ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଚତୁର୍ଥ ଓଡ଼ିଶା ଟୁରିଜିମ କନକ୍ଲେଭ ଅଦ୍ଭୁତପୂର୍ବ ଭାବେ ସଫଳ ହୋଇଛି। ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ଅନେକ ବ୍ୟକ୍ତିବିଶେଷ ଚଳିତ ଟୁରିଜିମ କନକ୍ଲେଭ୍‌ରେ ଯୋଗ ଦେଇ ସେମାନଙ୍କ ବହୁମୂଲ୍ୟ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ସରକାରଙ୍କୁ ରିପୋର୍ଟ ଦିଆଯିବ। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ବିକାଶ କ୍ଷେତ୍ରରେ ଏହା ନିଶ୍ଚିତ ରୂପେ ସହାୟକ ହେବ” କହିଛନ୍ତି ହାରୋ ଅଧ୍ୟକ୍ଷ ତଥା ସ୍ୱସ୍ତି ଚେୟାରମ୍ୟାନ ଜେ କେ ମହାନ୍ତି।

ସେପ୍ଟେମ୍ବର ୧୮ରେ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ହାରୋ) ପକ୍ଷରୁ ଚତୁର୍ଥ ଓଡ଼ିଶା ଟୁରିଜିମ କନକ୍ଲେଭ ଆୟୋଜିତ ହୋଇଥିଲା। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଏହି କନକ୍ଲେଭ୍‌ରେ ମାନସମନ୍ଥନ ହୋଇଥିଲା।

ଚଳିତ ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌ରେ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ହୋଟେଲ ଉଦ୍ୟୋଗୀ, ଟୁର୍ ଅପରେଟର୍, ମଡିଆ, ଡିଜିଟାଲ ମାର୍କେଟିଂ, ବ୍ଲଗର୍ସ, ଏୟାରଲାଇନ୍ସ ଅଧିକାରୀମାନେ ଯୋଗ ଦେଇଥିଲେ। ମୋଟ ୩୮୮ ସଦସ୍ୟଙ୍କ ମଧ୍ୟରୁ ପାଖାପାଖି ୨୨୦ ଜଣ ହୋଟେଲ ଉଦ୍ୟୋଗୀ ଥିଲେ। ସେହିପରି ୧୦୦ ଟୁର ଅପରେଟର ଏବଂ ଟ୍ରାଭେଲ ଏଜେଣ୍ଟ ଯୋଗ ଦେଇଥିଲେ।

ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ, ପର୍ଯ୍ୟଟନ ନିର୍ଦେଶକ ତଥା ଅନ୍ୟାନ୍ୟ ପର୍ଯ୍ୟଟନ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଓଡ଼ିଶା ପର୍ଯ୍ୟଟନର ବିକାଶ ଦିଗରେ ଆଲୋଚନା କରିଥିଲେ।

ହୋଟେଲ ରୁମ୍‌ ରେଣ୍ଟରେ ୨୮% ଜିଏସଟି ଉପରେ ଚର୍ଚ୍ଚା

ଭାରତରେ ହୋଟେଲ ଶିଳ୍ପ କ୍ଷେତ୍ରରେ ଦିନକୁ ୭ ହଜାର ୫୦୦ଟଙ୍କାର ରୁମ୍ ରେଣ୍ଟ ଥିବା ହୋଟେଲରେ ରହିବା ପାଇଁ ଗ୍ରାହକଙ୍କୁ ୨୮% ଜିଏସଟି ଦେବାକୁ ପଡ଼ୁଛି। ଯାହା ଭାରତର ପଡ଼ୋଶୀ ଦେଶ ତୁଳନାରେ ବହୁତ ଅଧିକ। ଅନ୍ୟ ଦେଶଗୁଡ଼ିକରେ ହୋଟେଲ ରେଣ୍ଟ ଶସ୍ତା। କାହିଁକି ନାଁ ସେଠାରେ ହୋଟେଲ ବାବଦକୁ ଟ୍ୟାକ୍ସ ବହୁତ କମ୍‌ ରହିଛି।

ଭାରତରେ ହୋଟେଲ ଟ୍ୟାକ୍ସ ୫ ପ୍ରତିଶତକୁ କମାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଥିବା ଜେ କେ ମହାନ୍ତି କହିଥିଲେ। ଏହାକୁ ଗୁରୁତର ସହ ଗ୍ରହଣ କରାଯିବ ବୋଲି କନକ୍ଲେଭ୍‌ରେ ଉପସ୍ଥିତ ରହି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରୂପିନ୍ଦର ବ୍ରାର କହିଥିଲେ।

