ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପ୍ରତ୍ୟେକ ରାଜ୍ୟରେ ଏନ୍ଆରସି ଲାଗୁ ହେବା ଉଚିତ। ସଂପୂର୍ଣ୍ଣ ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟ ନୀତି ନିର୍ମାଣ ପୂର୍ବକ ତାଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଏହା ସରକାରଙ୍କ କାର୍ଯ୍ୟ। ବର୍ତ୍ତମାନ ଆସାମରେ ଏହାର ପ୍ରୟୋଗ କରା ଯାଇଛି, ଯାହା ସଂପୂର୍ଣ୍ଣ ଦେଶରେ ଲାଗୁ କରାଯିବା ଉଚିତ ବୋଲି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ସୁରେଶ ଭୈୟାଜୀ ଯୋଶୀ।

ଭୁବନେଶ୍ୱରରେ ଚାଲିଥିବା ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ସମାପନ ଦିବସରେ ଭୈୟାଜୀ ଯୋଶୀ କହିଥିଲେ ଯେ ସଂପୂର୍ଣ୍ଣ ଦେଶରେ ରାଷ୍ଟ୍ରୀୟ ସ୍ୱୟଂସେକ ସଂଘ ପକ୍ଷରୁ ୧ ଲକ୍ଷ ୫୦ରୁ ଅଧିକ ସେବାକାର୍ଯ୍ୟ ଚାଲୁ ରହିଛି। ୨୦ଟି ସ୍ଥାନରେ ଡାକ୍ତରଖାନା ଏବଂ ୧୫ଟି ରକ୍ତ ଭଣ୍ଡାର ମଧ୍ୟ ସଂଚାଳିତ ହେଉଛି। ଏହାଛଡା ଦିବ୍ୟାଙ୍ଗମାନଙ୍କ ସେବା କ୍ଷେତ୍ରରେ ମଧ୍ୟ ସ୍ୱଂୟସେବକମାନେ କାର୍ଯ୍ୟ କରୁଛନ୍ତି। ପ୍ରତିବର୍ଷ ୩ ହଜାରରୁ ୪ ହଜାର

ଚକ୍ଷୁଦାନ ସ୍ୱୟଂସେବକମାନଙ୍କ ପ୍ରଚେଷ୍ଟାରେ ସଫଳ ହୋଇପାରୁଛି। ଏହାଛଡା ଗ୍ରାମବିକାଶ କ୍ଷେତ୍ରରେ ମଧ୍ୟ ସ୍ୱୟଂସେବକମାନଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ୨୫୦ଟି ଗ୍ରାମରେ ଗ୍ରାମବାସୀଙ୍କ ସହଯୋଗରେ ବିକାଶର ମଡେଲ ପ୍ରତିଷ୍ଠା କରାଯାଇଛି।

‘‘ଦେଶର ଏକଲକ୍ଷରୁ ଅଧିକ ଗ୍ରାମରେ ସଂଘର ବିଚାରକୁ ବୁଝିବା, ସହଯୋଗ କଲାଭଳି ବ୍ୟକ୍ତିବିଶେଷ ରହିଛନ୍ତି। ପ୍ରତିଦିନ ସଂଘର ଶାଖାକୁ ଆସୁଥିବା ସ୍ୱୟଂସେବକମାନଙ୍କର ସଂଖ୍ୟା ୫ ଲକ୍ଷରୁ ଅଧିକ। ଏମାନଙ୍କର ବୟସ ୧୬ ବର୍ଷରୁ ଅଧିକ। ଏହାଛଡା ୧୬ ବର୍ଷରୁ କମ୍ ବୟସର ୪ଲକ୍ଷ ସ୍ୱୟଂସେବକ ମଧ୍ୟ ପ୍ରତିଦିନ ଶାଖା ଆସୁଛନ୍ତି। ଦେଶରେ ୫୯ହଜାର ଗ୍ରାମୀଣ ମଣ୍ଡଳ ମଧ୍ୟରୁ ପାଖାପାଖି ୩୦ ହଜାର ଗ୍ରାମରେ ସଂଘକାର୍ଯ୍ୟ ଚାଲୁଅଛି’’, କହିଥିଲେ ଭେୟୟାଜୀ ଯୋଶୀ।

ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଅଖିଳ ଭାରତ ପ୍ରଚାର ପ୍ରମୁଖ ଅରୁଣ କୁମାର ଏବଂ ଅଖିଳ ଭାରତୀୟ ସହ ପ୍ରଚାର ପ୍ରମୁଖ ନରେନ୍ଦ୍ର ଠାକୁର ଉପସ୍ଥିତ ଥିଲେ।

Comment