ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ ନର୍ସ ନିହାରିକା ହତ୍ୟା ମାମଲା ଉପରୁ ପୋଲିସ କେମିତି ହଟାଇଥିଲା ପରଦା। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।   

୮ ଦିନ ପରେ ସରିଯିବ ୨୦୧୯ ବର୍ଷ। ଏହାପୂର୍ବରୁ ନଜର ପକାଇବା ୨୦୧୯ରେ ହୋଇଥିବା ବଡ଼ ଅପରାଧ ଉପରେ। ଚଳିତ ବର୍ଷ ଏମିତି କିଛି ଅପରାଧ ହୋଇଥିଲା, ଯାହା ପୂରା ଓଡ଼ିଶାକୁ ଦୋହଲାଇକି ରଖିଦେଇଥିଲା। ଜଗତସିଂହପୁର ନର୍ସ ନିହାରିକା ହତ୍ୟା ମାମଲା ସେମିତି ଏକ ଘଟଣା। ବିଲୁଆଖାଇ ନଦୀପଠାରୁ ସେପ୍ଟେମ୍ଵର ୧୭ ତାରିଖରେ ଅଖା ଭିତରେ ମିଳିଥିବା ଜଣେ ଯୁବତୀଙ୍କ ମୃତଦେହ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ପରେ ଘଟଣାସ୍ଥଳରେ ବିରିଡ଼ି ପୋଲିସ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଥିଲା। ଛାନ୍‌ଭିନ୍‌ ପରେ ଜଣାପଡ଼ିଥିଲା ମୃତଦେହ ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିଆପାଟଣାର ନର୍ସ ନିହାରିକାଙ୍କର।

କେମିତି ମିଳିଲା ମୃତଦେହ?

ସେପ୍ଟେମ୍ଵର ୧୭ ତାରିଖ ଜଗତସିଂହପୁର ବିରିଡ଼ି ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରେ ଅଖାଭିତରୁ ଜଣେ ଯୁବତୀଙ୍କର ମୃତଦେହ ଉଦ୍ଧାର ହୋଇଥିଲା। କିଛି ଲୋକ ନଦୀକୁ ଯାଉଥିବା ବେଳେ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରେ ମୃତଦେହ କାହାର ତାକୁ ନେଇ ପୋଲିସ କରିଥିଲା ଛାନ୍‌ଭିନ୍‌। ଘଟଣାକୁ ନେଇ ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଯାଇଥିଲା। ମୃତଦେହ କାହାର? ତାକୁ ନେଇ ବଢ଼ିବାକୁ ଲାଗିଲା ସପେନ୍ସ।

ବିରିଡ଼ା ଥାନା ପୋଲିସ ଆଖପାଖରେ ଥିବା ସବୁ ଥାନାକୁ ଖବର ଦେଇଥିଲା। କେଉଁ ଥାନାରେ ନିଖୋଜ ଖବର ରହିଛି ଯାଞ୍ଚ କରାଯାଇଥିଲା। ଶେଷରେ ଜଣାପଡ଼ିଥିଲା କଟକ ମଧୁପାଟଣା ଥାନାରେ  ୯ଦିନ ତଳେ ଏକ ନିଖୋଜ ମାମଲା ଦିଆଯାଇଥିଲା। ନର୍ସ ନିହାରିକା ପାତ୍ରଙ୍କର। ନିହାରିକା କଟକରେ ଏକ ଘରୋଇ ନର୍ସିଂ ହୋମରେ ଚାକିରି କରୁଥିଲେ। ଗତ ୮ତାରିଖରୁ ସେ ନିଖୋଜ ଥିଲେ। ପରେ ପରିବାର ତାଙ୍କ ନିଖୋଜ ଅଭିଯୋଗ ମଧୁପାଟଣା ଥାନାରେ ଦେଇଥିଲେ। ମଧୁପାଟଣା ପୋଲିସ ନିହାରିକାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଖବର ଦେଇଥିଲେ। ମିଳିଥିବା ଶବ ନିହାରିକାର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ। ଏହାପରେ ପୋଲିସ ହତ୍ୟାକାରୀକୁ ଧରିବାକୁ ଆରମ୍ଭ କରିଥିଲା ଛାନ୍‌ଭିନ୍‌।

ପୋଲିସ ଟାର୍ଗେଟରେ ଆସିଲା ବୟଫ୍ରେଣ୍ଡ

ହତ୍ୟାକାଣ୍ଡ ପଛରେ ପ୍ରେମ ଜନିତ କାରଣ ଥାଇ ପାରେ ବୋଲି ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସର ପ୍ରଥମ ଟାର୍ଗେଟରେ ଆସିଥିଲା ନିହାରିକାର ବୟଫ୍ରେଣ୍ଡ ରାଜା ଓରଫ କିଶୋର ଆଞ୍ଚଲ। ରାଜାକୁ ଧରିବାରୁ ପୋଲିସ ପ୍ରୟାସ ଆରମ୍ଭ କରି ଦେଇଥିଲା। ରାଜା ଘରୁ ଫେରାର ଥିବାରୁ ପୋଲିସର ସନ୍ଦେହ ଆହୁରି ବଢ଼ି ଯାଇଥିଲା। ହେଲେ ଘଟଣାରେ ହଠାତ୍‌ ନୂଆ ମୋଡ଼ ନେଇଥିଲା ରାଜା ନିଜେ ଯାଇ ପୋଲିସ ପାଖରେ ଆତ୍ମସମର୍ପଣ କରଥିଲା। ହେଲେ ଏଯାଏଁ ପୋଲିସ ପ୍ରକୃତ ହତ୍ୟାକାରୀ କିଏ ଜାଣି ପାରିନଥିଲା।

ସିସିଟିଭିରୁ ମିଳିଲା ପ୍ରମାଣ

ହତ୍ୟାକାରୀକୁ ଧରିବା ପାଇଁ ପୋଲିସ ସବୁ ପ୍ରକାର ପ୍ରୟାସ ଜାରି ରଖିଥିଲା। ରାଜାକୁ ମଧ୍ୟ ପୋଲିସ ଏକ ଅଜଣା ଜାଗାରେ ରଖି ପଚରା ଉଚରା ଜାରି ରଖିଥିଲା। ଶେଷରେ ପୋଲିସ ହାତରେ ଲାଗିଥିଲା ବଡ଼ ସୁରାକ। ହସ୍ପିଟାଲର ସିସିଟିଭିରୁ ଜଣାପଡ଼ିଥିଲା ଘଟଣା ଦିନ ନିହାରିକା ରାଜା ସହ କେଉଁଆଡ଼େ ଯାଇଥିଲା। ପରେ ରାଜା ସବୁ ସତ ମାନିଯାଇଥିଲା। ସେ ନିହାରିକାକୁ ଚାଉଳିଆଗଞ୍ଜସ୍ଥିତ ତା ସାଙ୍ଗ ଘରକୁ ନେଇକି ଯାଇଥିଲା। ସେଠାରେ ମଧ୍ୟ ପୋଲିସ ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭିରେ ରାଜା ଏକ ଅଖା ତା ବାଇକରେ ନେଇ କେଉଁଆଡ଼େ ଯାଉଥିବାର ଦେଖାଯାଇଥିଲା।

କାହିଁକି ନିହାରିକାକୁ ମାରିଲା ରାଜା?

ନିହାରିକା କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଷ୍ଟାଫ୍‌ ନର୍ସ ଭାବେ ଚାକିରି କରିଥିଲା। ମାମୁ ଘର ବିରିଡ଼ିରେ ରହି ନର୍ସିଂ କରୁଥିବା ବେଳେ ସେ ଭିଙ୍ଗାରପୁରର ରାଜା ଓରଫ୍‌ କିଶୋର ଅଞ୍ଚଳକୁ ଭଲ ପାଇଥିଲା। ପ୍ରେମ ସମ୍ପର୍କ ପରେ ନିବିଡ଼ ହୋଇଥିଲା। ନିହାରିକାକୁ ବାହା ହେବା ପାଇଁ ରାଜା ପ୍ରସ୍ତାବ ଦେଇଥିଲା। କିନ୍ତୁ ରାଜା ବେକାର ଥିବାରୁ ନିହାରିକାର ଘର ଲୋକ ରାଜି ହୋଇ ନଥିଲେ। ଏହାକୁ ନେଇ ଅନେକବାର ନିହାରିକା ଏବଂ ରାଜା ଭିତରେ କଥା କଟାକଟି ହୋଇଛି। ହେଲେ କୌଣସି ସମାଧାନର ରାସ୍ତା ବହାରି ନଥିଲା।

ଏହାପରେ ସୁଚିନ୍ତିତ ଯୋଜନା କରିଥିଲା ରାଜା। ଗତ ୮ ତାରିଖରେ କୌଣସି ବାହାନା ଦେଖାଇ ନର୍ସିଂହୋମରୁ ନିହାରିକାକୁ ବାଇକ୍‌ରେ ନେଇ ଆସିଥିଲା ରାଜା। କଟକ ଚାଉଳିଆଗଞ୍ଜର ସାଙ୍ଗ ଘରକୁ ନିହାରିକାକୁ ନେଇ ଆସିଥିଲା ରାଜା। ସେଠାରେ ଦୁଇ ଜଣଙ୍କ ମଧ୍ୟରେ ବିବାହକୁ ନେଇ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା। ରାଜା କିଛି ଚାକିରି କରୁନଥିବାରୁ ନିହାରିକା ତାକୁ ବିବାହ କରିବନି ବୋଲି ସ୍ପଷ୍ଟ ମନା କରି ଦେଇଥିଲା। ଏଥିରେ ରାଜା ଉତ୍ୟକ୍ତ ହୋଇ ନିହାରିକାର ତଣ୍ଟିଚିପି ହତ୍ୟା କରିଥିଲା।

କେମିତି କଟକରୁ ବିଲୁଆଖାଇ ନଦୀପଠା ଗଲା ମୃତଦେହ?

କଟକରେ ନିହାରିକାକୁ ହତ୍ୟା କରିବା ପରେ ରାଜା ପଲିଥିନ ବ୍ୟାଗରେ ମୃତଦେହ ଭର୍ତ୍ତି କରି ବାନ୍ଧିଥିଲା। ନିଜ ବାଇକରେ ଏହି ଜରି ଅଖାକୁ ରଖି କଟକରୁ ୨୫ କିଲୋମିଟର ବିରିଡି ବିଲୁଆଖାଇ ନଦୀ ପଠାରେ ନେଇ ଫିଙ୍ଗି ଦେଇଥିଲା। ଏସବୁ କାମ ନିଜେ ରାଜା ହିଁ କରିଥିଲା। ହତ୍ୟାକାଣ୍ଡ ପରେ ରାଜା ଫେରାର ହୋଇଯାଇଥିଲା।

ପରେ ପୋଲିସ ରାଜାକୁ ଗିରଫ କରି ପଚରାଉଚରା ପରେ ସତ ମାନିଥିଲା। ବର୍ତ୍ତମାନ ରାଜା ଏହି ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଳିପିଙ୍ଗଳ ଜେଲରେ କଏଦୀ ଭାବରେ ରହୁଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment