ଓଡ଼ିଶାଲାଇଭ୍ ବ୍ୟୁରୋ

  • ବ୍ୟାଙ୍କଗୁଡ଼ିକର ଚାରୋଟି ପ୍ରମୁଖ ସଂଘ: ଏଆଇବିଓଏ, ଏଆଇବିଓସି , ଏନଓବିଓ ଏବଂ ଆଇଏନବିଓସିର ପ୍ରତିନିଧିବୃନ୍ଦ ବିତ୍ତ ସଚିବ ରାଜୀବ କୁମାରଙ୍କୁ ଭେଟିଲେ।
  • ୧୦ ଗୋଟି ବ୍ୟାଙ୍କର ମିଶ୍ରଣକୁ ନେଇ ଉପୁଜିଥିବା ବିବାଦକୁ ଭିତ୍ତି କରି ବ୍ୟାଙ୍କ୍ ୟୁନିୟନ ଏକ ବୈଠକ ମାଧ୍ୟମରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି।

ବ୍ୟାଙ୍କ୍‌ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ୍ ସଂଘର କର୍ମଚାରୀମାନେ ଆସନ୍ତା ୨୬ ଓ ୨୭ ତାରିଖରେ ବ୍ୟାଙ୍କ୍ ବନ୍ଦ ପାଇଁ ଡାକରା ଦେଇଥିଲେ। ଏହି ଡାକରା ଅନୁସାରେ ଚଳିତ ମାସରେ କ୍ରମାଗତ ଭାବରେ ଚାରିଦିନ ପାଇଁ ସମସ୍ତ ସରକାରୀ ବ୍ୟାଙ୍କ୍ ବନ୍ଦ ରଖିବା ପାଇଁ ବ୍ୟାଙ୍କ୍ ସଂଘ ନିଷ୍ପତ୍ତି ନେଇଥିଲା। କିନ୍ତୁ ସରକାର ବ୍ୟାଙ୍କମାନଙ୍କର କିଛି ଦାବି ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ବ୍ୟାଙ୍କ୍ ସଂଘ ଧର୍ମଘଟରୁ ବିରତ ହୋଇଛନ୍ତି ବୋଲି ଜଣାପଡ଼ିଛି। ଏହା ଫଳରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ହେବାକୁ ଥିବା ବନ୍ଦ ଡାକରାକୁ ପ୍ରତ୍ୟାହୃତ କରି ନେଇଛନ୍ତି ବ୍ୟାଙ୍କ୍ ସଂଘ।

ନିକଟରେ ବ୍ୟାଙ୍କ୍ ମିଶ୍ରଣକୁ କେନ୍ଦ୍ର କରି ଲାଗି ରହିଥିଲା ବିବାଦ। ଯାହାକୁ ନେଇ ଏଆଇବିଓଏ, ଏଆଇବିଓସି , ଏନଓବିଓ ଏବଂ ଆଇଏନବିଓସି ଆଦି ଚାରିଗୋଟି ୟୁନିୟନର ପ୍ରତିନିଧିମାନେ ବିତ୍ତ ସଚିବ ରାଜୀବ କୁମାର ଭେଟିଥିଲେ । ଏହାର ଫଳସ୍ୱରୂପ ସରକାର ସମସ୍ୟାର ଶୀଘ୍ର ସମାଧାନ ଲାଗି ଏକ ଉଚ୍ଚସ୍ତରୀୟ କମିଟିର ଗଠନ କରିଛନ୍ତି । ଏହି କମିଟି ୧୦ ଗୋଟି ବ୍ୟାଙ୍କ୍ ମିଶ୍ରଣକୁ ଭିତ୍ତି କରି ସୃଷ୍ଟି ହୋଇଥିବା ସମସ୍ତ ଅସୁବିଧାର ସମାଧାନ ପାଇଁ ଏକ ଚୂଡ଼ାନ୍ତ ନିଷ୍ପତି ନେବେ ବୋଲି ବ୍ୟାଙ୍କ୍ ୟୁନିୟନକୁ ଆଶ୍ୱାସନା ଦିଆଯାଇଛି।

ଏହି ବୈଠକରେ “ବେତନ ସଂଶୋଧନ, ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ, ଟଙ୍କା ନେଣଦେଣର ସମୟରେ ପରିବର୍ତ୍ତନ, ଅବସରପ୍ରାପ୍ତ ଓ ପେନସନ୍ ଭୋଗୀ କର୍ମଚାରୀମାନଙ୍କୁ ଭିତ୍ତିକରି ସୃଷ୍ଟି ହେଉଥିବା ସମସ୍ୟା ଏବଂ କ୍ରସ୍ ସେଲିଂରେ ଦେଖାଯାଉଥିବା ଅସୁବିଧାଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା” ବୋଲି କହିଛନ୍ତି ଏଆଇବିଓଏର ଅଧ୍ୟକ୍ଷ, ସୁନୀଲ କୁମାର।

ବ୍ୟାଙ୍କଗୁଡ଼ିକର ଏଭଳି ମିଶ୍ରଣ ଫଳରେ ବ୍ୟାଙ୍କ୍‌ର ନିଜସ୍ୱ ପରିଚୟ ହ୍ରାସ ପାଇବ ବୋଲି ସରକାରୀ ବ୍ୟାଙ୍କ୍ କର୍ମଚାରୀଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

Comment