ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ରେ ରାତାରାତି ବଦଳି ଥିଲା ରାନୁ ମଣ୍ଡଳଙ୍କ ଭାଗ୍ୟ। ଷ୍ଟେସନ୍‌ରୁ ଷ୍ଟାର ବନିଥିଲେ ରାନୁ। କେମିତି ଥିଲା ତାଙ୍କ ସଫର, ଜାଣନ୍ତୁ ଓଡ଼ିଶାଲାଇଭ୍‌ ‘ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟ’ରେ।

ଷ୍ଟେସନ୍‌ରୁ ଷ୍ଟାର ବନିଗଲେ ରାନୁ

ପ୍ରତିଭା ଥିଲେ ସଫଳତା ନିଶ୍ଚୟ ମିଳେ। ଏକଥା ପ୍ରମାଣ କରିଥିଲେ ପଶ୍ଚିମବଙ୍ଗର ରାନୁ ମଣ୍ଡଳ। ରେଳଷ୍ଟସନ୍‌ରୁ ଗୀତ ଗାଇ, ଭିକ ମାଗି ଗୁଜୁରାଣ ମେଣ୍ଟାଉଥିବା ଏହି ବିଧବା ମହିଳା ଜଣଙ୍କୁ ଏବେ ସାରା ଦେଶ ଜାଣିଛି। ରେଳଷ୍ଟେସନ୍‌ରୁ ବଲିଉଡ କଣ୍ଠଶିଳ୍ପୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ରାନୁ।

ବର୍ଷ ବର୍ଷ ଧରି ପଶ୍ଚିମବଙ୍ଗର ରାଣାଘାଟ ଷ୍ଟେସନ୍‌ରେ ଗୀତ ଗାଉଥିବା ରାନୁ ରାତାରାତି ସୋସିଆଲ ମିଡିଆ ସେନ୍ସେସନ୍‌ ପାଲଟିଗଲେ।

‘ଏକ ପ୍ୟାର କା ନଗ୍‌ମା’ ଗୀତ ରାନୁଙ୍କୁ କରିଥିଲା ଚର୍ଚ୍ଚିତ

ରେଲଓ୍ୱେ ଷ୍ଟେସନ୍‌ରେ ଲତା ମଙ୍ଗେସ୍କରଙ୍କ ଫେମସ୍‌ ଗୀତ ‘ଏକ ପ୍ୟାର୍‌ କା ନଗମା ହୈ’ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ ମଣ୍ଡଳ। ସେ ଗାଇଥିବା ଗୀତର ଭିଡିଓ ସୋସିଆଲ ମିଡିଆରେ ନିଆଁ ଭଳି ଖେଳି ଯାଇଥିଲା। ରାନୁଙ୍କର ଏହି ଗୀତ ପାଇଁ ସେ ଚାରିଆଡ଼େ ପ୍ରଶଂସିତ ହୋଇଥିଲେ। ଲୋକେ ତାଙ୍କୁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀର ଦ୍ୱିତୀୟ ଲତା ମଙ୍ଗେସ୍କର ବୋଲି ମଧ୍ୟ ସମ୍ବୋଧନ କରୁଥିଲେ।

ରାନୁଙ୍କ ଭାଗ୍ୟ ବଦଳେଇ ଥିବା ଯୁବକ

ରାନୁଙ୍କୁ ଷ୍ଟାର ବନେଇବା ପଛରେ ଜଣେ ଯୁବକଙ୍କ ହାତ ରହିଛି। ସେ ହେଲେ ୨୬ ବର୍ଷୀୟ ଯୁବକ ଅତିନ୍ଦ୍ର ଚକ୍ରବର୍ତ୍ତି। ଅତିନ୍ଦ୍ର ହେଉଛନ୍ତି ଜଣେ ଇଞ୍ଜିନିୟର। ରାନୁ ମଣ୍ଡଳ ଷ୍ଟେସନ୍‌ରେ ଗୀତ ଗାଉଥିବା ବେଳେ ରାନୁଙ୍କର ସ୍ଵର ଅତିନ୍ଦ୍ରଙ୍କୁ ଭଲ ଲାଗିଥିଲା। ଏହାପରେ ଅତିନ୍ଦ୍ର ରାନୁଙ୍କୁ ‘ଏକ ପ୍ୟାରକା ନଗ୍‌ମା ହୈ’ ଗୀତ ଗାଇବା ପାଇଁ କହିଥିଲେ। ରାନୁ ଏହି ଗୀତଟି ଗାଉଥିବା ବେଳେ ଅତିନ୍ଦ୍ର ତାଙ୍କର ଭିଡିଓ ବନେଇଥିଲେ, ଯାହାକୁ ପରବର୍ତ୍ତି ସମୟରେ ସେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ରାତାରାତି ଏହି ଭିଡିଓଟି ଭାଇରାଲ ହୋଇଥିଲା। ଫଳରେ ରାନୁ ରାତାରାତି ସୋସିଆଲ ମିଡିଆ ସେନ୍ସେସନ୍‌ ପାଲଟିଯାଇଥିଲେ।

