ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ‘ଜିଓ’ ଉପଭୋକ୍ତାଙ୍କୁ ମାଗଣାରେ ମିଳିବନି କଲିଂ ସେବା। ଏନେଇ ବୁଧବାର ରିଲାଏନ୍ସ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି। ଜିଓରୁ ଜିଓ ନେଟ୍‌ୱର୍କକୁ କଲିଂ ଫ୍ରି ରହିବ। ତେବେ ଜିଓରୁ ଅନ୍ୟ କୌଣସି ନେଟ୍‌ୱର୍କକୁ କଲ୍‌ କଲେ ମିନିଟ୍‌ ପିଛା ୬ ପଇସା କଟିବ। ଏଥିପାଇଁ ଉପଭୋକ୍ତାଙ୍କୁ ଆଇୟୁସି(IUC) ଟପ୍‌-ଅପ୍‌ ରିଚାର୍ଜ କରିବାକୁ ପଡ଼ିବ।

୨୦୧୬ ମସିହା ସେପ୍ଟେମ୍ବର ୫ରେ ଟେଲିକମ୍‌ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲା ରିଲାଏନ୍ସର ‘ଜିଓ’। ତେବେ ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ ଜିଓ ତା’ର କଲିଂ ସେବାକୁ ମାଗଣା କରିଥିଲା। ହେଲେ ଅଚାନକ ଜିଓ ଏହାକୁ ବନ୍ଦ କରିଛି।

ଆଇୟୁସି(IUC) ପାଇଁ ଜିଓ ତା’ର ମାଗଣା ସେବା ବନ୍ଦ କରିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ତେବେ କ’ଣ ଏହି ଆଇୟୁସି ଏବଂ କେମିତି ଏହା ଜିଓ ଉପରେ ପ୍ରଭାବ ପକାଇଛି। ଆସନ୍ତୁ ଜାଣିବା।

ଆଇୟୁସି କ’ଣ?

ଆଇୟୁସି ଅର୍ଥାତ୍‌ ଇଣ୍ଟରନେଟ୍‌ ୟୁସେଜ୍‌ ଚାର୍ଜେସ୍‌। ଗୋଟଏ ଟେଲିକମ୍‌ ନେଟ୍‌ୱର୍କରୁ ଅନ୍ୟ ନେଟ୍‌ୱର୍କକୁ ଫୋନ୍‌ କଲେ ଟେଲିକମ୍‌ ରେଗୁଲେଟୋରୀ(ଟ୍ରାଇ) ପକ୍ଷରୁ ଧାର୍ଯ୍ୟ ଥିବା ନିର୍ଦ୍ଦିଷ୍ଟ ଫିସ୍‌ ଦେବାକୁ ପଡ଼ିଥାଏ। ଏହି ଫିସ୍‌କୁ ଆଇୟୁସି କୁହାଯାଏ।

ଜିଓରୁ ଅନ୍ୟ କୌଣସି ନେଟ୍‌ୱର୍କକୁ କଲ୍‌ କଲେ ଜିଓକୁ ଆଇୟୁସି ଫିସ୍‌ ଦେବାକୁ ପଡ଼ୁଛି। ଏହି ଆଇୟୁସି ଜିଓରୁ ଅନ୍ୟ ଯେଉଁ ନେଟ୍‌ୱର୍କକୁ କଲ୍‌ କରାଯାଇଥାଏ ସେହି କମ୍ପାନିକୁ ମିଳିଥାଏ।

