଭଙ୍ଗକାରୀମାନଙ୍କ ପାଇଁ। ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରି ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ହେଉଛି ମୁଖ୍ୟ ଲକ୍ଷ୍ୟ’’, କହିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

ସୋମବାର ଦିନ ଭୁବନେଶ୍ୱରର ସେଣ୍ଟର୍ ଫର୍ ୟୁଥ୍ ଆଣ୍ଡ୍ ସୋସିଆଲ୍ ଡେଭେଲପ୍‌ମେଣ୍ଟ (ସିୱାଇଏସ୍‌ଡି) ପକ୍ଷରୁ ଆୟୋଜିତ ସଡ଼କ ସୁରକ୍ଷା ଓ ଶୃଙ୍ଖଳା ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗଦେଇ ଏହା କହିଛନ୍ତି ପୋଲିସ କମିଶନର।

“ନିୟମରେ ପରିବର୍ତ୍ତନ କରାଯାଇ ନାହିଁ। ହେଲେ ନିୟମ ଭାଙ୍ଗିଲେ ଜରିମାନା ଆଦାୟକୁ ବୃଦ୍ଧି କରାଯାଇଛି। ଆଇନ୍‍ର ଉଦ୍ଦେଶ୍ୟ ଜରିମାନା ଆଦାୟ କରିବା ନୁହେଁ, ବରଂ ଆମେ ସମସ୍ତେ ଆଶାବାଦୀ ହେବା ଉଚିତ୍‍ ଯେ ଦେଶ ଓ ସମାଜରେ ପରିବର୍ତ୍ତନ ଆସୁଛି’’, କହିଛନ୍ତି କମିଶନର ସୁଧାଂଶୁ ଷଡ଼ଙ୍ଗୀ।

କମିଶନର ଆହୁରି କହିଛନ୍ତି, “ସଡ଼କ ସୁରକ୍ଷା ପାଇଁ ସଚେତନତା ବୃଦ୍ଧି କରିବା ଦିଗରେ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ। ପୋଲିସ ମଧ୍ୟ ସହଯୋଗର ହାତ ବଢାଇବ। ବର୍ତ୍ତମାନ ଆମେ ସଚେତନ କରାଉଛୁ। ଯେଉଁମାନେ ନିୟମ ମାନୁଛନ୍ତି ତାଙ୍କୁ ଧନ୍ୟବାଦ କାର୍ଡ ଏବଂ ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କର ଚାଲାଣ କାଟୁଛୁ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଏହି ନିୟମକୁ ନେଇ ସଚେତନ କରିବା ପାଇଁ ଅନେକ ନାଗରିକ କମିଟି, ଶିକ୍ଷାନୁଷ୍ଠାନ ଅନୁରୋଧ କରିଛନ୍ତି। କ୍ରୀଡାବିତ୍‍, କଳାକାରଙ୍କ ସହଯୋଗରେ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି କର୍ମଶାଳାରେ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଆଗାମୀ ଦିନରେ କଟକ-ଭୁବନେଶ୍ୱର ଭିତରେ ଲେନ୍‍ ଡ୍ରାଇଭିଂକୁ ଗୁରୁତ୍ୱ ଦିଆଯିବ। ଲୋକମାନେ କିପରି ଲେନ୍‍ ଡ୍ରାଇଭିଂ ଅଭ୍ୟାସରେ ପଡିବେ ସେଥି ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଲୋକମାନେ ଏହି ବିଷୟରେ ଜାଣିଲେ ଓ ସଚେତନ ହେଲେ ଏହାର ସୁଫଳ ଅନ୍ୟ ସ୍ଥାନରେ ପ୍ରତିଫଳିତ ହୋଇପାରିବ।

ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପ୍ରଥମ। ଆମ ଦେଶରେ ଏକ ବର୍ଷ ମଧ୍ୟରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକ ବିଭିନ୍ନ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି। ସେହିପରି ଓଡ଼ିଶାରେ ବାର୍ଷିକ ପ୍ରାୟ ୫୦୦୦ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ମଦ୍ୟପାନ କରି ଗାଡ଼ି ଚଳାଇବା, ଅଧିକ ବେଗରେ ଗାଡ଼ି ଚଳାଇବା ଏବଂ ଟ୍ରାଫିକ୍‍ ନିୟମ ଉଲ୍ଲଂଘନ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ଓଡ଼ିଶା ପରିବହନ କମିଶନର୍‍ ସଞ୍ଜିବ ପଣ୍ଡା କହିଛନ୍ତି।

“ବର୍ତ୍ତମାନର ସଂଶୋଧିତ ଆଇନ୍‍ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଜନସାଧାରଣ ତଥା ନାଗରିକ ସମୁହମାନେ କିପରି ପ୍ରଶାସନ ସହ ମିଶି ଶୃଙ୍ଖଳିତ ଭାବେ ଏହାକୁ ସଫଳ ଭାବେ କାର୍ଯ୍ୟକାରୀ କରିବେ ତାହା ହେଉଛି ଏହି ଆଲୋଚନାଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ’’, ଏହା କହିଛନ୍ତି ପୂର୍ବତନ ସଚିବ ତଥା ଫୋରମ୍‍ ଫର୍‍ ସ୍ମାର୍ଟ ସିଟିଜେନ୍‍ର ଆବାହକ ବିଜୟ କୁମାର ପଟ୍ଟନାୟକ।

ଏହି ଆଲୋଚନା ଚକ୍ରକୁ ସିୱାଇଏସ୍‍ଡିର ମାର୍ଗଦର୍ଶକ ଜଗଦାନନ୍ଦ ପରିଚାଳନ କରିଥିଲେ। ଆଲୋଚନାଚକ୍ରରେ ସମାଜସେବୀ ଚିଦାତ୍ମିକା ଖଟୁଆଙ୍କ ସମେତ ଭୁବନେଶ୍ୱରର ଆବସିକ କମିଟି, ବରିଷ୍ଠ ନାଗରିକ, ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Comment