ଓଡ଼ିଶାଲାଇଭ୍ ବ୍ୟୁରୋ

  • ନଭମ୍ବେର ୧ରୁ ମାର୍ଚ୍ଚ ୩୧ ଯାଏଁ ପ୍ରଥମ ପର୍ଯ୍ୟାୟ ରିକାର୍ପେଟିଂ
  • ରାତି ୧୦ଟାରୁ ଭୋର୍‌ ସାଢ଼େ ୫ଟା ଯାଏଁ ଚାଲିବ କାମ
  • ଏପ୍ରିଲ ପହିଲାରୁ ଜୁନ୍ ୩୦ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ରିକାର୍ପେଟିଂ
  • ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମରାମତି
  • ଯାତ୍ରୀମାନେ ଅସୁବିଧା ଭୋଗିବେ ନାହିଁ – ବିମାନ ବନ୍ଦର ନିର୍ଦ୍ଦେଶକ

‘‘ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ରନୱେ ରିକାର୍ପେଟିଂ କାମ ହେବ। ପ୍ରଥମ ପର୍ଯ୍ୟାୟ ରିକାର୍ପେଟିଂ କାମ ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏଁ ଚାଲିବ। ରାତି ୧୦ଟାରୁ ଭୋର ସାଢ଼େ ୫ଟା ଯାଏଁ ରିକାର୍ପେଟିଂ ହେବ। ରାତିରେ ବିମାନ ଚଳାଚଳ କମ୍ ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ରାତିରେ ଯେଉଁ ବିମାନ ଚଳାଚଳ କରୁଛି ସେସବୁର ସମୟ ପରିବର୍ତ୍ତନ କରାଯିବ। ଏନେଇ ଏୟାରଲାଇନ୍ସକୁ ଅବଗତ କରାଯାଇଛି’’, ଓଡ଼ିଶାଲାଇଭ୍‌କୁ କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା।

ରନୱେର ରିକାର୍ପେଟିଂ କାମ ପ୍ରତି ୧୦ ବର୍ଷରେ ହେବା କଥା। ଯଦି କୌଣସି ବିମାନ ବନ୍ଦରରେ ଅଧିକ ବିମାନ ଚଳାଚଳ ଅଧିକ ହେଉଛି ତାହାଲେ ୧୦ ବର୍ଷ ପୂର୍ବରୁ ବି ରିକାର୍ପେଟିଂ କରାଯାଉଛି। ଭୁବନେଶ୍ୱର ବିମାନ ବନ୍ଦରର ରନୱେ ରିକାର୍ପେଟିଂ ୨୦୦୭ରେ ହୋଇଥିଲା। ଏଣୁ ରନୱେର ସୁରକ୍ଷା ପାଇଁ ଏବେ ରିକାର୍ପେଟିଂ କରିବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ରିକାର୍ପେଟିଂ ଏପ୍ରିଲ ପହିଲାରୁ ଜୁନ୍ ୩୦ ଯାଏଁ ଚାଲିବ। ଦ୍ୱିତୀୟ ପର୍ଯ୍ୟାୟ ରିକାର୍ପେଟିଂ ଦିନ ବେଳେ ହେବ। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ରନୱେ ରିକାର୍ପେଟିଂ କାମ ହେବ।

‘‘ଆମ ଏୟାରପୋର୍ଟରେ ସକାଳେ ଏବଂ ସନ୍ଧ୍ୟା ବେଳେ ଅଧିକ ବିମାନ ଚଳାଚଳ କରିଥାଏ। ରିକାର୍ପେଟିଂକୁ ଦୃଷ୍ଟିରେ ରଖି ବିମାନ ଚଳାଚଳର ସମୟରେ ପରିବର୍ତ୍ତନ କରାଯିବ। ଫଳରେ ଯାତ୍ରୀମାନଙ୍କୁ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ’’, କହିଛନ୍ତି ସୁରେଶ ଚନ୍ଦ୍ର ହୋତା।

Comment