ଜଗନ୍ନାଥ ପ୍ରସାଦ ଦାସ

କୁହାଯାଇଥାଏ ଯେ ପ୍ରତିଭା ହେଉଛି ଦଶ ପ୍ରତିଶତ ପ୍ରେରଣା ଆଉ ନବେ ପ୍ରତିଶତ ଖଟଣି। ଆମର ଲେଖକମାନେ କିନ୍ତୁ ଏ କଥା ମାନିବାକୁ ନାରାଜ। ଏ ଭଳି ଗୋଟିଏ ଧାରଣା ମଧ୍ୟ ସୃଷ୍ଟି କରାଯାଇଛି ଯେ ସାହିତ୍ୟର ଏକ ଦୈବୀ ଉତ୍ସ ଅଛି ଏବଂ ଲେଖକ ତା’ର ନିମିତ୍ତ ବା ଲିପକାର ମାତ୍ର। ସାରଳା ଦାସଙ୍କଠାରୁ ଆରମ୍ଭ କରି(ତୁହି ଯାହା କହିଦେଉ ମୁହିଁ ତା ଲେଖଇ) ଉପେନ୍ଦ୍ର ଭଂଜ(ତାରକ ମନ୍ତ୍ର ପରସାଦେ, ମୋହର କବିପଣ ଉଦେ), ଯଦୁମଣି(ହୟଗ୍ରୀବ ମହାପ୍ରଭୁ ପ୍ରତାପେ) ଓ ନିକଟରେ ଗୋପୀନାଥ ମହାନ୍ତି( ଅଶରୀରୀ ବାଣୀ କୃପା କରି ଜନ୍ମ ହେଉଛନ୍ତି; ମୁଁ ତାଙ୍କ ମାଧ୍ୟମ, ସ୍ରୋତସ୍ୱତୀ ୩), ରମାକାନ୍ତ ରଥ ( ମୁଁ ଷ୍ଟେନୋଗ୍ରାଫର ମାତ୍ର)ଙ୍କ ପର୍ଯ୍ୟନ୍ତ। ଆଗ କାଳେ ଏ ଭଳି ଦାବିର ଏକ ସୁଫଳ ଥିଲା ଯେ ଲେଖାଟି ଦୈବୀକୃତ ହୋଇଥିବାରୁ ଏହାକୁ ସମାଲୋଚନା ସାପେକ୍ଷ ମନେ କରାଯାଉ ନ ଥିଲା।

ପାଶ୍ଚାତ୍ୟ ସାହିତ୍ୟରେ ମଧ୍ୟ ଏପରି ଉଦାହରଣ ଅଛି। ’ଅଙ୍କଲ ଟମ୍‌ସ କେବିନ’ର ଲେଖିକା କହୁଥିଲେ, ଏହାକୁ ସ୍ୱୟଂ ଲର୍ଡ ଲେଖିଛନ୍ତି; ମୁଁ ତାଙ୍କ ହାତରେ ସାଧନ ମାତ୍ର ଥିଲି। ଅବଶ୍ୟ ସେ ଏ କଥା କହିଥିଲେ ଜୀବନର ଶେଷ ଭାଗରେ, ଉପନ୍ୟାସଟି ଅତି ପ୍ରସିଦ୍ଧି ଲାଭ କରିବା ପରେ।

ଏହାର ଏକ ସ୍ପଷ୍ଟୀକରଣ ଦିଆଯାଇପାରେ ଯେ ଲେଖକମାନେ ଯାହାକୁ ଦୈବୀ, ଅଶରୀରୀ ବାଣୀ, କୃପା, ଶ୍ରୁତଲିଖନ ବୋଲି କହୁଛନ୍ତି, ତାହା ଏକ ଆଳଙ୍କାରିକ ପ୍ରୟୋଗ ମାତ୍ର; ସେମାନେ ଏହା ଦ୍ୱାରା ପ୍ରେରଣାକୁ ହିଁ ବୁଝାଉଛନ୍ତି। ଏ ବ୍ୟାଖ୍ୟା ମଧ୍ୟ ସମସ୍ୟାଜନକ, କାରଣ ଏଥିରୁ  ନିଷ୍କର୍ଷ ବାହାରିବ ଯେ ପ୍ରେରଣା ବଳରେ ହିଁ ଲେଖକ ଲେଖି ଚାଲିବ, ଏଥିରେ ସଂପାଦନା, ସଂଶୋଧନ, ପରିବର୍ତ୍ତନ, ବିବର୍ତ୍ତନ, ପ୍ରଗତି ବା  ପୁନର୍ଲେଖନର ଆବଶ୍ୟକତା ନାହିଁ।