ତେବେ ଆଗାମୀ ଭବିଷ୍ୟତରେ ହୋଟେଲ ରେଣ୍ଟ ଉପରେ ଜିଏସଟି ୨୮ ପ୍ରତିଶତରୁ ୫ ପ୍ରତିଶତ କମିବା ପାଇଁ ଆଶା କରାଯାଉଥିବା ଜେ କେ ମହାନ୍ତି କହିଛନ୍ତି।

ଦେଶର ପର୍ଯ୍ୟଟନ କ୍ଷେତ୍ରରେ ଭିତ୍ତିଭୂମି ବିକାଶର ଆବଶ୍ୟକତା

ଭାରତୀୟମାନେ ଛୁଟି କାଟିବା ତଥା ଉପଭୋଗ କରିବା ପାଇଁ ବିଭିନ୍ନ ଦେଶକୁ ଭ୍ରମଣରେ ଯାଆନ୍ତି। କାହିଁକି ନାଁ ଉକ୍ତ ଦେଶଗୁଡ଼ିକରେ ସେହିଭଳି ଭିତ୍ତିଭୂମି ମଧ୍ୟ ରହିଛି। ତେବେ ଆମ ଦେଶର ଭାରତୀୟଙ୍କ ପାଇଁ ଟୁରିଜିମ୍‌ କ୍ଷେତ୍ରରେ ସେହିଭଳି ଭିତ୍ତିଭୂମି ନଥିବା କହିଛନ୍ତି ଜେକେ ମହାନ୍ତି।

ଆଗାମୀ ୩ ବର୍ଷ ମଧ୍ୟରେ ପାଖାପାଖି ୧୦ ହଜାର କୋଟି ଟଙ୍କା ହୋଟେଲ ଶିଳ୍ପ, ହୋଟେଲ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯିବାର ଆବଶ୍ୟକତା ରହିଛି। ଏନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି। ଯାହାଫଳରେ କି ଦେଶର ଟଙ୍କା ଦେଶ ବାହାରକୁ ନଯାଇ ଦେଶରେ ହିଁ ରହିବ।

ପ୍ରତ୍ୟେକ ଭାରତୀୟ ନିଶ୍ଚିତ ଭାବେ ଦେଶର ୧୫ଟି ଘରୋଇ ପର୍ଯ୍ୟଟନସ୍ଥଳୀକୁ ବୁଲିଯିବା ଉଚିତ। ଏହା ଏକ ଉଚ୍ଚକୋଟୀର ବିଚାର। ତେବେ ଏଥିପାଇଁ ଉନ୍ନତ ଭିତ୍ତିଭୂମି ଯୋଗାଇଦେବା ଆବଶ୍ୟକ। ଯାହା ଦ୍ୱାରା ଆମ ଦେଶର ପର୍ଯ୍ୟଟନସ୍ଥଳୀ ମଧ୍ୟ ବିଦେଶଠାରୁ କୌଣସି ଗୁଣରେ କମ୍‌ ରହିବନି।

ଓଡ଼ିଶା ପର୍ଯ୍ୟଟନର ଡିଜିଟାଲ ମାର୍କେଟିଂ ଘରୋଇକରଣ ହେବା ଦରକାର

ଆମ ଓଡ଼ିଶାରେ ବିଭିନ୍ନ ଡିଜିଟାଲ ମିଡିଆ କମ୍ପାନି ଗଢ଼ି ଉଠିଛି। ତେବେ ରାଜ୍ୟ ସରକାର ଓଡ଼ିଶାର ପର୍ଯ୍ୟଟନକୁ ନେଇ ଭିଡ଼ିଓ ପ୍ରେଜେଣ୍ଟେସନ ତଥା ଛୋଡ଼ ଭିଡିଓ ନିର୍ମାଣ ପାଇଁ ଉକ୍ତ ଘରୋଇ କମ୍ପାନିଗଡ଼ିକୁ ପ୍ରସ୍ତାବ ଦେବା ଉଚିତ। ଏହା ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ଆହୁରି ଭଲ ହେବ। ରାଜ୍ୟ ସରକାର ଜଣକ ହାତରେ ଦାୟିତ୍ୱ ନ୍ୟସ୍ତ କରିବା ଅପେକ୍ଷା ଓଡ଼ିଶା ପର୍ଯ୍ୟଟନର ଡିଜିଟାଲ ମାର୍କେଟିଂକୁ ଘରୋଇ କମ୍ପାନିଙ୍କ ପାଇଁ ଖୋଲିବା ଆବଶ୍ୟକ।

