ଜଗନ୍ନାଥ ପ୍ରସାଦ ଦାସ

ଏ ଭଳି ଏକ ମତ ଅଛି ଯେ ସାହିତ୍ୟରେ, ଏବଂ ବିଶେଷରେ ଗଳ୍ପ ଉପନ୍ୟାସ ନାଟକରେ, ସର୍ବସାଧାରଣଙ୍କର ସରଳ କଥିତ ଭାଷା ବ୍ୟବହାର ହେବା ଉଚିତ। ଲେଖାରେ କି ଭଳି ଭାଷା ବ୍ୟବହାର କରିବ, ଲେଖକ ଆଗରେ ସବୁବେଳେ ଏ ପ୍ରଶ୍ନଟି ଥାଏ। ଆମର ଭାଷା ଓ ସାହିତ୍ୟ ପରିପ୍ରେକ୍ଷୀରେ ପ୍ରଶ୍ନଟି ହେଲା ସେ ସଂସ୍କୃତର ତତ୍‌ସମ ବା ତା ଦ୍ୱାରା ପ୍ରଭାବିତ ତତ୍‌ଭବ ଶବ୍ଦ ସଂକୁଳ ଭାଷାରେ ଲେଖିବ ନା ଦେଶଜ ଶବ୍ଦ ଓ ଭାଷା ବ୍ୟବହାର କରିବ।

ଏ ପ୍ରଶ୍ନ ଆମ ସାହିତ୍ୟରେ ଅନେକ ପୁରୁଣା, ସାରଳା ଦାସ ଓ ଜଗନ୍ନାଥ ଦାସଙ୍କଠାରୁ। ସଂସ୍କୃତର ଆଧିପତ୍ୟ ଭାଙ୍ଗି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସେମାନେ ଦାଣ୍ଡି ମହାଭାରତ ଓ ତେଲି ଭାଗବତ ଲେଖିଲେ ଏବଂ ସେହି ଦିନଠାରୁ ଓଡ଼ିଆ ଭାଷା ଓ ସାହିତ୍ୟର ମୂଳଦୁଆ ପଡ଼ିଲା। ବର୍ତ୍ତମାନର ଓଡ଼ିଆ ଭାଷା ସେତେବେଳର ଓଡ଼ିଆଠାରୁ ବିଶେଷ ବିଚ୍ୟୁତ ହୋଇନାହିଁ।

ମଝିରେ କିନ୍ତୁ ଏକ ବିରାଟ ପରିବର୍ତ୍ତନ ଆସିଥିଲା ରୀତିଯୁଗ କାବ୍ୟରେ, ଉପେନ୍ଦ୍ର ଭଂଜ ପ୍ରମୁଖଙ୍କ ଲେଖାରେ। ରାଜାମାନଙ୍କ ସଭାରେ ଏ ଭଳି ସଂସ୍କୃତ ଆଶ୍ରିତ ଭାଷାର ଅଳଙ୍କାର ବହୁଳ ଲେଖା ଆଦର୍ଶ ଭାବେ ଗଣା ହେଲା। ଏ କବିତାମାନ ପଣ୍ଡିତମାନଙ୍କର ବିଶ୍ଳେଷଣ ଓ ବ୍ୟାଖ୍ୟା ସାପେକ୍ଷ ଥିଲା, ଯେପରି ସାଂପ୍ରତିକ ସମୟରେ ପାଶ୍ଚାତ୍ୟ ସାହିତ୍ୟର ଇଲିଅଟ ଭଳି କବିଙ୍କ ଲେଖାର। ଆମର ସେ ସମୟର କବିମାନେ ନିଶ୍ଚୟ ଦୈନନ୍ଦିନ କଥାବାର୍ତ୍ତାରେ ଲୋକ ପ୍ରଚଳିତ ଭାଷା ବ୍ୟବହାର କରୁଥିଲେ, କିନ୍ତୁ କବିତା ଲେଖିବା ବେଳେ ରାଜକୀୟ ସଂସ୍କୃତ ପୋଷାକ ପିନ୍ଧୁଥିଲେ। କାବ୍ୟର ଆରମ୍ଭରେ ଉପେନ୍ଦ୍ର ଜଣାଇ ଦେଉଥିଲେ ଯେ ଲେଖାଟି ପଣ୍ଡିତ କୋବିଦ ସୁଜ୍ଞ ସୁଜାଣମାନଙ୍କ ପାଇଁ ଉଦ୍ଦିଷ୍ଟ।

ଲାବଣ୍ୟବତୀର ଆରମ୍ଭରେ ସେ ଏ କଥା ମଧ୍ୟ ଆଶା କରିଥିଲେ ଯେ ‘ବୁଝାଇଲେ ଜଡ଼ ଜନ ଭାବକୁ ପାଇବ’। ଏହି ବୁଝାଇବା କାମ ଦରବାରରେ ପଣ୍ଡିତ ଓ ସାଧାରଣରେ ପାଲା ଗାୟକଙ୍କ ଉପରେ ନ୍ୟସ୍ତ ଥିଲା, ଯେପରି ଇଲିଅଟଙ୍କୁ ବୁଝାଇବାର ଭାର ଥିଲା ଇଂରେଜୀ ଅଧ୍ୟାପକଙ୍କ ଉପରେ।