ସେହି ଭଳି ନିକଟ ଅତୀତରେ ପ୍ରକାଶିତ ଅରହାନ୍ ପାମୁକଙ୍କ ଉପନ୍ୟାସ ’ସ୍ନୋ’ରେ କବି-ନାୟକ କହୁଛି ଯେ କବିତା ତା ପାଖକୁ ଆସେ; ସେ କେବଳ ଗୋଟିଏ ମାଧ୍ୟମ ବା ଲିପିକାର ମାତ୍ର। ଏହା ପଢ଼ି ମୋର ବ୍ୟକ୍ତିଗତ ପ୍ରତିକ୍ରିୟା ହୋଇଥିଲା, ମୁଁ ଯଦି ଜାଣି ପାରନ୍ତି କବିତା କେଉଁଠାରୁ ଆସେ, ତା ହେଲେ ମୁଁ କବିତା ପାଇଁ ଅପେକ୍ଷା ନ କରି ନିଜେ ତା ପାଖକୁ ଯିବା ପାଇଁ ଚେଷ୍ଟା କରିଥାନ୍ତି!

ଓଡ଼ିଆ ପତ୍ରପତ୍ରିକାରେ ’ମୁଁ କାହିଁକି ଲେଖେ’ ଗୋଟିଏ ବହୁ ପ୍ରସାରିତ ସ୍ତମ୍ଭ। ତଥାକଥିତ ପ୍ରତିଷ୍ଠିତ ଲେଖକଙ୍କଠାରୁ ଆରମ୍ଭ କରି ଚାରିଟି ପଦ୍ୟ ଲେଖିଥିବା କବି ଏଥିରେ ଅତି ଆଗ୍ରହରେ ଭାଗ ନିଅନ୍ତି ଏବଂ ଅତି ବିସ୍ତାରରେ ଏ ବିଷୟରେ ବାଚାଳତା କରିଥାନ୍ତି। କେହି କିନ୍ତୁ ସେମାନଙ୍କୁ ’ମୁଁ କିପରି ଲେଖେ’ ସେ ବିଷୟରେ ଜଣାଇବାକୁ କହନ୍ତି ନାହିଁ। ଏହି ପ୍ରଶ୍ନଟି ବୋଧହୁଏ ନୂଆ ଲେଖକମାନଙ୍କ ପାଇଁ ଅଧିକ ଉପାଦେୟ ଓ ଉପକାରୀ ହୁଅନ୍ତା।

ମତେ ଯଦି କେହି ଏ ପ୍ରଶ୍ନଟି କରେ ମୋ ପାଇଁ ତା’ର ସହଜ ଓ ସଂକ୍ଷିପ୍ତ ଉତ୍ତର ହେବ, ଅତି କଷ୍ଟରେ। ତା’ର କାରଣ ଲେଖାଟିଏ ଲେଖିବା ପାଇଁ ମତେ ବାରମ୍ବାର ବିଭିନ୍ନ ଅଭିଧାନ ଓ ସମାର୍ଥ ଶବ୍ଦକୋଷ ଦେଖିବାକୁ ପଡ଼େ। ଅନେକ କଟା କଟି ଅଦଳ ବଦଳ ପୁନର୍ଲେଖନ କରି ତା’କୁ କିଛି ଦିନ ବନ୍ଦ କରି ରଖିଦିଏ;  ପୁଣି ଥରେ ତା’କୁ ଖୋଲି ପୁଣି ସେହି ପ୍ରକ୍ରିୟା ଦେଇଯାଏ। ଯେତେବେଳେ ମନେ ହୁଏ ଯେ ବହୁତ କଟାକଟି ହୋଇଗଲା ଓ ଲେଖାଟି ଉପରେ ଆଉ ସମୟ ଦେବା ଉଚିତ ନୁହେଁ, ମୁଁ ପରବର୍ତ୍ତୀ ଦୁସ୍ତର କାମଟିରେ ହାତ ଦିଏ। ସେହି କାଠିକର ପାଠଟି ହେଲା ଶେଷ ହୋଇଥିବା ଲେଖାଟିକୁ ପ୍ରେସବାଲା ପଢ଼ି ପାରିଲା ଭଳି ଗୋଲ ଗୋଲ ଅକ୍ଷରରେ ଲେଖିବା। ମୁଁ ହିସାବ କରିଛି ଯେ ଏ କାମରେ ପ୍ରତିଟି ଏ-୪ ସାଇଜ ପୃଷ୍ଠା ପୂରଣ କରିବା ପାଇଁ ମତେ ପ୍ରାୟ ପଚିଶ ମିନିଟ ସମୟ ଲାଗିଥାଏ।

