ଓଡ଼ିଶାଲାଇଭ୍ ବ୍ୟୁରୋ

ନନ୍ଦନକାନନରେ ନିକଟରେ ଯେଉଁ ହାତୀ ମୃତ୍ୟୁ ଘଟିଛି ତାହାକୁ ଏକ ଅତ୍ୟନ୍ତ ବିରଳ ଘଟଣା ବୋଲି କୁହାଯାଉଛି। ଅଭୟାରଣ୍ୟ ଭିତରେ ଥାଇ ସଂକ୍ରମଣ  ରୋଗରେ ହାତୀ ମରିବା ଅନ୍ୟତ୍ର କେଉଁଠି ସମ୍ଭବ ନୁହେଁ ବୋଲି କେନ୍ଦ୍ରୀୟ ଅଭୟାରଣ୍ୟ ପ୍ରାଧିକରଣର ସଦସ୍ୟ ଏସ୍‌ ପି ଯାଦବ ନିଜେ କହିଛନ୍ତି। ଏହି ମୃତ୍ୟୁ ଘଟଣାରୁ ନନ୍ଦନକାନନ ଅଭୟାରଣ୍ୟର ଦୈନନ୍ଦିନ ପରିଚାଳନା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୂତାଣୁ ସଂକ୍ରମଣ ଯୋଗୁଁ ନିକଟରେ  ନନ୍ଦନକାନନରେ ଏକା ସାଙ୍ଗରେ ୪ଟି ହାତୀ ପ୍ରାଣ ହରାଇଥିଲେ। ଯାଦବ କହିଛନ୍ତି ଏହା ଆମ ପାଇଁ ଶିକ୍ଷା ଓ ଏଣିକି ଦେଶର ସବୁ ଅଭୟାରଣ୍ୟ ପାଇଁ ଏକ ନିର୍ଦ୍ଦେଶାବଳୀ ବା ପ୍ରୋଟୋକଲ ତିଆରି କରାଯିବ। ନନ୍ଦନକାନନରେ ହାତୀଙ୍କ ମୃତ୍ୟୁ ହର୍ପିସ ସଂକ୍ରମଣ ଯୋଗୁଁ ହୋଇଥିଲା।

ଚୋର କଳାକନା ବୁଲାଇ ପଳେଇଯିବା ପରେ ବୁଦ୍ଧି ପଶିବା ଭଳି ଇତିମଧ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ  ଓୟୁଏଟିରେ ବନ୍ୟପ୍ରାଣୀଙ୍କ ପାଇଁ ଏକ ପାଥୋଲାବ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଫଳରେ ବନ୍ୟପ୍ରାଣୀଙ୍କ ରୋଗର ନିଦାନ ତୁରନ୍ତ କରାଯାଇପାରିବ।

ନନ୍ଦନକାନନ କର୍ତ୍ତୃପକ୍ଷ ଓ ରାଜ୍ୟ ବନ୍ୟଜନ୍ତୁ ବିଭାଗ ଦ୍ୱାରା ମିଳିତ ଭାବେ ଏହା ବସାଯିବ। ଆଗରୁ ଲାବରଟୋରି ପରୀକ୍ଷା ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଜାତୀୟ ହାତୀ ହର୍ପିସ ଭାଇରସ ପ୍ରକଳ୍ପର ସଂଯୋଜକ ଜି ମାହତୋ ଭୁବନେଶ୍ୱର ଆସି  ହାତୀଙ୍କୁ ରୋଗ ସଂକ୍ରମଣ ହେଲେ କଣ କରିବେ ସେନେଇ ଏକ ପ୍ରୋଟୋକଲ ମଧ୍ୟ  ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦେଇଥିବା ଜଣାପଡ଼ିଛି।

Comment