ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୁଇନ ସିଟିର ପୋଲିସ କମିସନର ଥିବା ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀଙ୍କ ହଠାତ୍ ବଦଳିକୁ ନେଇ ସବୁଠି ଚର୍ଚ୍ଚା।

୨୦୧୯, ଅଗଷ୍ଟ ୨୦ ତାରିଖରେ କଟକ ଭୁବନେଶ୍ୱର ପୋଲିସ କମିସନର ଭାବେ ଯୋଗ ଦେଇଥିଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଠିକ୍‌ ଦେଢ଼ ବର୍ଷର କାର୍ଯ୍ୟକାଳ ପରେ ସୋମବାର ତାଙ୍କର ବଦଳି କରାଯାଇଛି। ନିକଟରେ ୨୨ ବର୍ଷ ତଳର ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିବା ପରେ ସେ ଅନେକ ପ୍ରଶଂସା ସାଉଣ୍ଟିଥିଲେ। ଏମିତିକି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଚିଠି ଲେଖି ତାଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିଥିଲେ। କିନ୍ତୁ ମାତ୍ର କିଛି ଦିନରେ ସବୁ କିଛି ବଦଳିଯାଇଛି। ନିଜ କାର୍ଯ୍ୟକାଳ ଭିତରେ ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ରହିଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ହଠାତ କାହିଁକି ବଦଳିଲେ ସିପି?

ସୋମବାର ସନ୍ଧ୍ୟାରେ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଅନ୍ୟ କେତେ ଜଣ ଅଫିସର ବଦଳି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତି ଆସିବା ପରେ କାହିଁକି ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି କରାଗଲା ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥିଲା। ତେବେ ଗତ କିଛି ଦିନରେ କଟକ, ଭୁବନେଶ୍ୱର କମିସନରେଟ ଅଞ୍ଚଳରେ ଅପରାଧ ବଢ଼ିଥିଲା ବେଳେ ଅପରାଧିକ ମାମଲା ନିୟନ୍ତ୍ରଣ କରିବାରେ କମିସନରେଟ୍‌ ପୋଲିସ ବିଫଳତାକୁ ନେଇ ସଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛିଦିନର ଏକାଧିକ ଅପରାଧିକ ମାମଲା ପରେ କଟକ ଭୁବନେଶ୍ୱରରେ ଆଇନଶୃଙ୍ଖଳା ବିଗିଡ଼ିଥିବାରୁ ପୋଲିସ କମିସନର ପଦରୁ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ବଦଳି କରାଯାଇଥିବା ଆଲୋଚନା ହେଉଛି।

ଅନ୍ୟପଟେ ଗତ କିଛି ମାସ ହେବ ରାଜଧାନୀ ଛିନତାଇ, ରାହାଜାନୀ, ସାଇବର ଅପରାଧୀଙ୍କ ଉପଦ୍ରବ ବଢ଼ିଛି। ଏମାନଙ୍କୁ ଧରିବାରେ ମଧ୍ୟ ପୋଲିସ ଏତେଟା ସଫଳତା ପାଇନି। ଏହାମଧ୍ୟ ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳିର ଆଉ ଏକ କାରଣ ବୋଲି ଚର୍ଚ୍ଚା ହେଉଛି।

ସେହିପରି ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ  ୨୨ ବର୍ଷ ପରେ ପୁଣେରୁ ଗିରଫ କରି କମିସନରେଟ ପୋଲି ବାହା ବାହା ସାଉଣ୍ଟିଥିଲା। ଅଭିଯୁକ୍ତକୁ ଗିରଫ କରିବା ପରେ ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ‘‘ସିବିଆଇ ଯାହା କରିପାରିଲାନି, ଆମେ ତାହା କରି ଦେଖାଇଲୁ’’। କମିସନରଙ୍କ ଏଭଳି ବୟାନକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହୋଇଥିଲା। ଜଣେ ସର୍ବଭାରତୀୟ ଅଧିକାରୀ କେନ୍ଦ୍ର ଓ ରାଜ୍ୟକୁ ନେଇ ତୁଳନାତ୍ମକ ମନ୍ତବ୍ୟ ଦେବା ଉଚିତ ନୁହେଁ ବିଭିନ୍ନ ମହଲରୁ ଶୁଣିବାକୁ ମିଳିଥିଲା। ଏହା ମଧ୍ୟ ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳିର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।