କିଛି ଇଂରେଜ ଲେଖକ ହାତରେ ନ ଲେଖି ସିଧାସଳଖ ଟାଇପରାଇଟରରେ ଲେଖୁଥିଲେ। ବର୍ତ୍ତମାନ କମ୍ପ୍ୟୁଟରରେ ଲେଖିବା ଓ ଲେଖାକୁ ସଂଶୋଧନ କରିବା ସହଜ ଓ ସୁବିଧାଜନକ ହୋଇଗଲାଣି। ମୋ ଭଳି କିଛି ଲେଖକ କିନ୍ତୁ ଏ ପର୍ଯ୍ୟନ୍ତ ହାତରେ ଲେଖିବା ଓ ତା’କୁ ଉତାରିବା କାମ ଜାରି ରଖିଛନ୍ତି। ଏ ପ୍ରକ୍ରିୟା ଅନେକ ଦିନ ହେଲା ଚାଲି ଆସିଛି। ଯେତେବେଳେ ଆମ ଓଡ଼ିଶାରେ ତାଳପତ୍ର ଉପରେ ଲେଖା ହେଉଥିଲା, ବିଶେଷରେ କରଣ ସଂପ୍ରଦାୟର ଲୋକ ପୋଥି ଉତାରିବା କାମରେ ନିଯୁକ୍ତ ହେଉଥିଲେ। ସେତେବେଳର ଅନେକ ପୋଥିରେ ନକଲନବିସ ଏ ଭଳି ପୁଷ୍ପିକା ଲେଖୁଥିଲେ :

ଭଗ୍ନପୃଷ୍ଠ କଟୀଗ୍ରୀବା ତୁଲ୍ୟ ଦୃଷ୍ଟିରଧୋମୁଖମ୍

ଦୁଃଖେନ ଲିଖିତ ଗ୍ରନ୍ଥ ପୁତ୍ରବତ ପରିପାଳୟେତ୍।

ମୁଁ ନିଜେ ଏହାର ଭୁକ୍ତଭୋଗୀ। ୧୯୯୦-୯୧ରେ ମୋର ଯେଉଁ ସ୍ଲିପ୍‌ଡ୍‌ ଡିସ୍କ ହୋଇ ତା’ର ଅପରେସନ ଦରକାର ହୋଇଥିଲା, ତାହା ’ଦେଶକାଳପାତ୍ର’ ପାଇଁ ଦୀର୍ଘ ସମୟ ଟେବୁଲରେ ବସି ପଢ଼ିବା, ଲେଖିବା ଓ ଉତାରିବାର ସିଧାସଳଖ ଫଳ ଥିଲା। ଏହା ପରେ କିଏ ଦାବି କରିବ ଯେ କେବଳ ପ୍ରେରଣାରୁ ସାହିତ୍ୟ ଜନ୍ମ ନିଏ?

