ଓଡ଼ିଶାଲାଇଭ୍ ବ୍ୟୁରୋ

ନର୍ସ ନିହାରିକା ପାତ୍ର ମୃତ୍ୟୁରେ ଆଜି ଟୁଇଷ୍ଟ ଆସିଛି। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଅଜ୍ଞାତ ସ୍ଥାନରେ ବିରିଡି ପୋଲିସ ଏବଂ କଟକ ମଧୁପାଟଣା ପୋଲିସ୍‌ ରାଜାକୁ ପଚରା ଉଚରା କରୁଛନ୍ତି। ନିହାରିକା ମୃତ୍ୟୁକୁ ନେଇ ଯେଉଁ ସସ୍‌ପେନ୍ସ ଲାଗି ରହିଥିଲା ତା’ ଉପରୁ ପରଦା ହଟିପାରେ ବୋଲି କୁହାଯାଉଛି।

ଗତ ୮ ତାରିଖରୁ ନିହାରିକା ନିଖୋଜ ଥିଲେ। ହେଲେ ଗତ ଦୁଇ ଦିନ ତଳେ ଅଖା ଭିତରୁ ହାତଗୋଡ଼ ବନ୍ଧା ଥିବା ଏକ ମୃତଦେହ ବିଲୁଆଖାଇ ନଦୀ ପଠାରୁ ଜବତ କରାଯାଇଥିଲା। ଏହି ମୃତଦେହ ନିହାରିକାଙ୍କର ବୋଲି ତାଙ୍କ ପରିବାର ଲୋକ ଚିହ୍ନଟ କରିଥିଲେ। ତେବେ ନିହାରିକାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ତାକୁ ନେଇ ଖୋଳତାଡ଼ କରିଥିଲା ପୋଲିସ।

ଏହି ହତ୍ୟାକାଣ୍ଡ ପଛରେ ବୟଫ୍ରେଣ୍ଡ ରାଜାର ହାତ ଥିବା ନିହାରିକାଙ୍କ ବାପା ବିରିଡ଼ି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ରାଜାକୁ ଖୋଜିଥିଲା ପୋଲିସ। ରାଜାର ଗାଁ ଭିଙ୍ଗାପୁରକୁ ଯାଇ ବାରମ୍ବାର ଫେରିଥିଲା ପୋଲିସ। ହେଲେ ରାଜା ଫେରାର ଥିଲା। ତେବେ ରାଜା ଆଜି ଆତ୍ମସମର୍ପଣ କରିବା ପରେ ପୋଲିସ ତାକୁ ପଚରା ଉଚରା କରୁଛି।

‘‘ମୋ’ ଝିଅକୁ ଯିଏ ମାରିଛି ତାକୁ ଦଣ୍ଡ ମିଳୁ’’

‘‘ଯିଏ ଗରିବ ଝିଅକୁ ମାରିଛି ତାକୁ ଏମିତି ଦଣ୍ଡ ମିଳୁ’’, କାନ୍ଦି କାନ୍ଦି ଏହା କହିଛନ୍ତି ନିହାରିକାଙ୍କ ମା’।

ନିହାରିକା ଥିଲେ ବାପା, ମା’ଙ୍କ ଏକମାତ୍ର ଝିଅ। ସେ ପିଲାଟି ବେଳରୁ ଅଭାବ ଅନାଟନକୁ ପାଖରୁ ଦେଖିଥିଲେ। ଘରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ମାମୁ ଘର ବିରିଡିରେ ରହି ପାଠ ପଢ଼ିଥିଲେ। ମାମୁ ଘରେ ରହି ସେ ନର୍ସିଂ ପାଠ ଶେଷ କରିବା ପରେ କଟକର ଏକ ଘରୋଇ ନର୍ସିଂହୋମରେ ଚାକିରି କରିଥିଲେ। ସେଠାରୁ ସେ ଯାହା ଦରମା ପାଆନ୍ତି ସେଥିରେ ସେ ତାଙ୍କ ପରିବାର ଚଳାଇଥାନ୍ତି। ହେଲେ ରୋଜଗାରିଆ ଝିଅ ନହାରିକାଙ୍କୁ ହରାଇ ମା’ ବାପା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସେହି ବିଲୁଆଖାଇ…

