ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ହ୍ୱାଟ୍ସଆପ ଜରିଆରେ ମେସେଜ୍‌ ସହିତ ଟଙ୍କା ମଧ୍ୟ ନେଣଦେଣ କରିହେବ। ହ୍ୱାଟ୍ସଆପର ଗ୍ଲୋବାଲ ହେଡ୍‌ ବିଲ କୈଥକାର୍ଟଙ୍କ କହିବା ଅନୁଯାୟୀ, ହ୍ୱାଟ୍ସଆପ କମ୍ପାନି ଚଳିତ ବର୍ଷ ଶେଷ ଭାଗରେ ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରିପାରେ।

ଗତ ବର୍ଷଠାରୁ ହ୍ୱାଟ୍ସଆପ କମ୍ପାନି ତା’ର ୧୦ ଲକ୍ଷ ୟୁଜରଙ୍କୁ ନେଇ ପେମେଣ୍ଟ ସେବାର ଟେଷ୍ଟିଂ ଆରମ୍ଭ କରିଥିଲା। ତେବେ ଜୁଲାଇ ମାସରେ ଏହାର ଟେଷ୍ଟିଂ ସରିବାର ଥିଲା। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ୱୀକୃତି ପାଇଲେ ଖୁବ୍‌ଶୀଘ୍ର ଭାରତରେ ହ୍ୱାଟ୍ସଆପ ପେମଣ୍ଟେ ସର୍ଭିସ ଆରମ୍ଭ ହେବ। ବର୍ତ୍ତମାନ ବିଶ୍ୱରେ ପାଖାପାଖି ୧୫୦ କୋଟି ହ୍ୱାଟ୍ସଆପ ବ୍ୟବହାରକାରୀ ରହିଛନ୍ତି। ସେହିପରି ଭାରତରେ ଏହାର ୪୦ କୋଟି ୟୁଜର ଅଛନ୍ତି।

ପୂର୍ବରୁ ଟଙ୍କା ନେଣଦେଣ କାମରେ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଦେଶରେ ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟପିଆଇ ଭଳି ସେବା ଆରମ୍ଭ ହେବା ଫଳରେ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଆଙ୍ଗୁଠି ଟିପ୍‌ରେ ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରୁଛି। ଏହାକୁ ଆହୁରି ସରଳ କରିବା ପାଇଁ  ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ହ୍ୱାଟ୍ସଆପ ପେମେଣ୍ଟ ସର୍ଭିସ। ଏଣିକି ହ୍ୱାଟ୍ସଆପରେ ମେସେଜ୍‌ ସହିତ ଟଙ୍କା ମଧ୍ୟ ପଠାଇପାରିବେ।

ଭାରତରେ ହ୍ୱାଟ୍ସଆପ ପେମେଣ୍ଟ ସର୍ଭିସ ଆରମ୍ଭ କଲେ ଏହାକୁ ପେଟିଏମ୍‌, ଗୁଗୁଲ ପେ, ଫୋନ୍‌ ପେ ସହ ମୁକାବିଲା ସାମ୍ନା କରିବାକୁ ପଡ଼ିବ। ପେମେଣ୍ଟ ଅଥେଣ୍ଟିକେଶନ ଏବଂ ଡାଟା ଷ୍ଟୋରେଜ ସମସ୍ୟା କାରଣରୁ ଭାରତରେ ହ୍ୱାଟ୍ସଆପ ପେମେଣ୍ଟ ଆରମ୍ଭ ହେବାରେ ବିଳମ୍ବ ହେଉଛି। ତେବେ ଖୁବ୍‌ଶୀଘ୍ର ଏହାର ସମାଧାନ କରାଯାଇଛି ଆର୍‌ବିଆଇର ନିୟମକୁ ପାଳନ କରିବା ସହ ଭାରତରେ ହ୍ୱାଟ୍ସଆପ ପେମେଣ୍ଟ ସର୍ଭିସ ଲଞ୍ଚ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Comment