ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍। ପାଞ୍ଚ ମ୍ୟାଚ୍ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ସ୍ପିନର ଦିପ୍ତୀ ଶର୍ମାଙ୍କ ଘାତକ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଏହି ବିଜୟ ହାସଲ କରିଛି।

ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ଭାରତୀୟ ଦଳ ଟସ୍ ହାରି ବ୍ୟାଟିଂର ନିମନ୍ତ୍ରଣ ପାଇଥିଲା। ଭାରତୀୟ ମହିଳା କ୍ରିକେଟ ଟିମ୍ ୨୦ ଓଭରରେ ମାତ୍ର ୧୩୦ ରନ୍ କରିବାକୁ ସମର୍ଥ ହୋଇଥିଲା। ଭାରତୀୟ ଟିମ୍ ପକ୍ଷରୁ ଅଧିନାୟକ ହରମନପ୍ରୀତ୍ କୌର ୩୪ ବଲରେ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ। ସେପଟେ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଶାବନିମ୍ ଇଜମାଇଲ୍ ୩ଟି ଓ ନାଦିନ୍ ଡି କ୍ଲର୍କ ୨ଟି ୱିକେଟ୍ ନେଇଥିଲେ।

୧୩୦ ରନ୍‌କୁ ଟାର୍ଗେଟ୍‌ରେ ରଖି ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୧୧୯ ରନରେ ସମସ୍ତ ୱିକେଟ୍ ହରାଇଥିଲା। ଦକ୍ଷିଣ ଆଫ୍ରିକା ଦଳର ମିଗନନ୍ ଡୁ ପ୍ରିଜ୍ ୫୯ ରନ୍ କରି ଦଳର ସର୍ବାଧିକ ସ୍କୋରର ରହିଥିଲେ। ହେଲେ ଭାରତୀୟ ଦଳର ବୋଲରଙ୍କ ଚତ୍ମକାର ପ୍ରଦର୍ଶନରେ ହାର ମାନିଥିଲା ଦକ୍ଷିଣଆଫ୍ରିକା।

ଭାରତୀୟ ସ୍ପିନ୍‌ର ଦିପ୍ତୀ ଶର୍ମା ୪ ଓଭରରୁ ୩ଟି ମେଡେନ୍ ଓଭର ନେଇଥିଲେ। ଏହାସହ ସେ ତାଙ୍କ ୪ ଓଭରରେ ମାତ୍ର ୮ରନ୍ ଦେଇ ୩ଟି ବହୁମୂଲ୍ୟ ୱିକେଟ୍ ନେଇଥିଲେ। ସେହପରି ଶିଖା ପାଣ୍ଡେ, ପୁନମ ଯାଦବ ଓ ରାଧା ଯାଦବ ପ୍ରତ୍ୟେକ ୨ ଟି ଲେଖାଏଁ ୱିକେଟ୍ ନେଇଥିଲେ। ଫଳରେ ପ୍ରଥମ ଟି-୨୦ରେ ଭାରତୀୟ ମହିଳା ଟିମ୍‌ ବିଜୟ ହୋଇଛନ୍ତି।

Comment