ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ରେ ଲଞ୍ଚ୍‌ ହୋଇଥିଲା ଜିଓ ଗିଗା ଫାଇବର। ଜିଓର ଜୟଯାତ୍ରା ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ୍‌-୨୦୧୯’ ରିପୋର୍ଟରେ।

୨୦୧୯ ମସିହା ରିଲାଏନ୍ସ ଇଣ୍ଡଷ୍ଟ୍ରି ପାଇଁ ଥିଲା ଖାସ୍‌ ବର୍ଷ। ଚଳିତବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀରେ ମୁକେଶ ଅମ୍ବାନି ଏକ ବଡ଼ ଘୋଷଣା କରି ଦେଶରେ ଚହଳ ପକାଇଦେଇଥିଲେ। ଜିଓ ଫୋନ୍, ଜିଓ ଟିଭି ପରେ ଭାରତର ଘରେ ଘରେ ଉନ୍ନତମାନର ବ୍ରଡବ୍ୟାଣ୍ଡ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ କମ୍ପାନି ଭାରତରେ ଲଞ୍ଚ୍‌ କରିଥିଲା ଜିଓ ଗିଗା ଫାଇବର୍। ଏହା ଥିଲା ୨୦୧୯ ବର୍ଷରେ ଭାରତୀୟ ବ୍ୟବସାୟ ଦୁନିଆର ସବୁଠାରୁ ଚର୍ଚ୍ଚିତ ଖବର।

ଗତ ଅଗଷ୍ଟ ମାସ ୧୨ ତାରିଖରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନି ଭାରତରେ ଜିଓ ଫାଇବର ଲଞ୍ଚ୍‌ କରିଥିଲେ। ଜିଓ ଫାଇବର ଜରିଆରେ କମ୍‌ ଦରରେ ଲେଶକଙ୍କୁ ଉନ୍ନତ ଇଣ୍ଟରନେଟ୍‌ ସେବା ଯୋଗାଇଦିଆଯିବ। ଏହି ବ୍ରଡବ୍ୟାଣ୍ଡ୍‌ରେ ୧୦୦ ଏମବିପିଏସ୍‌ରୁ ୧୦୦୦ ଏମବିପିଏସ୍ ବା ୧ ଜିବିପିଏସ୍ର ସ୍ପିଡ୍‌ ଇଣ୍ଟରନେଟ୍‌ ସୁବିଧା ଯୋଗାଇ ଦିଆଯିବ। ଆସନ୍ତା ଜାନୁଆରି ୨୦୨୦ରୁ ଜିଓ ଫାଇବର୍ ମାଧ୍ୟମରେ ଏହି ସେବା ଆରମ୍ଭ ହେବ।

ଘରେ ବସି ଦେଖିପାରିବେ ଫାଷ୍ଟ ଡେ ଫାଷ୍ଟ ସୋ

ଜିଓ ଗିଗା ଫାଇବରର କମ୍ପାନି ପକ୍ଷରୁ ଏକ ସେଟ ଅପ୍‌ ବକ୍ସ ଦିଆଯାଉଛି। ଏହା ମାଧ୍ୟମରେ ଗ୍ରାହକମାନେ ନିଜ ପସନ୍ଦର ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଏବଂ ସ୍ୱତନ୍ତ୍ର ଓଟିଟି ବା ଭିଡ଼ିଓ କଣ୍ଟେଣ୍ଟ ଦେଖିପାରିବେ। ତେବେ ୨୦୨୦ ମଧ୍ୟ ଭାଗରେ ଜିଓ ଗ୍ରାହକମାନେ ଘରେ ବସି ରିଲିଜ ହେଉଥିବା ବିଭିନ୍ନ ସିନେମାର ପ୍ରିମିୟର ସୋ ଦେଖିପାରିବେ। ଏଥିପାଇଁ କମ୍ପାନି ଯୋଜନା ପ୍ରସ୍ତୁତ କରିଛି।

ଟେଲିଭଜନ, ସୋସିଆଲ ମିଡିଆ ଭିଡିଓ ଏବଂ ଓଟିଟି – ଏ ସମସ୍ତ ଭିଡିଓ ପ୍ଲାଟଫର୍ମକୁ ଏବେ ଗୋଟିଏ ଜାଗାକୁ ଆଣିବକୁ ବସିଛି ଜିଓ। ଅର୍ଥାତ୍‌ ଜଣେ ଗ୍ରାହକ ବା ଡିଜିଟାଲ ମିଡିଆ ୟୁଜର ଅଲଗା ଅଲଗା ଡିଭାଇସ୍‌ ଏବଂ ଅଲଗା ଆପ୍ଲିକେଶନ ବ୍ୟବହାର ନକରି ଜିଓ ଗିଗା ଫାଇବର ଓ ସେଟ୍‌ ଅପ୍‌ ବକ୍ସ ଜରିଆରେ ଦେଶ ବିଦେଶର ପ୍ରମୁଖ ଭିଡିଓ ପ୍ଲାଟଫର୍ମର କଣ୍ଟେଣ୍ଟ ଦେଖିପାରିବେ।

ଲୋକାଲ୍ କେବୁଲ୍ ଟିଭି ଅପରେଟରଙ୍କୁ ଯୋଡ଼ିବାକୁ ଯାଉଛି ରିଲାଏନ୍ସ ଜିଓ

ଜିଓ ପକ୍ଷରୁ ଆରମ୍ଭ ହୋଇଥିବା ଗିଗା ଫାଇବର୍ ଏବଂ ଜିଓ ସେଟଅପ୍ ବକ୍ସ ଲଗାଇ ଲୋକାଲ୍ କେବୁଲ୍ ଅପରେଟରମାନେ ଦେଶ ବିଦେଶର ଆଗଧାଡ଼ିର ଚ୍ୟାନେଲଗୁଡ଼ିକୁ ପାଇପାରିବେ ଓ ତାକୁ ଲୋକାଲ୍ କେବୁଲ୍ କନେକ୍ସନ ମାଧ୍ୟମରେ ଗ୍ରାହକଙ୍କ ପାଖରେ ପହଞ୍ଚାଇପାରିବେ। ଏହି ଘୋଷଣା କରି କେବୁଲ ଟିଭି ଦୁନିଆରେ ମଧ୍ୟ ଜିଓ ଚହଳ ପକାଇଥିଲା।

ଦେଶର ୧ ଲକ୍ଷରୁ ଅଧିକ ଲୋକାଲ୍ କେବୁଲ୍ ଅପରେଟର ଜିଓ ସେଟଅପ୍ ବକ୍ସ ମାଧ୍ୟମରେ ଏଚ୍‌ଡି ଚ୍ୟାନେଲ୍ ପାଇପାରିବେ। ଏହାଫଳରେ ଲୋକାଲ୍ କେବୁଲ୍ ଅପରେଟରଙ୍କ ବ୍ୟବସାୟ ପ୍ରତି ଡିଟିଏଚ୍ ସେବା ଯୋଗୁଁ ସୃଷ୍ଟି ହୋଇଥିବା ବିପଦର ମୁକାବିଲା କରାଯାଇପାରିବ। ଫଳରେ ଛୋଟ ବଡ଼ ଲୋକାଲ କେବୁଲ୍ ଅପରେଟରଙ୍କ ବ୍ୟବସାୟକୁ ବଞ୍ଚାଇ ରଖିବା ସହିତ କେବୁଲ୍ ଟିଭି କନେକ୍ସନ ଥିବା ଗ୍ରାହକମାନଙ୍କୁ ଅତ୍ୟାଧୁନିକ ଟେଲିଭିଜନ୍ ସେବା ଯୋଗାଇ ଦେବାରେ ସମ୍ଭବ ହୋଇପାରିବ।

ଜିଓ ଆଣିବ ମିକ୍ସଡ୍‌ ରିଆଲିଟିର ଯାଦୁ

ଜିଓ ଫାଇବର ଓ ଜିଓ ସେଟ୍‌ ଅପ୍‌ ବକ୍ସ ପରେ ଆଗକୁ ଆସୁଛି ଜିଓ ଏମ୍‌ଆର୍‌। ଏମ୍‌ଆର୍‌ର ଅର୍ଥ ହେଉଛି ମିକ୍ସଡ୍‌ ରିଆଲିଟି। ଆପଣମାନେ ଅଗ୍‌ମେଣ୍ଟେଡ୍‌ ରିୟାଲିଟି(ଏଆର୍‌) ଏବଂ ଭର୍ଚୁଆଲ ରିଆଲିଟି(ଭିଆର୍‌) ବାବଦରେ ଜାଣିଥିବେ। ଏବେ ଜିଓ ଏହି ଦୁଇଟି ଅତ୍ୟାଧୁନିକ ଫିଚର୍‌କୁ ଯୋଡ଼ି ପ୍ରସ୍ତୁତ କରିଛି ମିକ୍ସଡ୍‌ ରିଆଲିଟି(ଏମ୍‌ଆର)। ଏହି ଏମ୍‌ଆର ହେଡ୍‌ସେଟ୍‌ ଲଗାଇ ନିଜ ଘର ଟିଭିରେ ଜଣେ ପାଇପାରିବେ ସିନେମା ହଲ୍‌ର ଅନୁଭୂତି।

କେବଳ ସିନେମା ନୁହେଁ, ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଜଣେ ଦର୍ଶକ ୩ଡି ଭିଡିଓ ଦେଖିବା ସହ ଗେମିଂର ମଜା ନେଇପାରିବେ। ମନୋରଞ୍ଜନ ଓ ଶିକ୍ଷାଠାରୁ ସପିଂ ପର୍ଯ୍ୟନ୍ତ ଆଧୁନିକ ଜୀବନର ବିଭିନ୍ନ ଦିଗକୁ ଏବେ ଆକର୍ଷଣ କରିବ ଜିଓର ଏହି ଏମ୍‌ଆର ଫିଚର।

 

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/JbiFeChOJ141BO7qioQFpj

Comment