ଓଡ଼ିଶାଲାଇଭ୍‌ ବ୍ୟୁରୋ

ନର୍ସ ନିହାରିକା ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇଛି ଜଗତ୍‌ସିଂହପୁର ପୋଲିସ। ଏସ୍‌ପି ଆର୍ ପ୍ରକାଶ ସାମ୍ବାଦିକ ସମ୍ମିଳନୀ କରି ନିହାରିକା ହତ୍ୟାକାଣ୍ଡର ପୂରା କାହାଣୀ ବଖାଣିଛନ୍ତି। କାହିଁକି, କିଏ ଏବଂ କେବେ ନିହାରିକାଙ୍କୁ ହତ୍ୟାକଲା ତା’ର ପୂରା ଚିତ୍ର ବଖାଣିଛନ୍ତି ଏସ୍‌ପି।

ଏସ୍‌ପି କହିଛନ୍ତି, ‘‘ନିହାରିକାକୁ କେବଳ ରାଜା ହିଁ ମାରିଛି। ଏହି ହତ୍ୟାକାଣ୍ଡରେ ଆଉ କେହି ସଂପୃକ୍ତ ନାହାନ୍ତି। ନିହାରିକାଙ୍କୁ କେମିତି ହତ୍ୟା କଲା ଏବଂ କେମିତି ବିଲୁଆଖାଇ ନଦୀ ପଠାକୁ ଆସିଲା ତାର ଡେମୋ ଦେଖାଇଥିଲା ରାଜା। ନିହାରିକା ହତ୍ୟାକାଣ୍ଡରେ ରାଜାର ହାତ ଥିବା ସେ ମାନିଛି। ଆମେ ତାକୁ କୋର୍ଟ ଚାଲାଣ କରିବୁ ଏବଂ ପରେ ରିମାଣ୍ଡରେ ଆଣିବୁ।’’

କାହିଁକି ନିହାରିକାକୁ ମାରିଲା ରାଜା?

ନିହାରିକା କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଷ୍ଟାଫ୍‌ ନର୍ସ ଭାବେ ଚାକିରି କରିଥିଲା। ମାମୁ ଘର ବିରିଡିରେ ରହି ନର୍ସିଂ କରୁଥିବା ବେଳେ ସେ ଭିଙ୍ଗାରପୁରର ରାଜା ଓରଫ୍‌ କିଶୋର ଅଞ୍ଚଳକୁ ଭଲ ପାଇଥିଲା। ପ୍ରେମ ସମ୍ପର୍କ ପରେ ନିବିଡ଼ ହୋଇଥିଲା। ନିହାରିକାକୁ ବାହା ହେବା ପାଇଁ ରାଜା ପ୍ରସ୍ତାବ ଦେଇଥିଲା। କିନ୍ତୁ ରାଜା ବେକାର ଥିବାରୁ ନିହାରିକାର ଘର ଲୋକ ରାଜି ହୋଇ ନଥିଲେ। ଏହାକୁ ନେଇ ଅନେକବାର ନିହାରିକା ଏବଂ ରାଜା ଭିତରେ କଥା କଟାକଟି ହୋଇଛି। ହେଲେ କୌଣସି ସମାଧାନର ରାସ୍ତା ବହାରି ନଥିଲା।

ଏହାପରେ ସୁଚିନ୍ତିତ ଯୋଜନା କରିଥିଲା ରାଜା। ଗତ ୮ ତାରିଖରେ କୌଣସି ବାହାନା ଦେଖାଇ ନର୍ସିଂହୋମରୁ ନିହାରିକାକୁ ବାଇକ୍‌ରେ ନେଇ ଆସିଥିଲା ରାଜା। କଟକ ଚାଉଳିଆଗଞ୍ଜର ସାଙ୍ଗ ଘରକୁ ନିହାରିକାକୁ ନେଇ ଆସିଥିଲା ରାଜା।

ସେହିଠାରେ ସେ ନିହାରିକାର ତଣ୍ଟି ଚିପି ହତ୍ୟା କରିଥିବା ଏସ୍‌ପି କହିଛନ୍ତି।

କଟକରୁ ବିଲୁଆଖାଇ ନଦୀପଠା ଗଲା ମୃତଦେହ

କଟକରେ ନିହାରିକାକୁ ହତ୍ୟା କରିବା ପରେ ରାଜା ପଲିଥିନ ବ୍ୟାଗରେ ମୃତଦେହ ଭର୍ତ୍ତି କରି ବାନ୍ଧିଥିଲା। ନିଜ ବାଇକରେ ଏହି ଜରି ଅଖାକୁ ରଖି ବିରିଡି ବିଲୁଆଖାଇ ନଦୀ ପଠାରେ ଫିଙ୍ଗି ଦେଇଥିଲା। ଏସବୁ କାମ ନିଜେ ରାଜା ହିଁ କରିଥିଲା। ହତ୍ୟାକାଣ୍ଡ ପରେ ରାଜା ଫେରାର ହୋଇଯାଇଥିଲା।

କେମିତି ମିଳିଲା ସୁରାକ୍‌?

ଗତ ୮ ତାରିଖରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ୯ ତାରିଖରେ ନର୍ସିଂହୋମ କର୍ତ୍ତୃପକ୍ଷ ମଧୁପାଟଣା ଥାନାରେ ଏତଲା ଦେଇଥିଲେ। ହେଲେ ନିହାରିକାର କୌଣସି ପର୍ତ୍ତା ମିଳି ନଥିଲା। ୧୭ ତାରିଖରେ ବିଲୁଆଖାଇ ନଦୀପଠାରୁ ହାତଗୋଡ଼ ବନ୍ଧା ଥିବା ମୃତଦେହ ଉଦ୍ଧାର କରିଥିଲା ପୋଲିସ। ଏହା ନିହାରିକାଙ୍କର ବୋଲି ଘର ଲୋକ ଚିହ୍ନଟ କରିଥିଲେ।

ନିହାରିକାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ବିରିଡି ଥାନାରେ ଅଭିଯୋଗ କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ରାଜାର ହାତ ଥିବା ନିହାରିକାର ବାପା ପୋଲିସକୁ କହିଥିଲେ। ଏହାକୁ ନେଇ ପୋଲିସ ଛାନ୍‌ଭିନ୍‌ କରିଥିଲା। ରାଜାର ଘରକୁ ଯାଇଥିଲା ପୋଲିସ। କିନ୍ତୁ ରାଜା ଫେରାର ଥିବାରୁ ପୋଲିସର ସନ୍ଦେହ ବଢ଼ିଥିଲା।  ରାଜାକୁ ଧରିବା ପାଇଁ ପୋଲିସ ଜାଲ ବିଛାଇଥିଲା।

ଗତ ୨୦ ତାରିଖରେ ରାଜା ନିଜ ଗାଁ ଭିଙ୍ଗାରପୁରକୁ ଆସିଥିବା ପୋଲିସ ଜାଣିପାରିଥିଲା। ଗାଁକୁ ଯାଇ ରାଜାକୁ ଗିରଫ କରିଥିଲା ପୋଲିସ। ଏକ ଅଜଣାସ୍ଥାନକୁ ନେଇ ପୋଲିସ ରାଜାକୁ ଜେରା କରିଥିଲା।

ରାଜା ପୋଲିସ ଆଗରେ ସବୁ ସତ ମାନିଥିଲା।

ସିସିଟିଭିରୁ ମିଳିଲା ପ୍ରମାଣ

ରାଜା ନିହାରିକାଙ୍କୁ ହତ୍ୟା କରିବା ପରେ ଏକୁଟିଆ ଜରି ଅଖାରେ ଭର୍ତ୍ତି କରି ବାଇକ୍‌ରେ ନେବା ଘଟଣା ସିସିଟିଭିରେ କଏଦ୍‌ ହୋଇଥିଲା। ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଛି। ସେହିପରି ଫୋରନେସିକ୍‌ ଲ୍ୟାବର ପ୍ରମାଣ ମଧ୍ୟ ପୋଲିସ ପାଖରେ ରହିଛି। ଏସବୁ ପ୍ରମାଣକୁ ଆଧାର କରି ରାଜାକୁ ହତ୍ୟାକାରୀ ଭାବେ ସ୍ୱୀକାର କରି ଗିରଫ କରିଛି ପୋଲିସ।

Comment