ଭାରତରେ ବିଭିନ୍ନ ନେଟ୍‌ୱର୍କ ମଧ୍ୟରେ କଲିଂକୁ ଆଧାର କରି ଟେଲିକମ୍‌ କମ୍ପାନିମାନଙ୍କୁ ଟଙ୍କା ଦେବାକୁ ପଡ଼ିଥାଏ। ଏହି ପରିପେକ୍ଷୀରେ, ଯଦି ସମସ୍ତ ନେଟ୍‌ୱର୍କରୁ ସମାନ ଭାବେ କଲ୍‌ ଯିବା ଆସିବା କରିବ ତେବେ ଟଙ୍କା ଦେବାର ପରିମାଣ ସବୁ ନେଟ୍‌ୱର୍କ ପାଇଁ ସମାନ ରହିବ। ହେଲେ ଏହି ସନ୍ତୁଳନରେ ପରିବର୍ତ୍ତନ ଦେଖାଦେଲେ କୌଣସି ଗୋଟଏ ନେଟ୍‌ୱର୍କକୁ ଅଧିକ ଆଇୟୁସି ଦେବାକୁ ପଡ଼ିବ।

ତେବେ ଏହିଭଳି ଭାବେ ଜିଓ କମ୍ପାନି ଆଇୟୁସିର ଶୀକାର ହୋଇଛି। ଦେଖିବାକୁ ମିଳିଛି ଯେ, ଅଧିକାଂଶ ଗ୍ରାହକ ଜିଓ ନେଟ୍‌ୱର୍କରୁ ଅନ୍ୟ ନେଟ୍‌ୱର୍କକୁ ସର୍ବାଧିକ କଲ୍‌ କରିଛନ୍ତି। ସେଥିପାଇଁ ଜିଓର କୋଟି କୋଟି କ୍ଷତି ହୋଇଥିବା ସୂଚନା ମିଳିଛି। ଏହି ଆଇୟୁସି ବାବଦକୁ ପ୍ରାୟ ୧୩,୫୦୦ କୋଟି ଟଙ୍କା ଜିଓ କମ୍ପାନି ଅନ୍ୟ ନେଟ୍‌ୱର୍କମାନଙ୍କୁ ଦେଇଛି।

କାହିଁକି ଲାଗିଲା ଚାର୍ଜ?

ଟ୍ରାଇ ପକ୍ଷରୁ ୨୦୧୭ ମସିହାରେ ଆଇୟୁସି ଚାର୍ଜ ମିନିଟ୍‌ ପିଛା ୬ ପଇସା କରାଯାଇଥିଲା। ଏଥିସହିତ ଆସନ୍ତା ଜାନୁଆରି ୨୦୨୦ରୁ ଭାରତରେ ଆଇୟୁସି ଚାର୍ଜକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦିଆଯିବ ବୋଲି ଟ୍ରାଇ ପକ୍ଷରୁ କୁହାଯାଇଥିଲା। ହେଲେ ନିକଟରେ ଟ୍ରାଇ ଏହାର ଅବଧିକୁ ବଢ଼ାଇବା ପାଇଁ ବିଚାର କରୁଛି। ତେବେ ଏଭଳି ପରିସ୍ଥିତିରେ ଜିଓ ଉପରେ ଚାପ ପଡ଼ିବାରୁ କମ୍ପାନି ବାଧ୍ୟ ହୋଇ ମାଗଣା ସେବା ବନ୍ଦ କରିବାକୁ ଘୋଷଣା କରିଛି।

ତେବେ ଏହା ଅସ୍ଥାୟୀର ଭାବେ ଘୋଷଣା କରାଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ଯଦି ୨୦୨୦ ପହିଲାରୁ ଟ୍ରାଇ ଆଇୟୁସିକୁ ସମ୍ପୂର୍ଣ୍ଣ ହଟାଇ ଦେବ, ତେବେ ଯିଓ ପୁଣିଥରେ ଏହାର ମାଗଣା କଲିଂ ସେବା ଆରମ୍ଭ କରିବ। ସେ ଯାଏଁ ଜିଓରୁ ଅନ୍ୟ ନେଟ୍‌ୱର୍କକୁ କଲ୍‌ କଲେ ପଇସା କଟିବ। ବର୍ତ୍ତମାନ ସମସ୍ତଙ୍କ ନଜର ଟ୍ରାଇର ଘୋଷଣା ଉପରେ।

Comment