ଆମ ଦେଶରେ ଯେତେବେଳେ ସାହିତ୍ୟର ଆରମ୍ଭ ହେଲା, ତାର ଭାଷା ଥିଲା ସଂସ୍କୃତ, ଯଦିଓ ଲୋକମାନେ ପ୍ରାକୃତ ଓ ଅପଭ୍ରଂଶରେ କଥାବାର୍ତ୍ତା କରୁଥିଲେ। ସଂସ୍କୃତ ନାଟକରେ ନୀଚବର୍ଗର ଲୋକ (ଯେଉଁଥିରେ ରାଣୀ ସମେତ ସମସ୍ତ ସ୍ତ୍ରୀ ଜାତି ଅନ୍ତର୍ଭୁକ୍ତ ଥିଲେ)ଙ୍କ ପାଇଁ ସଂଳାପ ଥିଲା ଏହି ଅସଂସ୍କୃତ ଭାଷାରେ। ଓଡ଼ିଶାରେ ଏହାର ଏକ ଉଦାହରଣ ହେଉଛି ଗଜପତିନା ଶ୍ରୀ କପିଳେନ୍ଦ୍ର ଦେବେନ ବିରଚିତୋୟଂ ବ୍ୟାୟୋଗଃ ପରଶୁରାମ ବିଜୟ। ଏହି ନାଟକରେ କାଳିଦାସ ପ୍ରମୁଖ ସଂସ୍କୃତ ନାଟ୍ୟକାରଙ୍କୁ ଅନୁକରଣ କରି କପିଳେନ୍ଦ୍ର(ଶାସନକାଳ ୧୪୩୫-୧୪୬୬) ନିଜର ସଂସ୍କୃତ ନାଟକରେ ଚନ୍ଦ୍ରକଳାଙ୍କ ମୁହଁରେ ନିମ୍ନଭଳି ଓଡ଼ିଆ ସଂଳାପ ଓ ଗୀତ ଦେଇଛନ୍ତି :

ଚନ୍ଦ୍ରକଳା : ଅଜ୍ଜ ଶୁଣି ଅଜ୍ଜୁ। ଆର୍ଯ୍ୟ ଶ୍ରୂୟତାମ। ଗୀତାଭିନୟ କରିବା। ଅମର ରାଗେଣ ଗୀୟତେ। କେବଣ ମୁନିବର, ପରଶୁ ଦକ୍ଷିଣ କର, ବାମେଣ ଶୋହେ ଧନୁଶର ନା ।। କୋପେଣ ବୋଲଇ ବୀର ତ, ତୁ ସେ ମୋ ବଧିଲୁ ତାତ, ଆଜ ତୋର ଛେଦିବଇଁ ମାଥ ନା ।। ଶୁଣ ରାଜନ ହୋ କିଏ ତୋର ରାଜ୍ୟ ବ୍ରହ୍ମ ବଧେ ନା ।।

(ଡ: ଦଶରଥ ଓଝା ତାଙ୍କର ହିନ୍ଦୀ ନାଟକ- ଉଦ୍‌ଭବ ଔର ବିକାଶ ବହିରେ ଏହାକୁ ପୁରୁଣା ହିନ୍ଦୀବୋଲି କହିଛନ୍ତି ଯାହା ସଂପୂର୍ଣ୍ଣ ଭୁଲ।)

ଓଡ଼ିଆ କବିମାନଙ୍କ ପାଇଁ ଉଚ୍ଚ ନୀଚ ବର୍ଗ ଭେଦରେ ତତ୍‌ସମ ଓ ତଦ୍‌ଭବ-ଦେଶଜ ଶବ୍ଦ ବ୍ୟବହାର ପାଇଁ କୌଣସି ନିୟମ ନଥିଲା। ତେବେ କବିମାନେ ସେମାନଙ୍କ କାବ୍ୟକୁ ଅଳଙ୍କାର ମଣ୍ଡିତ କରିବା ପାଇଁ ସଂସ୍କୃତ ଶବ୍ଦ ବ୍ୟବହାର କରୁଥିଲେ। ତଥାପି କବି ସବୁବେଳେ ଚଳିତ ଭାଷାରୁ ନିଜକୁ ଦୂରରେ ରଖିବ କିପରି? ସ୍ୱୟଂ ଉପେନ୍ଦ୍ର ଭଂଜ ନିଜ କାବ୍ୟରେ ଯେଉଁ ନିତିଦିନିଆ ଓଡ଼ିଆ ଭାଷା ବ୍ୟବହାର କରିଛନ୍ତି ତାର କେତୋଟି ଉଦାହରଣ ହେଲା:

