ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଚୟନକୁ ନେଇ ଆରମ୍ଭ ହୋଇଛି କସରତ। କିଏ ହେବ ବିଜେପୁରର ବିଜେପି ପ୍ରାର୍ଥୀ? ଏନେଇ ଆଜି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଜ ପ୍ରତିକ୍ରିୟା ରଖିଛନ୍ତି।

ବସନ୍ତ କହିଛନ୍ତି,”ଆମେ ୩ ଜଣଙ୍କ ନାଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପାଖକୁ ପଠାଇବୁ। କମିଟି ଏହି ୩ ଜଣଙ୍କ ମଧ୍ୟରୁ ଜଣକୁ ବିଜେପୁର ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିବ।”

ତେବେ କେଉଁ ୩ ଜଣଙ୍କ ନାଁ କେନ୍ଦ୍ରୀୟ କମିଟି ପାଖକୁ ପଠାଯାଇଛି ସେ ବିଷୟରେ ବସନ୍ତ ପଣ୍ଡା କୌଣସି ସୂଚନା ଦେଇନାହାନ୍ତି।

ବସନ୍ତ ପଣ୍ଡା ଅହୁରି ମଧ୍ୟ କହିଛନ୍ତି, “ବିଜେପୁର ଉପନିର୍ବାଚନରେ ଆମେ ଜିତିବା ପାଇଁ ଲଢ଼ିବୁ। ବିଜେପି କେବେ ମାଟି କାମୁଡେନି। ଏଥର ନିର୍ବାଚନ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ହେବନି। ଏଥର ବିଜେପୁରରେ ଲଢ଼େଇ ହେବ।”

ଅକ୍ଟୋବର ୨୧ରେ ବିଜେପୁର ଉପ-ନିର୍ବାଚନ ହେବ। ଏନେଇ ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋଡା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଅକ୍ଟୋବର ୨୧ରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ୨୪ରେ ଭୋଟ୍‌ ଗଣତି ହେବ।

ବିଜେପୁର ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୩୦ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ତାରିଖ ହେବ। ସେହିପରି ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବାକୁ ଥିବା ବେଳେ ଅକ୍ଟୋବର ୩ ତାରିଖ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ହେବ। ତେବେ ଶେଷରେ ୨୧ ରେ ବିଜେପୁରର ଭାଗ୍ୟ ନିର୍ଦ୍ଧାରଣ ହେବ।

Comment