ଓଡ଼ିଶାଲାଇଭ୍‌ ବ୍ୟୁରୋ

India South Africa Cricket

ବିଶାଖାପାଟଣାରେ ଖେଳାଯାଉଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଭାରତର ଦମ୍‌ଦାର ବିଜୟ। ଦକ୍ଷିଣ ଆଫ୍ରିକାକୁ ୨୦୩ ରନ୍‌ରେ ହରାଇ ଭାରତ ଏହି ବିଜୟ ହାସଲ କରିଛି। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ୩୯୫ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ। ହେଲେ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି।

ଦ୍ୱିତୀୟ ଇନିଂସରେ ମହମ୍ମଦ ସାମି ଦକ୍ଷିଣ ଆଫ୍ରିକାର ୫ଟି ଗୁରୁତ୍ୱପୁର୍ଣ୍ଣ ୱିକେଟ୍‌ ନେଇଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କୁ ୪ଟି ୱିକେଟ୍‌ ମିଳିଛି। ଭାରତର ଏହି ଦୁଇ ଘାତକ ବୋଲରଙ୍କୁ ସାମ୍ନା କରି ନପାରି ଦକ୍ଷିଣ ଆଫ୍ରିକା ଘାଇଲା ହୋଇଛି। ଫଳରେ ମାତ୍ର ୧୯୧ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ପ୍ରଥମ ଟେଷ୍ଟରେ ପରାଜୟ ସ୍ୱୀକାର କରିଛି।

Mohammed Shami of India

ସିରିଜର ପ୍ରଥମ ଟେଷ୍ଟ୍‌ରେ ୪ଟି ଇନିଂସ ଖେଳାଯାଇଥିଲା। ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ପ୍ରହାର ଆରମ୍ଭ କରିଥିଲା। ମୟଙ୍କ ଅଗ୍ରୱାଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧୁଆଁଧାର ଶତକ ବଳରେ ଦଲ ପ୍ରଥମ ଇନିଂସରେ ୭ ୱିକେଟ୍‌ ହରାଇ ୫୦୨ ରନ୍‌ ସଂଗ୍ରହ କରିଥିଲା। ହେଲେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ଭାରତ ୪୩୧ ରନ୍‌ରେ ରୋକିବାରେ ସକ୍ଷମ ହୋଇଥିଲା। ଫଳରେ ଭାରତ ୭୧ ରନ୍‌ରେ ଆଗୁଆ ରହିଥିଲା।

ସେହିପରି ଦ୍ୱିତୀୟ ଇନିଂସରେ ରୋହିତ ଶର୍ମାଙ୍କ ଦମ୍‌ଦାର ଶତକ ବଳରେ ଭାରତ ୪ ୱିକେଟ୍ ହରାଇ ୩୨୩ ରନ୍‌ ସଂଗ୍ରହ କରିଥିଲା। ତେବେ ଶେଷ ଇନିଂସରେ ଦକ୍ଷିଣ ଆଫ୍ରିକାକୁ ଜିତିବା ପାଇଁ ୩୯୫ ରନ୍‌ର ଆବଶ୍ୟକତା ରହିଥିଲା। ହେଲେ ଭାରତର ଘାତକ ବୋଲିଂରେ ଘାଇଲା ହୋଇ ଦକ୍ଷିଣ ଆଫ୍ରିକା ମାତ୍ର ୧୯୧ ରନ୍‌ରେ ଅଲ୍ଆଉଟ୍‌ ହୋଇଥିଲା। ଫଳରେ ଭାରତ ବିଶାଳ ବିଜୟ ଲାଭ କରି ୧-୦ରେ ସିରିଜରେ ଆଗୁଆ ରହିଛି।

Comment