କି କଲ ବୋଲି ଲାଗିଲା ନ ଲାଗିଲା ଚେତୁଆଇ ସେ ନବୀନା। ନାଥ ହାତ ଧରି ଚାଟୁଆଇ ନେବେ ତୋତେ। ହସିଲା ହସିଲା ହୋଇ ସଜନୀଏ ବୋଲି।  ଯଥାକଥା କରି ତାକୁ ଜଣାଣ ଲେଖିବା। ଏମନ୍ତରେ ଗଲା ତହିଁ କେତେ ସମ୍ବତ୍ସର। କିସ ପୁଣି ଦେଖା ନଯାଏ ଜିଇଥିଲେ ଜୀବରେ, ବିଷମ ସମସ୍ୟା ପୂରଣ ହେଲା ଏହି ଠାବରେ।। ମଥା ଟେକି କଥା ବୋଲନ୍ତେ, କିସ କହିବି କହି ଦିଅ ମୋତେ।। ଇତ୍ୟାଦି।

ଏହି ଭଳି ସଂସ୍କୃତ ଓ ଦେଶଜ ଶବ୍ଦର ଏକତ୍ର ବ୍ୟବହାରକୁ ଅଳଂକାର ଶାସ୍ତ୍ରରେ ଗୁରୁଚଣ୍ଡାଳ ଦୋଷ ଆଖ୍ୟା ଦିଆଯାଇଛି। ସେହି ଦୃଷ୍ଟିରୁ ଭଂଜ ନିଶ୍ଚୟ ଦୋଷୀ। କିନ୍ତୁ ଏଥିପାଇଁ ବୋଧହୁଏ ଭୟଙ୍କର ଅପରାଧୀ ହେବେ ପରବର୍ତ୍ତୀ ସମୟର ରାଧାନାଥ ରାୟ। ତାଙ୍କର ‘ଦରବାର’ ଏହି ଅପରାଧରେ ଭରପୂର। ଏଥିରେ ବ୍ୟବହୃତ କିଛି ଉଦାହରଣ ହେଲା : କିମ୍ବା ଘନ କାଳେ ଉଚ୍ଚେ ବର୍ହ ତୋଳି, କେକୀ ନାଚେ ଯଥା ଦୋହଲି ଦୋହଲି ।। ଥରେ ଥରେ କାଶି ସାହେବୀ ଠାଣିରେ, ପୋଛଇ ବଦନ ରୋମାଲ କାନିରେ ।। ତାଙ୍କର ଅନ୍ୟ କବିତାମାନଙ୍କରେ ଅଛି : ବିକଳେ ରାବୁଁ ରାବୁଁ ଊର୍ଦ୍ଧ୍ୱେ ଉଡ୍ଡୀନ, ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ।। ଆଣ୍ଠୋଇ ଆୟୁଧ ଥୋଇ ଅବନୀରେ ଓଳଗି ହେଲେ ଅବଳା। ଇତ୍ୟାଦି।

ଏ ସବୁକୁ ଦୋଷ କୁହାଯାଉଥିଲେ ମଧ୍ୟ ଏହି ଉଦାହରଣମାନ ଓଡ଼ିଆ ଭାଷାର ସଜୀବତାର ଲକ୍ଷଣ। ଏହି ଉଦାହରଣମାନଙ୍କୁ କେବଳ ସଂସ୍କୃତ ବା କେବଳ ଦେଶୀୟ ଶବ୍ଦ ଦେଇ ଲେଖିଲେ ତାହା ଏପରି ଦ୍ୟୋତକ ହେବ ନାହିଁ। ଏ ଭଳି ପ୍ରୟୋଗ ଓଡ଼ିଆ ଭାଷାର ଦୁର୍ବଳତା ନୁହେଁ, ଏହା ତା’ର ସାମର୍ଥ୍ୟ ଓ ଶକ୍ତି। ଏହାକୁ ବରଂ କୁହାଯାଇପାରେ ଗୁରୁଚଣ୍ଡାଳ ଗୁଣ।

ଫକୀରମୋହନଙ୍କୁ ଶ୍ରେୟ ଦିଆ ଯାଇଥାଏ ତାଙ୍କ ଉପନ୍ୟାସରେ କଥିତ ଓଡ଼ିଆ ଭାଷା ପ୍ରୟୋଗ କରିଥିବାର। ଛମାଣ ଆଠଗୁଣ୍ଠର ଆରମ୍ଭ ହେଲା : ରାମଚନ୍ଦ୍ର ମଙ୍ଗରାଜ ଜଣେ ମଫସଲର ଜମିଦାର, ମଧ୍ୟ ମହାଜନ। ନଗଦ ଟଙ୍କା କାରବାରଠାରୁ ଧାନର ମହାଜନୀ ବେଶି। ଶୁଣାଯାଏ ଆଡେ ଦୀର୍ଘେ ଚାରି କୋଶ ମଧ୍ୟରେ ଆଉ କାହାରି କାରବାର ଚଳେ ନାହିଁ। ଏହାକୁ ଯଦି ଚଣ୍ଡାଳ ଭାଷା ଆଖ୍ୟା ଦିଆଯାଏ, ତେବେ ସେହି ଉପନ୍ୟାସର ଶେଷରେ ଅଛି ଗୁରୁ ଭାଷାର ଉଦାହରଣ : ଅନନ୍ତ ଆକାଶରେ ସୂର୍ଯ୍ୟମଣ୍ଡଳର ଅତି ଊର୍ଦ୍ଧ୍ୱରେ ରତ୍ନସିଂହାସନରେ ଗୋଟିଏ ଜ୍ୟୋତିର୍ମୟୀ, ଶାନ୍ତିମୟୀ, ଆଶା ପ୍ରଦାୟିନୀ ସ୍ତ୍ରୀ ମୂର୍ତ୍ତି ବିରାଜିତା।… ମଙ୍ଗରାଜଙ୍କ ଆତ୍ମା ସେହି ମୂର୍ତ୍ତିକୁ ଲକ୍ଷ୍ୟ କରି ଧାବିତ ହେଲା। ଏହା କେବଳ ବାକ୍ୟରୁ ବାକ୍ୟକୁ ଗୁରୁଚଣ୍ଡାଳ ଗୁଣର ବ୍ୟବହାର ନୁହେଁ, ଗୋଟିଏ ସଂପୂର୍ଣ୍ଣ ଉପନ୍ୟାସରେ ଉଭୟ ଶୈଳୀର ସର୍ଜନଶୀଳ ପ୍ରୟୋଗ, ଯାହା ଭାଷା ଓ ସାହିତ୍ୟକୁ ଶକ୍ତି ଦେଇଛି।