ଯାହା ଦ୍ୱାରା ଘରୋଇ କମ୍ପାନି ଏହା ପ୍ରତି ଆଗ୍ରହ ପ୍ରକାଶ କରି ଓଡ଼ିଶାର ଆଭ୍ୟନ୍ତରୀଣ ପର୍ଯ୍ୟଟନସ୍ଥଳୀକୁ ନେଇ ନିଜ ଖର୍ଚ୍ଚରେ ଭିଡିଓ ଉପସ୍ଥାପନା କରିବେ। ଏବଂ ଉପଯୁକ୍ତ ଉପସ୍ଥାପନାକୁ ଚୟନ କରି ସରକାର ଏହାକୁ କିଣିପାରିବେ। ଏହା ଦ୍ୱାରା ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ହେବା ସହିତ ଓଡ଼ିଶାର ଡିଜିଟାଲ ମାର୍କେଟିଂକୁ ମଧ୍ୟ ଏଦିଗରେ ପ୍ରୋତ୍ସାହନ ମଳିବ।

ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌ର ପ୍ରଭାବ

ଚତୁର୍ଥ ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌ ଏକ ଭଲ ପ୍ରଭାବାରେ ସଫଳ ହୋଇଛି। ଏହି କନକ୍ଲେଭ୍‌ରେ ଏକ୍ସପର୍ଟଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଏବଂ ପର୍ଯ୍ୟଟନ ସଚିବ ଗ୍ରହଣ କରିଛନ୍ତି। ପରେ ଏସମସ୍ତ ପ୍ରସ୍ତାବକୁ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ଦିଆଯିବ। ଏଦିଗରେ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ ହେବା ଆବଶ୍ୟକ।

ବର୍ତ୍ତମାନ ଓଡ଼ିଶାକୁ ଭାରତର କ୍ରୀଡ଼ା ରାଜଧାନୀ ବୋଲି କୁହାଯାଉଛି। ତେବେ ଓଡ଼ିଶା ପର୍ଯ୍ୟଟନ ଏବଂ ଏହାର ଭିତ୍ତିଭୂମିର ବିକାଶ ହେଲେ ଓଡ଼ିଶାକୁ ଦେଶର ପର୍ଯ୍ୟଟନ ରାଜଧାନୀ ହୋଇପାରିବ। ଏଦିଗରେ ଅଗ୍ରଗତି ପାଇଁ ଘରୋଇ ସଂସ୍ଥା ଭାବେ ଆମେ ସରକାରଙ୍କୁ ପୂର୍ଣ୍ଣ ଭାବେ ସହଯୋଗ କରିବୁ ବୋଲି ହାରୋ ଅଧ୍ୟକ୍ଷ ଜେ କେ ମହାନ୍ତି କହିଛନ୍ତି।

ଟୁରିଜିମ୍‌ କନ୍‌କ୍ଲେଭ୍‌ ପକ୍ଷରୁ ଆସିଥିବା ମୁଖ୍ୟ ସୁପାରିଶ

ରାଜ୍ୟର ୪୮୦ କିଲୋମିଟର ସମୁଦ୍ର ଉପକୂଳ ଅଞ୍ଚଳ ତଥା ଚିଲିକାରେ ରିଙ୍ଗ ରୋଡ୍‌ ନିର୍ମାଣ

ଆଗାମୀ ୨ ବର୍ଷ ମଧ୍ୟରେ ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀରେ ଅତିରିକ୍ତ ୫୦୦ ହୋଟେଲ ରୁମ୍‌ ଖୋଲିବ

ଶାମୁକା ବିଚ୍‌ର ଭିତ୍ତିଭୂମିକୁ ବିକାଶ କରାଯାଇ ଏହାକୁ ମର୍ଡେନ୍‌ ଟୁରିଷ୍ଟ ହବ୍‌ କରିବା

ଚିଲିକା ଓଡ଼ିଶା ପର୍ଯ୍ୟଟନର ସୁନା ଖଣି

ଚିଲିକା ହେଉଛି ଓଡ଼ିଶା ପର୍ଯ୍ୟଟନର ସୁନା ଖଣି। ୧୧୦୦ବର୍ଗମିଟର ବ୍ୟାପ୍ତ ଚିଲିକା ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ ହ୍ରଦ। ଏହା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ। ହେଲେ ଏହା ସରକାରଙ୍କ ଆଖି ଆଢ଼ୁଆଳରେ ରହିଯାଇଛି। ଚିଲିକାର ଭିତ୍ତିଭୂମିକୁ ବିକଶିତ କରିବା ପାଇଁ ସରକାରଙ୍କୁ ମାଷ୍ଟର ପ୍ରିଣ୍ଟ ତିଆରି କରିବାକୁ ପଡ଼ିବ। ଏଠାରେ ଏକ ବିଶ୍ୱସ୍ତରୀୟ ୱାଟର ସ୍ପୋର୍ଟ୍ସ ଭଳି ଅନେକ ଭିତ୍ତି ନିର୍ମାଣ କରାଯାଇପାରିବ।

Comment