ଓଡ଼ିଶାଲାଇଭ୍ ବ୍ୟୁରୋ

ଏକାସାଙ୍ଗରେ ସେ ଜଣେ କ୍ରିକେଟର, କୋଚ୍, କମେଣ୍ଟଟେଟର ଓ କ୍ରିକେଟ ପ୍ରଶାସକ। ତାଙ୍କର ଅନେକ ପରିଚୟ କିନ୍ତୁ ଭାରତୀୟ କ୍ରିକେଟରେ ସେ ଜଣେ ଦକ୍ଷ ବୋଲର ଭାବେ ବେଶ୍‌ ପରିଚିତ। ସେ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ। ଆଜି ହେଉଛି ତାଙ୍କବ ଜନ୍ମ ଦିବସ।

୧୯୭୦ ମସିହା ଅକ୍ଟୋବର ୧୭ ତାରିଖରେ କର୍ଣ୍ଣାଟକର ବେଙ୍ଗାଳୁରୁ କୁମ୍ବଲେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିଲାଦିନର ନାଁ ଥିଲା ଜମ୍ବୋ। ପିଲାଟ ଦିନରୁ କ୍ରିକେଟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ରହିଥିଲା। ସେ ଦୀର୍ଘ ୧୮ ବର୍ଷ ଧରି କ୍ରିକେଟ ଜଗତରେ ରହିଛନ୍ତି। ତାଙ୍କ ନାଁରେ ଟେଷ୍ଟ କ୍ରିକେଟରେ ୬୧୯ଟି ୱିକେଟ୍ ନେବାର ରେକର୍ଡ ରହିଛି।

୧୯୯୦ ମସିହାରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ମ୍ୟାଚରେ ସେ ଡେବ୍ୟୁ କରିଥିଲେ। ଏହାପରେ ରେକର୍ଡ ତାଙ୍କର ପିଛା ଛାଡ଼ିନଥିଲା। ଗୋଟିଏ ଟେଷ୍ଟ ଇଂନିସରେ ୧୦ଟି ୱିକେଟ୍ ନେବାର ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ସେ କିଛି ସମୟ ପାଇଁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ମଧ୍ୟ ରହିଥିଲେ। ୧୯୯୩ ମସିହାରେ ତାଙ୍କୁ କ୍ରିକେଟର ଅଫ୍ ଦି ଇୟର ଭାବେ ସମ୍ମାନିତ କରାଯାଇଥିଲା।

ସେ ୨୦୦୮ ମସିହାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। କ୍ରିକେଟ ପ୍ରତି ତାଙ୍କର ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଅର୍ଜୁନ ପୁରସ୍କାର ଏବଂ ପଦ୍ମଶ୍ରୀ ସମ୍ମାନ ମିଳିଛି।

କେବଳ ଜଣେ କ୍ରିକେଟର ଭାବେ ନୁହେଁ ସେ ଭାରତୀୟ ଦଳର କୋଚ୍ ମଧ୍ୟ ରହିସାରିଛନ୍ତି। ଏହାସହ ତାଙ୍କୁ ଆଇସିସି ହଲ ଅଫ୍ ଫେମ୍  କ୍ରିକେଟର ଭାବେ ମଧ୍ୟ ସାମିଲ କରାଯାଇଛି। ନିକଟରେ ୨୦୨୦ ଆଇପିଏଲ୍‌ ପାଇଁ କିଙ୍ଗ୍ସ ଏକାଦଶ ପଞ୍ଜାବର କୋଚ୍‌ ଭାବେ ତାଙ୍କୁ ନିଯୁକ୍ତି ମିଳିଛି।

Comment