ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏବଂ ଗୁଣିଗାରେଡି ଭଳି ଅନ୍ଧ ବିଶ୍ୱାସ ଦୂର କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ଏକ ପୁରସ୍କାର ଘୋଷଣା କରିଛନ୍ତି। ଯିଏ ଭୂତପ୍ରେତ ବା ଗୁଣିଗାରେଡ଼ି ପ୍ରମାଣ କରିପାରିବ ତାକୁ ୫୦ ହଜାର ଟଙ୍କା ପୁରସ୍କାର ମିଳିବ। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ସେ ଯେତେଦୂର ଜାଣିଛନ୍ତି ଭୂତ ବୋଲି କିଛି ନାହିଁ। ଯିଏ ଏହି ଅନ୍ଧବିଶ୍ୱାସକୁ ପ୍ରମାଣ କରିପାରିବ ତାକୁ ପୁରସ୍କୃତ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କାହାର ଗୁଣି ଦ୍ୱାରା ରୋଗ ହୁଏ ନାହିଁ। କିନ୍ତୁ ସମାଜରେ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ବିଶ୍ୱାସ ଯେ ଗୁଣିଗାରେଡ଼ି ଯୋଗୁଁ ପରିବାର ଲୋକେ ଅସୁସ୍ଥ ହୋଇଛନ୍ତି। ଫଳରେ ସେମାନେ ପୀଡ଼ିତଙ୍କୁ ଡ଼ାକ୍ତରଖାନା ନନେଇ ଝଡ଼ାଫୁଙ୍କାରେ ସମୟ ନଷ୍ଟ କରିଥା’ନ୍ତି ଯାହାକି ରୋଗୀକୁ ମୃତ୍ୟୁମୁଖକୁ ଟାଣି ନେଇଥାଏ।

ନିକଟରେ ଗଞ୍ଜାମ ଜିଲ୍ଲାରେ ଲାଗଲାଗ ଦୁଇଟି ଗୁଣିଗାରେଡ଼ି ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଭିନବ ପଦକ୍ଷେପ ନିଆଯାଇଛି। ଗୁଣି କରିଥିବା ଅଭିଯୋଗରେ ଗୋପାଳପୁର ନିକଟ ଏକ ଗାଁରେ ଲୋକେ ୬ ଜଣଙ୍କୁ ଅକଥନୀୟ ନିର୍ଯାତନା ଦେଇଥିଲେ। ସେମାନଙ୍କ ଦାନ୍ତ ଭାଙ୍ଗିଦେବା ସହ ବିଷ୍ଟା ଖୁଆଇବା ଭଳି ଲଜ୍ଜାକର ଘଟଣା ଘଟିଥିଲା। ଜିଲ୍ଲାପାଳ ଏସ୍‌ଏଚ୍‌ଜି ଗୋଷ୍ଠୀର ସଦସ୍ୟଙ୍କୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି।

Comment