ଓଡ଼ିଶାଲାଇଭ ବ୍ୟୁରୋ

ସମୟ ଗଡୁଛି ଉତ୍କଣ୍ଠା ମଧ୍ୟ ବଢ଼ି ଚାଲିଛି। ନର୍ସ ନିହାରିକା ପାତ୍ରଙ୍କୁ ହତ୍ୟା କଲା କିଏ? ବୟଫ୍ରେଣ୍ଡ ରାଜା, ନା ତାଙ୍କ ବନ୍ଧୁ? ତେବେ ଏସବୁ ତମାମ ପ୍ରଶ୍ନର ଖୁଲାସା କରିବ ଜଗତସିଂହପୁର ପୋଲିସ। ହତ୍ୟାକାଣ୍ଡକୁ ନେଇ ବଡ ସୁରାକ ପାଇଛି ପୋଲିସ। ଆଜି ସନ୍ଧ୍ୟାରେ ପ୍ରେସମିଟ୍‌ କରି ଏହାର ଖୁଲାସା କରିବେ ଜଗତସିଂହପୁର ଏସପି।

ଗତ ୧୭ ତାରିଖରେ ବିଲୁଆଖାଇ ନଦୀ ପଠାରେ ମିଳିଥିଲା ଏକ ଯୁବତୀଙ୍କ ହାତ, ଗୋଡ଼ ବନ୍ଧା ମୃତ୍ୟୁ ଦେହ। ଖବର ପାଇ ବିରିଡ଼ଥାନା ପୋଲିସ ଘଟମାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ। ଏହାପରେ ଖବର ଦେଇଥିଲା ମଧୁପାଟଣା ପୋଲିସକୁ। ତେବେ ଏହା ନର୍ସ ନିହାରିକାଙ୍କ ମୃତଦେହ ବୋଲି ପୋଲିସ ସନ୍ଦେହ କରିଥିଲା।

କାରଣ ୧୦ ଦିନ ତଳେ ନର୍ସ ନିହାରିକାଙ୍କ ନିଖୋଜ ହେବା ଅଭିଯୋଗ ମଧୁପାଟଣା ଥାନାରେ ରହିଥିଲା। ପରେ ମଧୁପାଟଣା ପୋଲିସ ନିହାରିକାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡକାଇଥିଲେ। ତେବେ ପରିବାର ଲୋକ ଡ୍ରେସରୁ ଏହା ନିହାରିକାଙ୍କ ମୃତଦେହ ବୋଲି ଜାଣିଥିଲେ।

ଏହାପରେ ଆରମ୍ଭ ହୋଇଥିଲା ତନାଘନା। ନର୍ସ ନିହାରିକାଙ୍କୁ ହତ୍ୟା କଲା କିଏ? ପୋଲିସର ସନ୍ଦେହ ଯାଇଥିଲା ବୟଫ୍ରେଣ୍ଡ ଉପରକୁ। ତେବେ ଶବ ମିଳିବାର କିଛିଦିନ ପରେ ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ବିରିଡି ଥାନାରେ ଆତ୍ମ ସମର୍ପଣ କରିଥିଲା।

ପୋଲିସ ତାକୁ ନେଇ ଏକ ଅଜଣା ଥାନାରେ ପଚରା ଉଚରା ମଧ୍ୟ କରିଥିଲା। ହେଲେ ଘଟଣାର ସତ୍ୟସତ୍ୟ ଏବେ ଯାଏଁ ମଧ୍ୟ ସାମ୍ନାକୁ ଆସି ପାରିନାହିଁ। ଏହାସହ ପୋଲିସର ସନ୍ଦେହ ରାଜାର ବନ୍ଧୁ ଉପରେ ମଧ୍ୟ ରହିଛି। ହତ୍ୟାରେ ରାଜାକୁ ତାଙ୍କ ବନ୍ଧୁ ସାହାଯ୍ୟ କରିଥିବା ବୋଲି ପୋଲିସ ସନ୍ଦେହ କରିଥିଲେ।

ଏହାସହ ନର୍ସ ନିହାରିକାର ହତ୍ୟା କଟକରେ କରାଯାଇଛି। କଟକରୁ ମୃତଦେହ ବାଇକରେ ନେବା ବେଳର ସିସିଟିଭି ଫୁଟେଜ ମଧ୍ୟ ରହିଛି। ଏହାସହ ହତ୍ୟାକାଣ୍ଡର ଯଥେଷ୍ଟ ପ୍ରମାଣ ରହିଛି ବୋଲି ଜଗତସିଂହପୁର ଏସପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ତେବେ ଏସବୁ ଘଟମଣାରୁ ପର୍ଦ୍ଦା ଉଠାଇବେ ଜଗତସିଂହପୁର ପୋଲିସ। ଶନିବାର ପ୍ରେସମିଟ୍‌ରେ ଘଟଣାକୁ ନେଇ ବଡ଼ ଖୁଲାସା କରିବେ ଜଗତସିଂହପୁର ଏସପି

Comment