ଆମର ଲେଖକମାନେ କି ପ୍ରକାର କଷ୍ଟ ଦେଇ ସେମାନଙ୍କର ସାହିତ୍ୟ ସୃଷ୍ଟି କରନ୍ତି ସେ ବିଷୟରେ ଆମେ ଜାଣୁ ନା। କିନ୍ତୁ ପାଶ୍ଚାତ୍ୟ ଲେଖକମାନଙ୍କର ଲେଖନ ପ୍ରକ୍ରିୟା ବିଷୟରେ ଅନେକ ତଥ୍ୟ ଉପଲବ୍ଧ। ସେଥିରୁ ଆମେ ଜାଣୁ ଯେ ହେମିଙ୍ଗୱେ ତାଙ୍କ ଏ ଫେୟାରୱେଲ ଟୁ ଆର୍ମ୍‌ସ୍‌ର ଉପସଂହାରକୁ ୩୯ ଥର ବଦଳାଇଥିଲେ ଏବଂ ପ୍ରୁଫ୍ ଦେଖିବା ବେଳେ ଆହୁରି ୩୦ ଥର ସଂଶୋଧନ କରିବା ପରେ କହିଥିଲେ, ଶେଷରେ ମୁଁ ଏହାକୁ ଠିକ ବୋଲି ମନେ କଲି। ଟଲ୍‌ଷ୍ଟୟ ତାଙ୍କର ଉପନ୍ୟାସ ଓ୍ୱାର ଆଣ୍ଡ ପୀସ୍‌କୁ ସାତଥର ବଦଳାଇ ଥିଲେ।

କବି ୟେଟସ୍ ତାଙ୍କ ଏ ସେକଣ୍ଡ କମିଙ୍ଗ କବିତାର ଶହେଟି ଚିଠା କରିଥିଲେ। ତାଙ୍କର କବିତାମାନଙ୍କର ବିଭିନ୍ନ ଚିଠା ମିଳୁଥିବାରୁ ସମସ୍ୟା ହୁଏ କେଉଁ ଚିଠାରୁ ତାଙ୍କ କବିତାର ଆଲୋଚନା କରାଯିବ। ସେହିପରି ରବୀନ୍ଦ୍ରନାଥ ଠାକୁର ନିଜ ଲେଖାର ବାରମ୍ବାର ଅଦଳ ବଦଳ କରୁଥିଲେ; ୧୯୨୩ରେ ପ୍ରକାଶିତ ରକ୍ତକରବୀର ଭିନ୍ନ ଭିନ୍ନ ନାଁରେ- ଯଥା ନନ୍ଦିନୀ, ଯକ୍ଷପୁରୀ ଇତ୍ୟାଦି – ସେ ଦଶଟି ଖସଡ଼ା ତିଆରି କରିଥିଲେ।

ସଂଶୋଧନ ଓ ସଂପାଦନର ଗୋଟିଏ ବିପରୀତ ଦିଗ ମଧ୍ୟ ଅଛି। ଜଣେ ଚାହିଁଲେ ନିଜର କବିତାକୁ ବଦଳାଇ ଚାଲିଥିବ, ଯାହାର ଶେଷ ନାହିଁ। କୌଣସି ସମୟରେ ତା’କୁ ଶେଷ କରି କବିକୁ ନୂଆ କବିତା ପାଖକୁ ଯିବାକୁ ହେବ, ନ ହେଲେ ତା’ର ସମଗ୍ର ସୃଜନ ମାତ୍ର ଗୋଟିଏ କବିତାରେ ସୀମିତ ରହିଯିବ।

ସଂପାଦନ ଓ ପୁନର୍ଲେଖନ ପାଇଁ କେତେ ସମୟ ଦେବ, ତା ମଧ୍ୟ ଲେଖକଙ୍କୁ ଠିକ କରିବାକୁ ପଡ଼ିବ। ବଙ୍ଗଳା କବି ସୁଧୀନ୍ଦ୍ରନାଥ ଥରେ କହିଥିଲେ ସେ ଗୋଟିଏ କବିତା ଲେଖିବା ବେଳେ ’ଉଡ଼େ ଚଲେ ଗେଛେ’ ଶବ୍ଦବନ୍ଧକୁ ’ଉଡ୍ଡୀନ’ରେ ବଦଳାଇବାକୁ ତାଙ୍କୁ ସାତ ଦିନ ଲାଗିଥିଲା। ଏ କଥା ଶୁଣି ରବୀନ୍ଦ୍ରନାଥ କହିଥିଲେ, ଏ ଭଳି ପ୍ରବଣତା ଚାଲିଥିଲେ ତାଙ୍କର କବିତା ଲେଖା ହିଁ ବନ୍ଦ ହୋଇଯିବ!

