ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁନାଗଡ଼ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ ଆସିଛି। ପୀଡ଼ିତା ମୁହଁ ଖୋଲି ଗଣଦୁଷ୍କର୍ମର ମୁଖ୍ୟ ଖଳନାୟକର ମୁଖା ଖୋଲିଛନ୍ତି। ବସ୍‌ ଡ୍ରାଇଭର ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା କହିଛନ୍ତି। ପୀଡ଼ିତା ମୁହଁ ଖୋଲି ଦୁଷ୍କର୍ମକାରୀଙ୍କ ଫାଶୀ ଦାବି କରିଛନ୍ତି।

‘‘ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ହେଉଛି ଲଲିନ୍ଦ୍ର ଶବର। ସେ ହିଁ ପ୍ରଥମେ ଦୁଷ୍କର୍ମ କରିଥିଲା। ଅନ୍ୟମାନଙ୍କୁ ଡାକିବାରେ ଲଳିନ୍ଦ୍ରର ହିଁ ହାତ ରହିଛି। ଯଦି ଲଳିନ୍ଦ୍ରକୁ ପୋଲିସ ଛାଡ଼ିଦିଏ ତାହାଲେ ମୁଁ ଆତ୍ମହତ୍ୟା କରିବି। ସବୁ ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିବା ଦରକାର’’, ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ପୀଡ଼ିତା।

‘’୧୪ ତାରିଖ ଦିନ ମୁଁ ଭବାନିପାଟଣା ଯାଇଥିଲି। ଦେହ ଖରାପ ଥିବାରୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଜୁନାଗଡ଼ ଆସିବା ପାଇଁ ଭବାନିପାଟଣା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲି। ହେଲେ ସୁଭଦ୍ର ବସ୍‌ ମାଲିକ ଲଳିନ୍ଦ୍ର ସେଠାରେ ମୋ’ ସହିତ ଦେଖା ହୋଇଥିଲା। ସେ ବାଇକ୍‌ରେ ମତେ ଲିଫ୍ଟ ଦେଇଥିଲା। ବାଟରେ ଆସିଲା ବେଳେ କିଛି ଲୋକଙ୍କ ସହ ଫୋନରେ କଥା ହେଉଥିଲା। ବନମାଳିପୁରଠାରେ ସେ ବାଇକ୍ ରଖିଦେଲା। ୬ ଜଣ ଯୁବକ ଆସି ମତେ ଜଙ୍ଗଲ ଭିତରକୁ ନେଇଗଲେ। ମୋ’ ସହ ଖରାପ ବ୍ୟବହାର ପ୍ରଦର୍ଶନ କଲେ’’, ଏହା କହିଛନ୍ତି ପୀଡ଼ିତା।

ଜୁନାଗଡ଼ ଗଣଦୁଷ୍କର୍ମ ମାମଲାରେ ୮ ଜଣ ଗିରଫ ହୋଇଥିଲେ। ହେଲେ ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବରକୁ ଗିରଫ କରି ନଥିଲା ପୋଲିସ। ପୋଲିସ ତାକୁ ରାଜସାକ୍ଷୀ କରିଥିଲା। ହେଲେ ପୀଡ଼ିତାଙ୍କ ବୟାନ ପରେ ସବୁକିଛି ଓଲଟପାଲଟ ହୋଇ ଯାଇଛି। ପୋଲିସ ଯାହାକୁ ରାଜସାକ୍ଷୀ କରିଛି ପୀଡ଼ିତା ତାକୁ ମୁଖ୍ୟ ଅଭିଯୁକ୍ତ କହୁଛନ୍ତି। ତାକୁ ଗିରଫ ନକଲେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ପୀଡ଼ିତା।

Comment