ଗଣମାଧ୍ୟମର ଶିରୋନାମା ପାଲଟିଥିଲେ ସୁଧାଂଶୁ ଷଡ଼ଙ୍ଗୀ

ବିଦାୟୀ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ନିଜ କାର୍ଯ୍ୟକାଳ ଭିତରେ ଅନେକ ସମୟରେ ଗଣମାଧ୍ୟମର ଶିରୋନାମା ପାଲିଟିଛନ୍ତି। କେତେବେଳେ ପୁଅ ମାନଙ୍କୁ ରୋଷେଇ ଶିଖିବାକୁ ଟିପ୍ସ ଦେଇ ତ କେତେବେଳେ ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କୁ ଲଭ୍‌ ଲେଟର ଦେବା କଥା କହି, ଆଉ କେତେବେଳେ ‘ଦାଦା ବଟିକୁ ନା’  କହି ସେ ଚର୍ଚ୍ଚିତ ହୋଇଛନ୍ତି।

ସେହିପରି ରୋଡ ରୋମିଓଙ୍କୁ ସାବାଡ କରିବା ଲାଗି ଓ ମହିଳାଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ସେ ‘ଏସ୍‌ପିଓ’ ଆରମ୍ଭ କରିଥିଲେ। ସେହିପରି କରୋନା ପରିଚାଳନା ଲାଗି ମଧ୍ୟ ତାଙ୍କୁ ଅନେକ ପ୍ରଶଂସା କରିଥିଲେ। ବ୍ୟାରିକେଡ ଯୋଗେ ଲୋକଙ୍କୁ ଅଟକାଇବା, କଣ୍ଟେନମେଣ୍ଟ ଜୋନକୁ ଗୁରୁତ୍ୱ ଦେବା ଓ କରୋନା ଭୂତାଣୁକୁ ଲୋକଙ୍କଠାରୁ ଦୂରେଇ ରଖିବାକୁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ। ଯେଉଁଥିପାଇଁ ଲଗାତର ସେ ଗଣମାଧ୍ୟମରେ ଥିଲେ।

କାର୍ଯ୍ୟକାଳ ଭିତରେ ଲୋକଙ୍କଠାରୁ ସ୍ନେହ, ସମ୍ମାନ ମିଳିଛି: ସୁଧାଂଶୁ ଷଡ଼ଙ୍ଗୀ

ପୋଲିସ କମିସନର ପଦରୁ ବିରତି ନେବା ପରେ ଏକ୍ ଟୁଇଟ କରି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି,‘‘ କର୍ତ୍ତବ୍ୟକୁ ସୂଚାରୁରୂପେ ତୁଲାଇବାକୁ ମୁଁ ଶତ ପ୍ରତିଶତ ଚେଷ୍ଟା କରିଛି। କେଉଁଠି ବି ଅବହେଳା କରିନାହିଁ। ଯାହା ବଦଳରେ ଲୋକଙ୍କଠାରୁ ସ୍ନେହ ଓ ସମ୍ମାନ ମିଳିଛି’’।

ଏହସହିତ ଟୁଇନ ସିଟିର ପୋଲିସ ମୁଖିଆ ଭାବେ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ବୋଲି ସେ ତାଙ୍କ ଟୁଇଟରେ ଲେଖିଛନ୍ତି।

ବିଦାୟୀ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପୂର୍ବରୁ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋର ନିର୍ଦ୍ଦେଶକ ଥିଲେ। ସେ ବ୍ରହ୍ମପୁର, ମାଲକାନଗିରି, ସୁନ୍ଦରଗଡ଼, ବାଲେଶ୍ୱର ଏବଂ କେନ୍ଦୁଝର ଏସ୍‌ପି ଭାବେ କାମ କରିଛନ୍ତି। ଏହା ସହ ସେ ଆଇଜି ଅପରେସନ, ପୋଲିସ ଗୃହ ନିର୍ମାଣ ନିଗମର ସିଏମ୍‌ଡି ଥିଲେ। ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ସହ ପୋଲିସ ମେଡାଲ ପାଇଛନ୍ତି।

Comment