ଆମ ଓଡ଼ିଶାରେ ଚଳଣି ଅଛି ଯେ ଲେଖକମାନେ ପୂଜା ପୂର୍ବରୁ ତତ୍ପର ହୋଇଯାନ୍ତି। ପୂଜା ସଂଖ୍ୟାର ସଂପାଦକମାନେ ଲେଖକମାନଙ୍କ ପଛରେ ପଡ଼ିଯାନ୍ତି ଏବଂ ଲେଖକ ଲେଖା ପଠାଇବା ବେଳେ ସଂପାଦକଙ୍କୁ ଲେଖନ୍ତି, ଏଇ ମାତ୍ର ଗଳ୍ପ ବା କବିତାଟି ଶେଷ କରି ତା’କୁ ଡାକଘରେ ପକାଇବାକୁ ଯାଉଛି। ଏ କଥାର ଅର୍ଥ ହେଲା ଯେ ସଂଶୋଧନ କରିବାକୁ ସମୟ ପାଇ ନଥିବାରୁ ଲେଖାଟି କଞ୍ଚା।

ଅବଶ୍ୟ ଯେଉଁମାନେ ପୂଜା ପାଇଁ ଅନେକ ଜନପ୍ରିୟ ଉପନ୍ୟାସ ଲେଖନ୍ତି ତାଙ୍କ ପାଖରେ ସଂପାଦନା ପାଇଁ ସମୟ ନଥାଏ। ଜଣେ ଜଣେ ବଙ୍ଗାଳୀ ଲେଖକ ପୂଜା ସଂଖ୍ୟା ପତ୍ରିକା ପାଇଁ ବର୍ଷକୁ ଆଠ ଦଶଟି ଉପନ୍ୟାସ ଲେଖିଥାନ୍ତି। କୁହାଯାଏ ଯେ ଏଭଳି ଲେଖକ ଗୋଟିଏ ପୃଷ୍ଠା ଲେଖିସାରିବା ମାତ୍ରେ ସେଇଟି ଟାଇପ୍ ହେବା ପାଇଁ ଚାଲିଯାଏ। ବହୁପ୍ରସୂ ଲେଖକ (ଯଥା ବଙ୍ଗଳାର ଆଶାପୂର୍ଣ୍ଣା ଦେବୀ : ୧୭୯ଟି ଉପନ୍ୟାସ, ୧୩୦୦ କ୍ଷୁଦ୍ରଗଳ୍ପ, ୫୭ଟି ପିଲାଙ୍କ ବହି)ଙ୍କ ଆଗରେ ପ୍ରଶ୍ନ, ଲେଖାକୁ ସଂଶୋଧନ କରିବେ ନା ନୂଆ ଲେଖା ଲେଖିବେ। ଓଡ଼ିଶାରେ କିନ୍ତୁ ଏ ଭଳି ଫଳପ୍ରସୂ ଲେଖକ ଏ ପର୍ଯ୍ୟନ୍ତ ବାହାରି ନାହାନ୍ତି।

ଖଟଣିର ଅନ୍ୟ ଦିଗଟି ହେଲା ଲେଖା ପାଇଁ ପ୍ରସ୍ତୁତି। ଗବେଷଣା, ପ୍ରବନ୍ଧ, ଐତିହାସକ ଉପନ୍ୟାସ ଇତ୍ୟାଦି ପାଇଁ ହାଡ଼ଭଙ୍ଗା ଖଟଣି ବିଷୟରେ କୌଣସି ସନ୍ଦେହ ରହି ନ ପାରେ। ତେବେ କବିତା ଲେଖିବା ପାଇଁ ମଧ୍ୟ ପ୍ରାଥମିକ ଆୟୋଜନ ଦରକାର। ‘ଏଲିଜି’ କବିତା ଲେଖିବା ପାଇଁ ଡିଲାନ୍ ଟମାସ ଷାଠିଏ ପୃଷ୍ଠାର ନୋଟ ତିଆରି କରିଥିଲେ, କିନ୍ତୁ ଶେଷ ପର୍ଯ୍ୟନ୍ତ ସେ କବିତାଟିକୁ ସଂପୂର୍ଣ୍ଣ କରି ପାରି ନ ଥିଲେ। ଏ ବିଷୟରେ ଆମର ରାଧାନାଥ ରାୟ ସୁବ୍ୟବସ୍ଥିତ ଥିଲେ; ସେ ନିଜର ଟିପାଖାତାରେ କବିତା ଲେଖିବା ପାଇଁ ବ୍ୟବହାର ଯୋଗ୍ୟ ବିବରଣୀ ଲେଖି ରଖୁଥିଲେ।

ମରିବାର କିଛି ଦିନ ପୂର୍ବରୁ ରାଧାନାଥ ’ମାଲ୍ୟଗିରି’ କବିତା ଲେଖିବାର ଇଚ୍ଛା ପ୍ରକାଶ କରିଥିଲେ ଏବଂ ଏଥିପାଇଁ ସେ ଯେଉଁ ଟିପା କରିଥିଲେ ତାହା ଉପଲବ୍ଧ। ଏ ଟିପାରେ ସେ ନିଜେ ମାଲ୍ୟଗିରି ପର୍ବତ ଯାଇ ସେଠାରେ ଦେଖିଥିବା ପଶୁପକ୍ଷୀ, ଗଛ ଲତା, ନଦୀ ନାଳ ଇତ୍ୟାଦିର ବିସ୍ତୃତ ବିବରଣୀ ଲେଖି ରଖିଥିଲେ। ଏପରି କି ଏଥିରେ ସେ କବିତାର ଦୁଇ ଧାଡ଼ି ମଧ୍ୟ ଛାଡ଼ି ଯାଇଛନ୍ତି; ଶାସ୍ତ୍ରେ ନ ଥିଲେ ହେଁ ତୋ ନାମକରଣ, ତୁହି ମାଲ୍ୟଗିରି ତୀର୍ଥ ସନାତନ। ଏହି ଟିପାଖାତାକୁ ପଢ଼ିଲେ କୌଣସି ସନ୍ଦେହ ରହିବ ନାହିଁ ଯେ ସେ ଯଦି ମାତ୍ର ଆଉ କିଛି ଦିନ ସୁସ୍ଥ ଭାବରେ ବଞ୍ଚି ରହିଥାନ୍ତେ, ତାଙ୍କ ପାଖରୁ ଆମେ ’ଚିଲିକା’ ଓ ’ମହେନ୍ଦ୍ରଗିରି’ ଭଳି ଆଉ ଗୋଟିଏ କାବ୍ୟ ପାଇ ପାରିଥାନ୍ତେ।

ଗୋଟିଏ ଲେଖା ଲେଖିବା ପୂର୍ବରୁ ଲେଖକ ମନେ ମନେ ଭାବି ନେଇଥାଏ ଲେଖାର ସ୍ୱରୂପ କିପରି ହେବ। କବିତାର ପ୍ରଥମ ଧାଡ଼ିରୁ ଆରମ୍ଭ କରି ମନ ଭିତରେ ଥିବା ଆବେଗ ଲେଖକକୁ ଆଗେଇ ନିଏ ଗୋଟିଏ ଧାଡ଼ିରୁ ଆଉ ଗୋଟିଏ ଧାଡ଼ି। ଗଳ୍ପ ଓ ବିଶେଷରେ ଉପନ୍ୟାସ ଲେଖିବା ବେଳେ କିନ୍ତୁ ଘଟଣାବଳୀକୁ କେଉଁ ବିନ୍ୟାସରେ ସଜାଇବ ତା’କୁ କାଗଜରେ ନ ଲେଖିଲେ ବି ଅନ୍ତତଃ ମନ ଭିତରେ ସଜାଡ଼ି ରଖେ ଲେଖକ। ନାଟକ ଲେଖିବା ପାଇଁ ଆହୁରି ଅଧିକ କଠୋର ଅନୁଶାସନ ଦରକାର ହୁଏ- ଚରିତ୍ରମାନେ କେଉଁଠାରୁ କେତେବେଳେ ଆସିବେ ଇତ୍ୟାଦି। ନାଟକ ଲେଖିବା ବେଳେ ନାଟକକାର ମନ ଭିତରେ କାହାଣୀର ମଞ୍ଚାୟନ ମଧ୍ୟ କରୁଥାଏ।