ଜଣେ କାହାଣୀ ଲେଖକ ଆଗରେ ପ୍ରଥମ ପ୍ରଶ୍ନ ରହେ ସେ ନିଜର ଚରିତ୍ରମାନଙ୍କ ପାଇଁ କି ପ୍ରକାର ଭାଷା ବ୍ୟବହାର କରିବ, ସାହିତ୍ୟିକ ଭାଷା ନା ଚଳିତ ଭାଷା। ଇଟାଲିର ଲେଖକ ଆଲବର୍ଟୋ ମୋରାଭିଆ ତାଙ୍କର ‘ରୋମାନ୍ ଟେଲ୍‌ସ୍‌’ ବହିର ଭୂମିକାରେ ଲେଖିଛନ୍ତି, ସେ ରୋମ୍‌ର ସାଧାରଣ ନିମ୍ନବର୍ଗର ଲୋକଙ୍କୁ ନେଇ ଗପ ଲେଖିବା ବେଳେ ତାଙ୍କ ଆଗରେ ଏହି ପ୍ରଶ୍ନଟି ଥିଲା। ସେ ନିଜର ଚରିତ୍ରମାନଙ୍କ ମୁହଁରେ ସାହିତ୍ୟିକ ଭାଷା ଦେଇଥିଲେ, ରାସ୍ତାଘାଟର ପ୍ରଚଳିତ ଭାଷା ନୁହେଁ। ଏହାର ସମର୍ଥନରେ ସେ କହିଥିଲେ, ସାହିତ୍ୟିକ ଭାଷା କଥିତ ଭାଷା ଅପେକ୍ଷା ଅଧିକ ସତ୍ୟ ଏବଂ କାବ୍ୟିକ ଭାବେ ଅଧିକ ଭାବବ୍ୟଂଜକ।

ଗୋଟିଏ ସାହିତ୍ୟର ଯେତେବେଳେ ବିକାଶ ହୁଏ, ତାର ଭାଷା କଥିତ ଭାଷାଠାରୁ ସେତିକି ଦୂରେଇ ଯାଏ। ସାରଳା ଦାସଙ୍କ ମହାଭାରତରେ ଯେଉଁ ପ୍ରକାର କଥିତ ଭାଷାର ବ୍ୟବହାର ଥିଲା ଜଗନ୍ନାଥଙ୍କ ଭାଗବତ ବେଳକୁ ତା’ ରହିଲା ନାହିଁ। ଯଦିଓ ଭାଗବତ ଗାଁ ଗଣ୍ଡାରେ ପଢ଼ା ହେଉଥିଲା ଏବଂ ସାଧାରଣ ଲୋକ ତା’କୁ ଶୁଣି ତା’ର ଆନନ୍ଦ ନେଉଥିଲେ, ସେମାନେ ଯେ ତା’କୁ ସଂପୂର୍ଣ୍ଣ ବୁଝିପାରୁଥିଲେ ସେ କଥା କହି ହେବ ନାହିଁ। ଉଦାହରଣ ସ୍ୱରୂପ ଭାଗବତରେ ଅଛି :

ଜୀମୂତଗଣ ଯାର କେଶ। ସନ୍ଧ୍ୟା ଯାହାର ନିଜ ବାସ।।

ପ୍ରକୃତି ହୃଦୟ ଯାହାର। ମନ ଯାହାର ନିଶାକର।।

ପକ୍ଷିଏ ଯାର ବ୍ୟାକରଣ। ବୁଦ୍ଧି ବିଷୟ ମନଗଣ ।।

ଏହି ପଦମାନଙ୍କରେ ବ୍ୟବହୃତ ସଂସ୍କୃତ ବହୁଳ ଭାଷା ଓ ଅମୂର୍ତ୍ତ ଭାବ ନିଶ୍ଚିତ ଭାବେ ଗାଁର ଅପାଠୁଆ ଲୋକଙ୍କ ପାଇଁ ଦୁର୍ବୋଧ୍ୟ ଥିଲା।

ସଂସ୍କୃତମଣ୍ଡିତ ଭାଷାରେ ଲେଖିବାର ଆଉ ଗୋଟିଏ ଧାରା ଆରମ୍ଭ ହେଲା ପୌରଣିକ, ଧାର୍ମିକ ବିଷୟକୁ ନେଇ ଗଳ୍ପ ଉପନ୍ୟାସ ଲେଖିବା ବେଳେ। ହିନ୍ଦୀରେ ଏ ଧାରାର ଜଣେ ପ୍ରମୁଖ ପ୍ରବର୍ତ୍ତକ ଥିଲେ ରାହୁଲ ସଂକ୍ରିୟାତନ(୧୮୯୩-୧୯୬୩)। ଓଡ଼ିଆରେ ମଧ୍ୟ ଲେଖକମାନେ ଏହି ନିୟମ ଅନୁସରଣ କରିଛନ୍ତି। ଉଦାହରଣ ସ୍ୱରୂପ, ସାରଳା ମହାଭରତର ସତ୍ୟ ଆମ୍ବ ବର୍ଣ୍ଣନା କରିବାକୁ ଯାଇ ସୁରେନ୍ଦ୍ର ମହାନ୍ତି କାହାଣୀକୁ ଏ ଭଳି ଆରମ୍ଭ କରିଛନ୍ତି : ମହାକାନ୍ତାରର ଘଞ୍ଚ ନିଚ୍ଛିଦ୍ର ଅରଣ୍ୟ ମଧ୍ୟରେ ଅଜ୍ଞାତବାସୀ ପାଣ୍ଡବ ପଞ୍ଚଭ୍ରାତାଙ୍କର ପର୍ଣ୍ଣକୁଟୀର … ଅଶସ୍ତ୍ର ଅସହାୟ ବନବାସୀ। ଏ କଥାକୁ ଅତି ସରଳ ଓଡ଼ିଆରେ କୁହାଯାଇପାରିଥାନ୍ତା, କିନ୍ତୁ ସେଥିରେ ବୋଧହୁଏ ଶାସ୍ତ୍ରୀୟ ଗାମ୍ଭୀର୍ଯ୍ୟ ଆସିବ ନାହିଁ ବୋଲି ଏ ଭଳି ଭାଷା ବ୍ୟବହାର କରାଯାଇଛି।

ଆମର ବୋଧହୁଏ ଏ ଭଳି ଏକ ଧାରଣା ଅଛି ଯେ ଗୁରୁତ୍ୱପୂର୍ଣ୍ଣ ବିଷୟକୁ କଠିନ ଭାଷାରେ ଲେଖିବା ଉଚିତ, ନ ହେଲେ ପାଠକମାନେ ତା’କୁ ଗମ୍ଭୀରତାର ସହ ଗ୍ରହଣ କରିବେ ନାହିଁ। ସେଥିପାଇଁ ବିଦ୍ୱାନମାନେ ସେମାନଙ୍କ ଗବେଷଣାପ୍ରସୂତ ଲେଖାକୁ ଏପରି ଏକ କଟମଟ ଭାଷାରେ ଲେଖନ୍ତି ଯାହା ସାଧାରଣ ପାଠକ ପାଇଁ ଦୁର୍ଭେଦ୍ୟ ହୋଇଯାଏ। ଗଭୀର ତାତ୍ତ୍ୱିକ ବିଷୟକୁ ଯେ ସହଜ ସରଳ ଭାଷାରେ ଲେଖାଯାଇ ପାରେ ଇଂରେଜୀରେ ତା’ର ଉଦାହରଣ ସୁଧୀର କକଡ଼, ଆଶିଷ ନନ୍ଦୀ ଓ ମଧୁ କିଶ୍ୱରଙ୍କର ଲେଖା। ଦାର୍ଶନିକ ଓ୍ୱିଟଗେନଷ୍ଟାଇନ କହିଥିଲେ ଯେ ଗୋଟିଏ ଗମ୍ଭୀର ଓ ଉତ୍ତମ ଦାର୍ଶନିକ ବହି କେବଳ ‘ଜୋକ୍’ ବା ଟାହିଟାପରା ମାଧ୍ୟମରେ ଲେଖାଯାଇପାରେ।

ଓଡ଼ିଆରେ ଗୁରୁଗମ୍ଭୀର ଭାଷାର ଆଉ ଏକ ଉଦାହରଣ ହେଉଛି ପ୍ରାବନ୍ଧିକମାନଙ୍କର ଭାଷା। ଗୋଟିଏ ଉଦାହରଣ ଊନବିଂଶ ଶତାବ୍ଦୀର : ଆମ୍ଭେମାନେ ଊର୍ଦ୍ଧ୍ୱ ନାମାଙ୍କିତ ମହାତ୍ମାଙ୍କର ରଚିତ ପୁସ୍ତକାବଳୀକୁ ସ୍ଥୂଳତଃ ଆଲୋଚନା ପର୍ବରେ କାବ୍ୟ ସମ୍ବନ୍ଧୀୟ ଅବଶ୍ୟ ଜ୍ଞାତବ୍ୟ କେତେଗୁଡ଼ିଏ ବିଷୟ ନିମ୍ନରେ ପ୍ରଦର୍ଶନ କରି ପଶ୍ଚାତ ତାଙ୍କର କାବ୍ୟ ସମୂହର ଯଥାଯଥ ଆଲୋଚନାରେ ପ୍ରବୃତ୍ତ ହେବୁଁ। (ଲାଲା ରାମନାରାୟଣ ଲାଲ, ନବସମ୍ବାଦ ପତ୍ରିକା, ୧୭.୧୧.୧୮୮୭) ଅନ୍ୟ କେତୋଟି ନିକଟର ଉଦାହାରଣ ତଳେ ଦିଆଗଲା।

