ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିବା ପରେ ଭାରତର ଲକ୍ଷ ଏବେ ବାଂଲାଦେଶ ଉପରେ। ଆସନ୍ତା ନଭେମ୍ବର ୩ରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ସିରିଜ୍। ଭାରତ-ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟକୁ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଦେଖିବେ ବୋଲି ସୂଚନା ମିଳିଛି।

ନଭେମ୍ବର ୨୨ରେ କୋଲକାତା ଖେଳାଯିବ ଭାରତ-ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌। ଇଡେନ୍ ଗାର୍ଡେନରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ଦେଖିବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତା ନଭେମ୍ବର ୩ରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜରେ ତିନୋଟି ଟି-୨୦ ମ୍ୟାଚ୍ ସହ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ ଇନ୍ଦୋରରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ଟେଷ୍ଟ ନଭେମ୍ବର ୨୨ରୁ କୋଲକାତାରେ ଖେଳାଯିବ।

ଏହି କୋଲକାତା ଟେଷ୍ଟକୁ ଦେଖିବାକୁ ଶେଖ୍ ହସିନା ଭାରତ ଆସୁଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଏହି ମ୍ୟାଚରେ ଉପସ୍ଥିତ ରହିବାକୁ ବିସିସିଆଇ ପକ୍ଷରୁ ଅନୁରୋଧ କରାଯାଇଛି। ତେଣୁ ଏହି ଦୁଇ ନେତାଙ୍କୁ କୋଲକାତାର ଇଡେନ ଗାର୍ଡେନରେ ଦେଖିବାକୁ ମିଳିପାରେ।

ଅନ୍ୟପକ୍ଷରେ ବାଂଲାଦେଶ ଦଳ କ୍ରିକେଟ୍‌ ବୋର୍ଡ ସହ ମତାନ୍ତର ହେବା କାରଣରୁ ସମସ୍ତ ପ୍ରକାର ଖେଳକୁ ବହିଷ୍କାର କରିଛି। ତେଣୁ ଏହି ସିରିଜକୁ ଆୟୋଜନ ହେବା ଆଶଙ୍କା ମଧ୍ୟରେ ରହିଛି।

Comment