ହିମେଶ୍‌ଙ୍କ ସହ ଗୀତ ଗାଇ ପୁଣି ଚର୍ଚ୍ଚାରେ ରାନୁ

ରାନୁଙ୍କ ଭାଇରାଲ ଭିଡିଓ ଦେଖି ବଲିଉଡର ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିୟା ରାନୁଙ୍କୁ ତାଙ୍କ ଆଗାମୀ ଫିଲ୍ମରେ ଗୀତ ଗାଇବା ପାଇଁ ସୁଯୋଗ ଦେଲେ। ବାସ୍‌ ଏହାପରେ ରାନୁ ମଣ୍ଡଳଙ୍କ ଭାଗ୍ୟ ବଦଳି ଯାଇଥିଲା।

ହିମେଶ ରେଶମିୟାଙ୍କ ଫିଲ୍ମ ‘ହାପି ହାର୍ଡି ଅର୍‌ ହିର’ରେ ଗୀତ ଗାଇ ରାନୁ ପୁଣି ଚର୍ଚ୍ଚିତ ହୋଇଯାଇଥିଲେ। ରାନୁଙ୍କର ଏହି ଭିଡିଓ ବି ସୋସିଆଲ ମିଡିଆରେ ଖେଳି ଯାଇଥିଲା।

ମେକ୍‌ଅପ୍‌କୁ ନେଇ ଟ୍ରୋଲ ହେଲେ ରାନୁ

ରାତାରାତି ଷ୍ଟାର ପାଲଟିଥିବା ରାନୁ ପୁଣି ତାଙ୍କ ମେକ୍‌ଅପ୍‌କୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ।

୨୦୧୯ରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲେ ରାନୁ କିନ୍ତୁ ଏଥର ତାଙ୍କ ଗୀତ ପାଇଁ ନୁହେଁ ତାଙ୍କ ମେକ୍‌ଅପ୍‌ ପାଇଁ। ରାନୁ ମଣ୍ଡଳଙ୍କ ମେକ୍‌ଅପ୍‌ ଲୁକ୍‌ ଦେଖି ଦର୍ଶକଙ୍କ ହୋସ୍‌ ଉଡ଼ିଯାଇଥିଲା।

ଏକ କାର୍ଯ୍ୟକ୍ରମରେ ରାନୁ ମୁହଁରେ ଅତ୍ୟଧିକ ମେକ୍‌ଅପ୍‌ କରିଥିବା ଦେଖିବାକୁ ମିଳିଥିଲା, ଯାହା ତାଙ୍କ ରଙ୍ଗଠାରୁ ଅଧିକ ଉଜ୍ୱଳ ଦେଖାଯାଉଥିଲା। ଏହାସହ ଅନେକ ଅଳଙ୍କାରରେ ରାନୁ ଝଲସୁଥିଲେ। ସୋସିଆଲ ମିଡିଆରେ ରାନୁଙ୍କ ମେକ୍‌ଅପ୍‌ ଫଟୋ ଭାଇରାଲ ହେବା ସହିତ ତାଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା।

ସୋସିଆଲ ମିଡିଆ ୟୁଜର୍ସ ରାନୁଙ୍କ ପୁରୁଣା ଫଟୋ ସହ ମେକ୍‌ଅପ୍‌ ଫଟୋକୁ ତୁଳନା କରି ମଉଜିଆ ପୋଷ୍ଟ କରିଥିଲେ। ରାନୁଙ୍କ ଏହି ରୂପ ତାଙ୍କ ଭବିଷ୍ୟତଠାରୁ ଅଧିକ ଉଜ୍ଵଳ ବୋଲି କେହି କହୁଥିବା ବେଳେ କିଏ କହୁଥିଲେ ୨୦୨୦ ଓସ୍କାର ପୁରସ୍କାର ରାନୁଙ୍କ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କୁ ଦିଆଯାଉ। ତେବେ ୨୦୧୯ରେ ଚର୍ଚ୍ଚାରେ ରହିଥିବା ରାନୁ ୨୦୨୦ରେ କ’ଣ କମାଲ କରୁଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।

 

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment