ଓଡ଼ିଶାଲାଇଭ୍ ବ୍ୟୁରୋ
ଆହାର କେନ୍ଦ୍ରରେ ଲୋକଙ୍କୁ କେମିତି ମିଳୁଛି ‘ଆହାର’? ୫ ଟଙ୍କାରେ ମିଳୁଥିବା ଭାତ, ଡାଲ୍ମାର ମାନ କେମିତି ଅଛି? ଆହାର କେନ୍ଦ୍ରକୁ ଯାଇ ଏହାର ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ 5-T ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ।
ବୌଦ୍ଧ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ମୁଖ୍ୟ ଶାସନ ସଚିବ ଏବଂ 5-T ସଚିବ ଥାଳି ଧରି ଭାତ-ଡାଲ୍ମା ଖାଇଥିଲେ।
ଆଜି ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, 5-T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍) ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।
‘ମୋ ସରକାର’ ଯୋଜନା ଲାଗୁ ହେବା ପରେ ଡାକ୍ତରଖାନାରେ ରୋଗୀମାନେ କେମିତି ସୁବିଧା ପାଉଛନ୍ତି ତାହା ତଦାରଖ କରୁଛନ୍ତି 5-T ସଚିବ ପାଣ୍ଡିଆନ।
ଜୟପୁର ଏବଂ ମାଲକାନଗିରି ପରେ ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ଏହାସହ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମଧ୍ୟ ପରିଦର୍ଶନ କରିଥିଲେ ସଚିବ।
ମୁଖ୍ୟ ଶାସନ ସଚିବ, 5-T ସଚିବ ରୋଗୀମାନଙ୍କ ସହ କଥା ହୋଇଥିଲେ। ଡାକ୍ତରଖାନାରେ ସୁବିଧା ମିଳୁଛି କି ନାହିଁ ପଚାରି ବୁଝିଥିଲେ। ରୋଗୀମାନଙ୍କୁ କିପରି ଉନ୍ନତମାନ ସ୍ୱାସ୍ଥ୍ୟସେବା ମିଳିପାରିବ ସେନେଇ ସିଡିଏମ୍ଓଙ୍କ ସହ ଆଲୋଚନା କରିଥିଲେ।

