ଅବଶ୍ୟ ଏ କଥା ମଧ୍ୟ ନୁହେଁ ଯେ ଲେଖକ ପ୍ରଥମେ ଯେଉଁଭଳି ଭାବିଥାଏ ଏବଂ ଚରିତ୍ର ଓ କାହାଣୀର ବିକାଶ ପାଇଁ ଯେଉଁ ଛାଞ୍ଚ ବା ନକ୍‌ସା ତିଆରି କରିଥାଏ ଶେଷ ପର୍ଯ୍ୟନ୍ତ ସେଇଭଳି ରହେ। ଲେଖା ଅଗ୍ରସର କରୁଥିବା ବେଳେ ଲେଖକର ଚିନ୍ତାଧାରା ବଦଳେ, ମନକୁ ନୂଆ ଭାବନା ଆସେ, ଲେଖୁଥିବା ଚରିତ୍ରଟି ଜୀବନ୍ୟାସ ନେଇ ଲେଖକକୁ ଭିନ୍ନ ଦିଗକୁ ଟାଣି ନିଏ। ଆନ୍ନା କାରେନିନାର ପ୍ରଥମ ଖସଡ଼ାରେ ନାୟିକା ତାଙ୍କର ପ୍ରେମିକଙ୍କୁ ବାହା ହେଉଥିଲେ, କିନ୍ତୁ ସଂଶୋଧନ ପରେ ଶେଷ ଖସଡ଼ାରେ ଟଲଷ୍ଟୟ ତାଙ୍କୁ ଏଥିରୁ ବଞ୍ଚିତ କରିଦେଲେ।

ପ୍ରତ୍ୟେକ ଲେଖକର ଲେଖନ ପ୍ରଣାଳୀ ଅଲଗା। ତେବେ ଲେଖା ପାଇଁ ପ୍ରସ୍ତୁତି ଏବଂ ପ୍ରଥମ ଖସଡ଼ାର ସଂପାଦନ ଯେ ଲେଖାକୁ ଅଧିକ ସୁନ୍ଦର କରିପାରେ ଏଥିରେ ସନ୍ଦେହ ନାହିଁ। ଅନେକ ସମୟରେ ସ୍ୱତଃସ୍ଫୂର୍ତ୍ତ ସ୍ୱାଭାବିକ ଦୈବୀ ପ୍ରେରଣାରୁ ଉଦ୍ଭୁତ ଜଣାଯାଉଥିବା ଲେଖାଟି ବହୁ ଶ୍ରମ, ସମୟ ଓ ସଂଶୋଧନ ପ୍ରସୂତ ହୋଇଥିବାର ସମ୍ଭାବନା ଅଧିକ। ଅନ୍ୟ ଭାଷାମାନଙ୍କରେ ପ୍ରକାଶକଙ୍କର ସଂପାଦକ ଥାନ୍ତି ଯେଉଁମାନେ ପାଣ୍ଡୁଲିପିରେ ଆବଶ୍ୟକୀୟ ସଂଶୋଧନ କରି ତା’କୁ ପ୍ରକାଶନ ଉପଯୋଗୀ କରିଥାନ୍ତି। ଆମର ଏଠାରେ ଏ କାମଟି ଲେଖକକୁ ହିଁ କରିବାକୁ ପଡ଼େ। ତେଣୁ ଆମର ଲେଖକଙ୍କୁ ଅଧିକ ସାବଧାନ ରହିବା ଉଚିତ।

ଏ ବିଷୟରେ ଶେଷ କଥା ହେଲା ଯେ ଲେଖାଟି ପଛରେ କେତେ ଶ୍ରମ ବ୍ୟୟ ହୋଇଛି ସେ କଥା ଗୌଣ ହୋଇଯାଏ; ଲେଖାର ଅନ୍ତିମ ପ୍ରକାଶିତ ରୂପ ହିଁ ସବୁ କିଛି। ତେବେ ଏ କଥା ମଧ୍ୟ ସତ ଯେ ବିନା ପରିଶ୍ରମରେ ଯାହା ଲେଖାଯାଏ ତା’କୁ ପାଠକ ପଢ଼ନ୍ତି ବିନା ଆନନ୍ଦରେ, ବିନା ଆଗ୍ରହରେ।

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ‘ଆମ ଭାଷା, ଆମ ସଂସ୍କୃତି’ ପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ‘ଓଡ଼ିଶାଲାଇଭ୍’କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment