ଓଡ଼ିଶାଲାଇଭ ବ୍ୟୁରୋ

‘‘ଓଡ଼ିଶା ହେଉଛି ଭାରତୀୟ ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଆକର୍ଷଣ। ଓଡ଼ିଶାରେ ପର୍ଯ୍ୟଟକମାନଙ୍କ ପାଇଁ ଇକୋ ଟୁରିଜିମ୍, ବିଚ୍ ଟୁରିଜିମ୍‌, ଓ୍ୱାଇଲ୍ଡଲାଇଫ ଟୁରିଜିମ୍‌କୁ ଅଧିକ ଫୋକସ୍‌ ଦିଆଯାଉଛି। ଓଡ଼ିଶାରେ ହ୍ରଦ, ସଂଗ୍ରହାଳୟ, ମନ୍ଦିର ଭଳି ଅନେକ ଭିତ୍ତିଭୂମି ରହିଛି। ଏହିସବୁ ଭିତ୍ତିଭୂମି ଓଡ଼ିଶା ଅନ୍ୟ ପର୍ଯ୍ୟଟନ କ୍ଷେତ୍ରଠାରୁ ଅନ୍ୟତମ। କାରଣ ଓଡ଼ିଶାର କଳା, ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ପ୍ରାକୃତିକ ଶୋଭା ଆଜି ପର୍ଯ୍ୟଟନ କ୍ଷେତ୍ର ପାଇଁ ସବୁଠୁ ଭିନ୍ନ,’’ ସେପ୍ଟେମ୍ବର ୧୮ରେ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ହାରୋ) ପକ୍ଷରୁ ଚତୁର୍ଥ ଓଡ଼ିଶା ଟୁରିଜିମ କନକ୍ଲେଭରେ ଟୁରିଜିମ୍‌ ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର କହିଥିଲେ।

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଏହି କନକ୍ଲେଭ୍‌ରେ ମାନସମନ୍ଥନ ହୋଇଥିଲା।

ଚଳିତ ଓଡ଼ିଶା ଟୁରିଜିମ୍‌ କନକ୍ଲେଭ୍‌ରେ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ହୋଟେଲ ଉଦ୍ୟୋଗୀ, ଟୁର୍ ଅପରେଟର୍, ମଡିଆ, ଡିଜିଟାଲ ମାର୍କେଟିଂ, ବ୍ଲଗର୍ସ, ଏୟାରଲାଇନ୍ସ ଅଧିକାରୀମାନେ ଯୋଗ ଦେଇଥିଲେ। ମୋଟ ୩୮୮ ସଦସ୍ୟଙ୍କ ମଧ୍ୟରୁ ପାଖାପାଖି ୨୨୦ ଜଣ ହୋଟେଲ ଉଦ୍ୟୋଗୀ ଥିଲେ। ସେହିପରି ୧୦୦ ଟୁର ଅପରେଟର ଏବଂ ଟ୍ରାଭେଲ ଏଜେଣ୍ଟ ଯୋଗ ଦେଇଥିଲେ।

ଚିଲିକା ଓଡ଼ିଶା ପର୍ଯ୍ୟଟନର ସୁନା ଖଣି

କୋଣାର୍କର ସ୍ଥାପତ୍ୟକଳା ସାରା ଦେଶରେ ପରିଚିତ। ସେହିଭଳି ଲବଣାକ୍ତ ଚଳ ହ୍ରଦ ଚିଲିକା ହେଉଛି ଓଡ଼ିଶା ପର୍ଯ୍ୟଟନର ସୁନା ଖଣି। ୧୧୦୦ ବର୍ଗମିଟର ବ୍ୟାପ୍ତ ଚିଲିକା ହେଉଛି ଏସିଆ ମହାଦେଶର ସବୁଠାରୁ ବଡ଼ ହ୍ରଦ ଏବଂ ବିଶ୍ଵର ଦ୍ୱିତୀୟ ବୃହତ ହ୍ରଦ। ଏଠାରେ ଥିବା ନଳବଣ  ବିଦେଶୀ ପକ୍ଷୀମାନଙ୍କର ଶୀତକାଳୀନ ବାସସ୍ଥାନ। ସାଇବେରିଆ, ହିମାଳୟ ଅଞ୍ଚଳରୁ ପକ୍ଷୀମାନେ ଚିଲିକା ଆସନ୍ତି। ଏବଂ ୫ରୁ ୬ମାସ ଯାଏଁ ଅର୍ଥାତ୍‌ ଅକ୍ଟୋବର ଶେଷରୁ ମାର୍ଚ୍ଚ ଯାଏଁ ବସବାସ କରି ଚାଲିଯା’ନ୍ତି। ଏହାସହ ଚିଲିକା ହ୍ରଦ ଡଲଫିନମାନଙ୍କ ଗନ୍ତାଘର। ଯାହା ପର୍ଯ୍ୟଟନମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ବୋଲି କହିଛନ୍ତି ନିର୍ମଳ ଚନ୍ଦ୍ର ମିଶ୍ର।

ଓଡ଼ିଶା ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନସ୍ଥଳୀ

ଓଡ଼ିଶାର ପର୍ଯ୍ୟଟନ ବିଭିନ୍ନ କ୍ଷେତ୍ର ପାଇଁ ଅନ୍ୟତମ। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାର୍ଇ ଏହି ସ୍ଥାନର ମହତ୍ୱ ବୃଦ୍ଧି ପାଇଛି। ଅଲିଭ୍‌ ରିଡଲେ କଇଁଛ ହଜାର ହଜାର କିଲୋମିଟର ପାର କରି ଓଡ଼ିଶା ଆସନ୍ତି ଅଣ୍ଡା ଦେବାକୁ। ଆଣ୍ଟା୍‌ଲାଟିକ୍‌ ମହାସାଗରରୁ ଭାରତ ମହାସାଗର ଦେଇ ଏହି କଇଁଛ ଓଡ଼ିଶା ଆସନ୍ତି। ଅଲିଭ୍‌ ରିଡ୍‌ଲେ କଇଁଛ ବିଶେଷକରି ୩ଟି ସ୍ଥାନକୁ ଯାଇଥା’ନ୍ତି। କୋଷ୍ଟାରିକା, ମେକ୍ସିକୋ ଓ ଓଡ଼ିଶା ଆସନ୍ତି ଅଣ୍ଡ ଦେବା ପାଇଁ । ଏବଂ ଓଡ଼ିଶାର ଦୁଇଟି ସ୍ଥାନ ଗହୀର ମଥା ଓ ୠଷିକୁଲ୍ୟାରେ ଅଣ୍ଡାଦେବା ପାଇଁ ବାଛିଥା’ନ୍ତି।

ଫେବ୍ରୁଆରିର ତୃତୀୟ ସପ୍ତାହରେ ମିଲିଅନ୍‌ରୁ ଅଧିକ ଅଲିଭ ରିଡ୍‌ଲେ ଆସି ମାର୍ଚ୍ଚ ଯାଏଁ ରହିଥାନ୍ତି। ଆସିବାର ୪୫ ଦିନ ପରେ ଲକ୍ଷ ଲକ୍ଷ କଇଁଛ ଛୁଆ ଜନ୍ମ ନେଇଥା’ନ୍ତି।

ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଛାଡ଼ି ଦେଲେ ଓଡ଼ିଶାରେ ସୁନ୍ଦର ସୁନ୍ଦର ହ୍ରଦ, ମନ୍ଦିର, ଚିଡିଆଖାନା ଓ ଅନେକ କିଛି ରହିଛି ବୋଲି କହିଛନ୍ତି ଟୁରିଜିମ୍‌ ନିର୍ଦ୍ଦେଶକ।

୩୦ ଦିନ ଧରି ହେବ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ

‘‘ବିଦେଶୀ ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଆମେ କୋଣାର୍କରେ ୩୦ ଦିନ ଧରି ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ କରିବାକୁ ଯୋଜନା ରଖିଛୁ। ଆସନ୍ତା ଦିନରେ ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀରେ ଅଧିକ ହୋଟେଲ୍‌ ରୁମ୍‌ ଖୋଲିବାକୁ ଯୋଜନା ମଧ୍ୟ ହୋଇଛି’’ କହିଛନ୍ତି ଶ୍ରୀ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଆମେ ବର୍ତ୍ତମାନ ଓ୍ଵଣ୍ଡେର୍ଲା ଗ୍ରୁପ୍‌ (ଚେନ୍‌ ଓ୍ୱାଟର ପାର୍କ) ସହ ଯୋଗାଯୋଗ କରିଛୁ। ଆଗକୁ ୫୦ ଏକର ପରିମିତ ଅଞ୍ଚଳରେ ଓ୍ଵାଟର ପାର୍କ କରିବାକୁ ଯୋଜନା ରଖିଛୁ, ଯାହା ବିଭିନ୍ନ ଓ୍ଵାଟର ଗେମ୍‌ ସହ ମନୋରଞ୍ଜନର ଖୁରାକ୍‌ ଯୋଗାଇବ। ଏହା ପର୍ଯ୍ୟଟକମାନଙ୍କୁ ଅଧିକ ଆକୃଷ୍ଟ କରିବ।’’

୨୦୨୧ ସୁଦ୍ଧା ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ନେଇ ଶ୍ରୀ ମିଶ୍ର ଲକ୍ଷ୍ୟ ରଖିଛନ୍ତି।

Comment