ଦିଗନ୍ତର ବର୍ଣ୍ଣାଢ଼୍ୟ ଗାରିମାକୁ ପ୍ରସାରିତ ପକ୍ଷଛାୟାରେ ଢାଙ୍କି ଦେଇ ଧରିତ୍ରୀର ସ୍ନିଗ୍ଧ ସବୁଜ ଛାତି ଉପରେ ଏକ କ୍ଷୁଧାର୍ତ୍ତ ଶକୁନ ପରି ତା’ର ଉତ୍‌କ୍ଷେପ, ମୁହୂର୍ତ୍ତକ ମଧ୍ୟରେ ବିଚୂର୍ଣ୍ଣ କରିଦେଲା ସ୍ୱପ୍ନ ଓ ସାଧନାର ସ୍ୱର୍ଣ୍ଣ ସ୍ତମ୍ଭ।(ଖଗେଶ୍ୱର ମହପାତ୍ର, ବନଲତା ଓ ଅଳକା)।

ଅବିରାମ ଉଦ୍ଦାମ ସ୍ରୋତ ଉପରେ ମୁହୂର୍ତ୍ତଟିଏ ଦୃଷ୍ଟି ନିବଦ୍ଧ କଲେ ହିଁ ଜଣକୁ ଅବସନ୍ନ କରିବ ଅସହାୟବୋଧ। ଏ ଦୃଶ୍ୟମାନ ସ୍ରୋତ ଯେପରିକି ଏକ ଅଦୃଶ୍ୟ ଅପ୍ରତିରୋଧ୍ୟ ସ୍ରୋତର ପ୍ରତୀକ ତଥା ସଂକେତ। … ଅନୁଚ୍ଚ ବୃକ୍ଷକୁ ଆଉଜି ଘାସମୟ କୂଳରେ ବସି ରହିଥିବା ଶୈଶବରୁ ସଦ୍ୟ ଉତ୍ତୀର୍ଣ୍ଣ ବାଳକଟିଏ, ନଦୀ ବକ୍ଷରେ ସେ ବଟବୃକ୍ଷ ଦୃଶ୍ୟମାନ ହେବା ମୁହୂର୍ତ୍ତଠୁଁ ଅପଲକ ପ୍ରାୟ ଅନାଇ ରହିଥିଲା ବୃକ୍ଷ ଏବଂ ପକ୍ଷୀ ସମ୍ବଳିତ ସେ ଚଳମାନ ଦୃଶ୍ୟକୁ। (ମନୋଜ ଦାସ, ସମ୍ବାଦ ବାର୍ଷିକ ବିଶେଷାଙ୍କ, ୨୦୧୫)।

ଯଦି ଉଦ୍ଦିଷ୍ଟ ପରିବର୍ତ୍ତନ ସଂଘଟିତ ହୁଏ, କ୍ରୋଧ ତିଷ୍ଠି ରହିବାର କିଛି କାରଣ ନ ଥାଏ ଏବଂ ତାହା ସ୍ୱତଃ ନିଷ୍କ୍ରାନ୍ତ ହୋଇଯାଏ। ଯଦି ପରିବର୍ତ୍ତନର ଆଶା ସୁଦୂର ପରାହତ ତା’ ହେଲେ କ୍ରୋଧ, ଯାହା ଦୀର୍ଘ କାଳ ଧରି ଶୀର୍ଷାବସ୍ଥାରେ ରହିପାରେ ନାହିଁ, ହତାଶା ଓ ନିଷ୍ଫଳତା ବୋଧରେ ପୂର୍ବର ଉଗ୍ରତା ହରାଇ ତିଷ୍ଠି ରହେ, କିଛି କାଳ ପରେ ଶକ୍ତି ସଂଗ୍ରହ କରି ପୁଣି ଶୀର୍ଷାବସ୍ଥାରେ ପହଞ୍ଚେ, ତା’ ପରେ ପୁଣି ହତାଶା ଓ ନିଷ୍ଫଳତାବୋଧକୁ ଓହ୍ଲାଇ ଆସେ। (ରମାକାନ୍ତ ରଥ, ଭୀମଭୋଇଙ୍କ ଦୃଷ୍ଟାନ୍ତ)

ଏଥିରୁ ଜଣାଯିବ ଯେ ପୌରାଣିକ, ଐତିହାସିକ ଓ ପ୍ରବନ୍ଧ ଲେଖା ପାଇଁ ତତ୍‌ସମ ଶବ୍ଦ ବ୍ୟବହାରର ଏକ ଅଲିଖିତ ନିୟମ ଅଛି।

ତତ୍‌ସମ ତଦ୍ଭବ ଦେଶଜ ବାହାରେ ଲେଖକ ଆଗରେ ଆଉ ଏକ ପ୍ରଶ୍ନ ହେଲା, ଯଦି ଚରିତ୍ରଟି ଓଡ଼ିଆ ହୋଇ ନ ଥାଏ ଏବଂ ତା’ର ନିଜ ଭାଷାରେ କଥାବାର୍ତ୍ତା କରୁଥାଏ ତା’ ମୁହଁରେ କି ଭାଷା ଦିଆଯିବ? ଏହାର ଏକ ସହଜ ସମାଧାନ ବାହାର କରାଯାଇଛି। ଚରିତ୍ରଟି ପ୍ରଥମେ ଦିଚାରି ପଦ ନିଜ ଭାଷାରେ କହିବା ପରେ ଓଡ଼ିଆରେ କଥା କହେ। ‘ଛମାଣ ଆଠଗୁଣ୍ଠ’ର ସେକ କେରାମତ ଅଲି ଓ ଶେଖ ଦିଲଦାର ଇତ୍ୟାଦିଙ୍କ ସଂଳାପ ଏଇଭଳି ଥିଲା; ପ୍ରଥମେ ସାମାନ୍ୟ ପାର୍ସି ଓ ପରେ ପୂରା ଓଡ଼ିଆ। ସେହିପରି ‘ମାମୁ’ର ଡସନ ସାହେବ ଦି ଚାରି ଶବ୍ଦ ଇଂରେଜୀରେ କହି ଓଡ଼ିଆକୁ ଆସିଗଲେ।

ଆଉ ଏକ ପ୍ରକାରର ସମସ୍ୟା ହୁଏ ଗଳ୍ପ ନାଟକ ଉପନ୍ୟାସରେ ତଥାକଥିତ ଶିକ୍ଷିତ ଲୋକମାନଙ୍କ ମୁହଁରେ ସଂଳାପ ଦେଲା ବେଳେ। ଏ ଭଳି ଲୋକମାନେ ନିଜ ନିଜ ଭିତରେ କଥା କହିଲା ବେଳେ ଅଧା ସମୟ ଇଂରେଜୀରେ କଥାବାର୍ତ୍ତା କରିଥାନ୍ତି। ଏ ଭଳି ଚରିତ୍ର ପାଇଁ ବାସ୍ତବବାଦୀ ସଂଳାପ ଲେଖିଲେ ଅଧା ଲେଖା ଇଂରେଜୀ ହୋଇଯିବ। ଲେଖକ ସେଥିପାଇଁ ନିଜ ଲେଖାରେ ଏହି କଥାବାର୍ତ୍ତାର ଓଡ଼ିଆ ତର୍ଜମା କରି ଲେଖନ୍ତି। ଇଂରେଜୀ ଅନୁସରଣରେ ବର୍ତ୍ତମାନ ହଂସଗୀତି, ବିହଙ୍ଗମ ଦୃଷ୍ଟି ଓ କୁମ୍ଭୀର କାନ୍ଦଣା ଭଳି ଅନୁବାଦ ଆମର ଦେହସୁଆ ହୋଇଗଲାଣି।

ଗଦ୍ୟରେ ଇଂରେଜୀ ଶବ୍ଦର ବ୍ୟବହାର ଅନେକ ଦିନରୁ ପ୍ରଚଳିତ ଥିବା ବେଳେ କବିତାରେ ଏହାର ବ୍ୟବହାର ନଥଲା। ବଙ୍ଗଳା କବି ଜୀବନାନନ୍ଦ ଦାଶ ଯେତେବେଳେ ତାଙ୍କର ଗୋଟିଏ କବିତାରେ ଫୁଟବଲ ଶବ୍ଦ ବ୍ୟବହାର କଲେ, ସମସାମୟିକ ଲେଖକ ବୁଦ୍ଧଦେବ ବସୁ ଚମତ୍କୃତ ହୋଇ ଯାଇଥିଲେ। ଓଡ଼ିଆ କବିତାରେ ମଧ୍ୟ ଇଂରେଜୀ ଶବ୍ଦ ବ୍ୟବହାର ହେଲା। ଗୋପବନ୍ଧୁ ନିଜର କବିତାର ଶୀର୍ଷକ ରଖିଥିଲେ ‘ରେଳ ଉପରେ ଚିଲିକା ଦର୍ଶନ’, କିନ୍ତୁ ରେଳକୁ ରହ ରହ କ୍ଷଣେ କହିବା ବେଳେ ତାକୁ ବାଷ୍ପୀୟ ଶକଟ ସମ୍ବୋଧନ କରିଥିଲେ। ପରେ ସଚ୍ଚି ରାଉତରାୟ ଲେଖିଲେ ଜହ୍ନରାତିର ନିରୋଳା ଜଙ୍କସନ। ଏଥରକ ଓଡ଼ିଆ କବିତାରେ ବ୍ୟବହାର ହେଲା ମେଘର ଓଭରବ୍ରିଜ, ନକ୍ଷତ୍ର ଓ ଗ୍ରହର ଟ୍ରାଫିକ, ଚାହାଣୀର ସିଗନାଲ ଇତ୍ୟାଦି। ନିକଟରେ ପ୍ରକାଶିତ  କବିତା ସଂକଳନର ନାଁ ହେଉଛି ‘ଇଥର ବୋଲି କିଛି ନାହିଁ’ ଓ ‘ନିଆଁର କୋଲାଜ’।