୧୯୮୦ରେ ଜଗତ୍‌ସିଂହପୁର ଜିଲ୍ଲା ବିରିଡି ବ୍ଲକର ବିଲୁଆଖାଇ ନଦୀ ପଠାରେ ଘଟିଥିଲା ଲୋମହର୍ଷଣକାରୀ ଘଟଣା। ସାମ୍ବାଦିକ ନବକିଶୋର ମହାପାତ୍ରଙ୍କ ସ୍ତ୍ରୀ ଚବିରାଣୀଙ୍କୁ ସେହି ବିଲୁଆଖାଇ ନସୀ ପଠାରେ କିଛି ଦୁର୍ବୃତ ଗଣଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ। ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ୩୯ ବର୍ଷ ପରେ ସେହି ବିଲୁଆଖାଇ ନଦୀ ପଠାରେ ନର୍ସ ନିହାରିକାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ନିହାରିକାଙ୍କ ମୃତ୍ୟୁ କେମିତି ହେଲା ତାକୁ ନେଇ କାରଣ ଖୋଜା ଚାଲିଛି।

ନିହାରିକାଙ୍କ ମୃତ୍ୟୁକୁ ନେଇ ରାଜନୀତି

ନର୍ସ ନହାରିକାଙ୍କ ମୃତଦେହ ବିଲୁଆଖାଇ ନଦୀ ପଠାରୁ ମିଳିବା ପରେ ରାଜନୀତି ତେଜିଛି। ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ନିହାରିକାଙ୍କ ପରିବାରକୁ ଭେଟିଥିଲେ। ଏହାପରେ ବିଜେପି ପୋଲିସକୁ ଦାୟୀ କରିଛି। ପୋଲିସ ଯଦି ଠିକ୍‌ ସମୟରେ ତଦନ୍ତ କରିଥାନ୍ତା ତାହାଲେ ନିହାରିକାଙ୍କ ଜୀବନ ବଞ୍ଚି ଯାଇଥାନ୍ତା ବୋଲି କହିଛି ବିଜେପି।

ରାଜ୍ୟ ସରକାର କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି କହିଛି ବିଜେପି। ୪୮ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତକୁ ନଧରିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବିଜେପି ଧମକ ଦେଇଛି।

ଗତ ୮ ତାରିଖରୁ ନିହାରିକା ନର୍ସିଂହୋମରୁ କେଉଁ ଆଡ଼େ ଚାଲି ଯାଇଥିଲେ। ହେଲେ ସେ ତା’ ପରଦିନ ନର୍ସିଂହୋମକୁ ନଫେରିବାରୁ ତାଙ୍କ ଘର ସହିତ ଯୋଗାଯୋଗ କରିଥିଲେ ନର୍ସିଂହୋମ କର୍ତ୍ତୃପକ୍ଷ। କିନ୍ତୁ ସେ ଘରକୁ ଯାଇ ନଥିବା ଜଣାପଡ଼ିବା ପରେ ନର୍ସିଂହୋମ କର୍ତ୍ତୃପକ୍ଷ କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ।

ହେଲେ ପୋଲିସ ମିସିଂ ରିପୋର୍ଟ ରୁଜୁ କରି ଚୁପ୍ ବସିଥିଲା। ଏହାର କିଛିଦିନ ପରେ ନିହାରିକାଙ୍କ ମୃତଦେହ ବିଲୁଆଖାଇ ନଦୀ ପଠାରୁ ମିଳିଥିଲା। ନିହାରିକାଙ୍କ ବୟଫ୍ରେଣ୍ଡ ରାଜା ପୋଲିସ ପାଖରେ ଆତ୍ମସମର୍ପଣ କରିଥିବାରୁ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ ବୋଲି କୁହାଯାଉଛି।

Comment