ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସୋମବାର ଯାଏଁ ମା’ ଏହି ଅନନ୍ୟ ବେଶରେ ଦର୍ଶନ ଦେବେ
  • ରବିବାରଠାରୁ ନବରାତ୍ର ପୂଜା
  • ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଭକ୍ତ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା’ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ମହାଳୟା ଅବସରରେ ମା’ ସମଲେଶ୍ୱରୀ ଏହି ବେଶ ଧାରଣ କରିଥିଲେ। ବର୍ଷ ସାରା ମା’ ସିନ୍ଦୂରବର୍ଣ୍ଣା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ହେଲେ ମହାଳୟାରେ ମା’ ଧମଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି।

ଶୁଭ୍ର ପ୍ରଲେପରେ ମା’ଙ୍କ ମୁଖମଣ୍ଡଳ ସମ୍ପୂର୍ଣ୍ଣ ଧବଳବର୍ଣ୍ଣା ହୋଇଥିଲା। ଶ୍ୱେତପଦ୍ମ, ମଲ୍ଲୀ, ଟଗର ଭଳି ଧଳା ଫୁଲ ମା’ଙ୍କ ପାଖରେ ଲାଗି ହୋଇଥିଲା। ମା’ଙ୍କର ଏହି ବେଶକୁ ଗଙ୍ଗା ଓ ସରସ୍ୱତୀ ବେଶ ବୋଲି କୁହାଯାଏ।

ଅଗୁର, ଚନ୍ଦନ ସମେତ ବିଭିନ୍ନ ଶ୍ୱେତ ଦ୍ରବ୍ୟରେ ପ୍ରସ୍ତୁତ ମିଶ୍ରଣ ପ୍ରଲେପ ଲଗାଇ ଲୋହିତ ବର୍ଣ୍ଣା ମା’ଙ୍କୁ ଶୁଭ୍ର ରଙ୍ଗ ଦିଆଯାଇଥିଲା। ଏହି ଅବସରରେ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।

ଭକ୍ତମାନେ ଧାଡ଼ି ଲଗାଇ ମା’ଙ୍କର ଧବଳମୁଖୀ ବେଶ ଦର୍ଶନ କରିଥିଲେ। ମା’ ସୋମବାର ଯାଏଁ ଏହି ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ମା’ଙ୍କର ଏହି ଅପରୂପ ବେଶକୁ ମହାକାଳୀ, ମହାଲକ୍ଷ୍ମୀ ଏବଂ ମହାସରସ୍ୱତୀଙ୍କ ମିଶ୍ରିତ ବେଶ ବୋଲି କୁହାଯାଉଛି। ରବିବାରଠାରୁ ସମଲେଶ୍ୱରୀ ପୀଠରେ ନବରାତ୍ର ପୂଜା ଆରମ୍ଭ ହେବ।

Comment