ଏ ପର୍ଯ୍ୟନ୍ତ  କେବଳ ସଂସ୍କୃତ ଆଶ୍ରିତ ଗଦ୍ୟର ଉଦାହରଣ ଦିଆଯାଇଛି। ଆଧୁନିକ ଓଡ଼ିଆ କବିତାରେ ମଧ୍ୟ ଏକ ସମୟରେ ସଂସ୍କୃତର ବହୁଳ ବ୍ୟବହାର ସାଧାରଣ ଥିଲା। ଯଥା : ମୋହଶୂନ୍ୟ ଉଦାର ସକାଳରେ, ନା ଅପର୍ଯ୍ୟାପ୍ତ ସ୍ମୃତିର ବଦାନ୍ୟତାରେ। ପ୍ରଜ୍ଞା ସଞ୍ଚୟ କରି ରଖେ କେବଳ ମନୋରଂଜନର ସାମାନ୍ୟ ପର୍ବକୁ, ନା ସଂପୂର୍ଣ୍ଣ ଅନୁଭବର ଏକତ୍ରିତ ଉପଲବ୍ଧି। ଅନୁଧାବନ ପଶ୍ଚାଦ୍ଧାବନରେ କେତେ ଦୃଷ୍ଟି ନ୍ୟସ୍ତ ବିଭ୍ରାନ୍ତ ଓ ସୀମିତ ହେଲା। (ଯେ ଯାହାର ନିର୍ଜନତା, ୧୯୭୯)। ଅନାସକ୍ତ ସମୟମାନଙ୍କରେ ବୈଦେହୀ ସ୍ୱରକୁ ପ୍ରକ୍ଷେପିତ କରି। ପ୍ରଜ୍ଞା ପ୍ରାକ୍‌କଥନ ଶ୍ଲାଘା ଓ ସାନ୍ନିଧ୍ୟ। ଧ୍ରୁବୀୟ ଆକାଂକ୍ଷାମାନ ସ୍ୱୟଂକ୍ରିୟ ଆତ୍ମଉତ୍ତରଣ। (ଯାତ୍ରାର ପ୍ରଥମ ପାଦ, ୧୯୮୮)। ଏ ଧାଡ଼ିଗୁଡ଼ିକ ଗୁରୁ ଗମ୍ଭୀର ନିଶ୍ଚୟ, କିନ୍ତୁ କିଛି ବୁଝାଗଲା? ମୁଁ ମଧ୍ୟ ବୁଝିବାକୁ ଚେଷ୍ଟା କରୁଛି।

ସୁଖର ବିଷୟ ସଂପ୍ରତି ଓଡ଼ିଆର ଗଦ୍ୟ ଓ ପଦ୍ୟ ଲେଖକମାନେ ଆଉ ଏପରି ଦାନ୍ତଭଙ୍ଗା ଭାଷା ବ୍ୟବହାର କରୁନାହାନ୍ତି ଏବଂ ଯୁବ ଲେଖକ ଲେଖିକାଙ୍କର ଲେଖା ଏହି ତଥାକଥିତ ସଂଭ୍ରାନ୍ତ ଭାଷାର କବଳରୁ ମୁକ୍ତ।

ଏ ବିଷୟରେ ଶେଷ କଥା ହେଲା ଯେ ସାହିତ୍ୟର ଭାଷା ନିଶ୍ଚୟ ଦୈନନ୍ଦିନ ଚଳିତ ଭାଷାରୁ ଭିନ୍ନ ରହିବ, କିନ୍ତୁ ତା’କୁ ଅଯଥା କଠିନ ସଂସ୍କୃତ ବହୁଳ ଶବ୍ଦର ଭାର ଦେଇ ଦୁଃଖପାଠ୍ୟ ଓ ଦୁର୍ବୋଧ୍ୟ କରିବାର କୌଣସି ଆବଶ୍ୟକତା ନାହିଁ।

(ଜଗନ୍ନାଥ ପ୍ରସାଦ ଦାସ ଜଣେ ବିଶିଷ୍ଟ ଲେଖକ ଓ ଗବେଷକ। ଏହି ଲେଖାଟି ତାଙ୍କ ପ୍ରକାଶିତ ଆମ ଭାଷା, ଆମ ସଂସ୍କୃତିପୁସ୍ତକର ଅଂଶ। ଏହି ବହିର ବିଭିନ୍ନ ଲେଖାକୁ ଡିଜିଟାଲ ମିଡିଆରେ ପ୍ରକାଶନ କରି ଏକ ବୃହତ୍ତର ପାଠକ ଶ୍ରେଣୀ ପାଖରେ ପହଞ୍ଚାଇବାକୁ ଲେଖକ ଓଡ଼ିଶାଲାଇଭ୍କୁ ଅନୁମତି ଦେଇଛନ୍ତି। ଏହି ବହିଟିର ମୂଳ ପ୍ରକାଶକ ହେଉଛନ୍ତି ‘ଶିକ୍ଷା ସନ୍ଧାନ’।)

Comment